ପିଆଜ ଦର ବୃଦ୍ଧି କୃଷକଙ୍କ ଭାଗ୍ୟ ବଦଳାଇଦେଲା, ଋଣୀ ଚାଷୀ ହେଲେ କୋଟିପତି

ବେଙ୍ଗାଲୁରୁ: ନିକଟରେ ମାତ୍ରାଧିକ ବୃଦ୍ଧି ଘଟିଥିବା ପିଆଜ ଦର ଗ୍ରାହକଙ୍କୁ କନ୍ଦାଉଛି। କିନ୍ତୁ ଅନ୍ୟପକ୍ଷରେ ଏହି ଦର ବୃଦ୍ଧି କର୍ଣ୍ଣାଟକର ପିଆଜ ଚାଷୀଙ୍କ ପାଇଁ ପୁଷମାସ ସାବ୍ୟସ୍ତ ହୋଇଛି। ମୋଟା ଅଙ୍କର ଋଣ ନେଇ ପିଆଜ ଚାଷ କରିଥିବା ଜଣେ ପିଆଜ ଚାଷୀ ‌ଚଳିତବର୍ଷ କୋଟିପତି ହୋଇଯାଇଛନ୍ତି।

ପିଆଜ ଚାଷୀଙ୍କ ନାମ ମଲ୍ଲିକାର୍ଜୁନ। ତାଙ୍କ ଘର ଚିତ୍ରଦୁର୍ଗ ଜିଲ୍ଲାର ଡୋଡାସିଡାଭାନାହଲ୍ଲିରେ। ୪୨ ବର୍ଷୀୟ ଏହି ଚାଷୀ ଜଣକ ଋଣ ନେଇ ଚଳିତବର୍ଷ ପିଆଜ ମଞ୍ଜି କିଣିବା ସହିତ ଚାଷ ଆରମ୍ଭ କରିଥିଲେ। ଆଜି ପର୍ଯ୍ୟନ୍ତ ସେ ଏତେ ବଡ଼ ଅନିଶ୍ଚିତତା ଭିତରକୁ କେବେ ପଶି ନଥିଲେ। ଚଳିତବର୍ଷ ଯଦି ପିଆଜ ଠିକ୍‌ରେ ଉତ୍ପାଦନ ହୋଇ ନଥାନ୍ତା ତା’ହେଲେ ମୁଁ ଋଣଯନ୍ତାରେ ପଡ଼ି ଯାଇଥାନ୍ତି। କିନ୍ତୁ ପିଆଜ ‌ଏବେ ମୋ ପରିବାରର ଭାଗ୍ୟ ବଦଳାଇ ଦେଇଛି ବୋଲି କହିଛନ୍ତି। ସେ ପାଖାପାଖି ୨୪୦ ଟନ୍ (୨୦ ଟ୍ରକ୍‌) ପିଆଜ ଅମଳ କରିଛନ୍ତି। ପିଆଜ ଦର କିଲୋଗ୍ରାମ ପିଛା ୨୦୦ ଟଙ୍କା ପାଖାପାଖି ପହଞ୍ଚି ଥିବାରୁ ସେ ଏଭଳି ଲାଭ କରିପାରିଛନ୍ତି। ସୂଚନା ଅନୁଯାୟୀ, ମଲ୍ଲିକାର୍ଜୁନ ଚଳିତବର୍ଷ ପିଆଜ ଚାଷ ପାଇଁ ୧୫ ଲକ୍ଷ ଟଙ୍କା ଖର୍ଚ୍ଚ କରିଥିଲେ। ମୂଲ୍ୟ ସ୍ବାଭାବିକ ରହିଥିଲେ ସେ ୫ରୁ ୧୦ ଲକ୍ଷ ଟଙ୍କା ଲାଭ କରିଥାନ୍ତେ ବୋଲି ଆଶା ରଖିଥିଲେ। କିନ୍ତୁ ସେ ଏବେ ବିପୁଳ ପରିମାଣର ଲାଭ ସଂଗ୍ରହ କରିପାରିଛନ୍ତି। ସ୍ଥାନୀୟ ଗଣମାଧ୍ୟମରେ ମଲ୍ଲିକାର୍ଜୁନଙ୍କ ସଫଳତାର କାହାଣୀ ପ୍ରକାଶ ପାଇବା ପରେ ସେ ସେଠାକାର କୃଷକଙ୍କ ମଧ୍ୟରେ ଜଣେ ସେଲିବ୍ରିଟି ପାଲଟି ଯାଇଛନ୍ତି। ବେଙ୍ଗାଲୁରୁଠାରୁ ପ୍ରାୟ ୨୦୦ କିମି ଦୂରବର୍ତ୍ତୀ ଚିତ୍ରଦୁର୍ଗ ଜିଲ୍ଲାର ଚାଷୀ ମଲ୍ଲିକାର୍ଜୁନ କୁହନ୍ତି, ଚଳିତବର୍ଷ ପିଆଜ ଚାଷ ପରେ ମୁଁ ମୋ ଋଣ ଶୁଖି ଦେଇଛି। ଏଥିସହିତ ଗୋଟିଏ ଘର ନିର୍ମାଣ କରିବା ପାଇଁ ଯୋଜନା କରୁଛି। ସେହିଭଳି ଆଗକୁ ବ୍ୟାପକ ମାତ୍ରାରେ ଚାଷ କରିବା ପାଇଁ ଅଧିକ ଚାଷଜମି କିଣିବା ଯୋଜନା ମଧ୍ୟ ସେ ରଖିଥିବା କହିଛନ୍ତି। ମଲ୍ଲିକାର୍ଜୁନଙ୍କର ୧୦ ଏକର ଜମି ଥିବାବେଳେ ପିଆଜ ଚାଷ ପାଇଁ ସେ ଆଉ ୧୦ ଏକର ଜମି ଲିଜ୍‌ରେ ଆଣିଛନ୍ତି। ୫୦ ଜଣ ଶ୍ରମିକଙ୍କୁ ମଧ୍ୟ ସେ କାମରେ ଲଗାଇଛନ୍ତି। ତେବେ ତାଙ୍କର ସେଠାରେ ଜଳସେଚନ ସମସ୍ୟା ରହିଛି। ଭୂତଳ ଜଳ ଉପରେ ଚାଷୀଙ୍କୁ ନିର୍ଭର କରିବାକୁ ପଡ଼ିଥାଏ। ସେଥିପାଇଁ ଅନେକ ଚାଷୀ ଚାଷ ଛାଡ଼ି ଦେଲେଣି। ୨୦୦୪ ମସିହାରୁ ମଲ୍ଲିକାର୍ଜୁନ ବର୍ଷାଋତୁରେ ପିଆଜ ଚାଷ କରି ଆସୁଛନ୍ତି। ଗତବର୍ଷ ସେ ପିଆଜ ଚାଷ କରି ପ୍ରାୟ ୫ ଲକ୍ଷ ଟଙ୍କା ଲାଭ କରିଥିଲେ। ତେବେ ଚଳିତବର୍ଷ ସେ ଏତେ ଲାଭ କରିବେ ବୋଲି ପ୍ରଥମେ ଆଶା ରଖି ନଥିଲେ। ପିଆଜ ଦର କମ୍ ଥିବାରୁ ସେ ଅକ୍ଟୋବର ପର୍ଯ୍ୟନ୍ତ ଅସୁବିଧାରେ ଥିଲେ। ନଭେମ୍ବର ପ୍ରଥମ ସପ୍ତାହରେ ସେ କ୍ବିଣ୍ଟାଲ ପିଛା ପିଆଜ ପ୍ରାୟ ୭ ହଜାର ଟଙ୍କାରେ ବିକୁଥିଲେ। କିନ୍ତୁ ହଠାତ୍ ଦର ୧୨ ହଜାର ଟଙ୍କାକୁ ବୃଦ୍ଧି ପାଇଥିଲା। କ୍ଷେତରୁ ପିଆଜ ଚୋରି ଯେଭଳି ନହେବ ସେଥିପାଇଁ ତାଙ୍କ ପରିବାରର ସବୁ ସଦସ୍ୟ ସଜାଗ ରହିଥିଲେ ବୋଲି ମଲ୍ଲିକାର୍ଜୁନ କହିଛନ୍ତି।

ସମ୍ବନ୍ଧିତ ଖବର