ଜ୍ୟୋତିରାଣୀ ଷଡ଼ଙ୍ଗୀଙ୍କ ଜାମିନ୍‌ କାଏମ ରଖିଲେ ସୁପ୍ରିମକୋର୍ଟ

ନୂଆଦିଲ୍ଳୀ : ସିସୋର ଚିଟ୍‌ଫଣ୍ଡ ଠକେଇ ଅଭିଯୋଗରେ ହାଇକୋର୍ଟ ଦ୍ୱାରା ସିଏମ୍‌ଡି ପ୍ରଶାନ୍ତ ଦାସଙ୍କ ପତ୍ନୀ ଜ୍ୟୋତିରାଣୀ ଷଡ଼ଙ୍ଗୀଙ୍କୁ ପ୍ରଦାନ କରାଯାଇଥିବା ଜାମିନକୁ ସୁପ୍ରିମକୋର୍ଟ କାଏମ ରଖିଛନ୍ତି। ସିସୋର କମ୍ପାନିରେ କୈଳାସ ଚନ୍ଦ୍ର ଲେଙ୍କା ୭୫ ଲକ୍ଷ ଟଙ୍କା ଜମା କରିଥିଲେ। କମ୍ପାନି ଦ୍ୱାରା ଅର୍ଥ ଜମା ବାବଦରେ ସୁଧ ଓ ମୂଳ ଜମାଟଙ୍କା ଫେରସ୍ତ କରାଯାଇ ନଥିବାରୁ କୈଳାସ ଚନ୍ଦ୍ର ଲେଙ୍କା ରଘୁନାଥପଲ୍ଲୀ ପୁଲିସ ଷ୍ଟେସନ୍‌ରେ ସିସୋର ସିଏମ୍‌ଡି ପ୍ରଶାନ୍ତ ଦାସ, ତାଙ୍କ ପତ୍ନୀ ଜ୍ୟୋତିରାଣୀ ଷଢ଼ଙ୍ଗୀ ଓ ଅନ୍ୟ ୪ ଜଣଙ୍କ ବିରୋଧରେ ଅଭିଯୋଗ କରିଥିଲେ। ଗତବର୍ଷ ଜ୍ୟୋତିରାଣୀଙ୍କୁ ଗିରଫ କରାଯାଇଥିଲା। ହାଇକୋର୍ଟରେ ୧୫ଟି ଶୁଣାଣିପରେ ଜ୍ୟୋତିରାଣୀଙ୍କୁ ଜାମିନ ପ୍ରଦାନ କରାଯାଇଥିଲା। ହାଇକୋର୍ଟର ଆଦେଶକୁ ଚ୍ୟାଲେଞ୍ଜ କରି କୈଳାସ ଚନ୍ଦ୍ର ଲେଙ୍କା ସୁପ୍ରିମକୋର୍ଟର ଦ୍ୱାରସ୍ଥ ହୋଇଥିଲେ। ଆଜି ସୁପ୍ରିମକୋର୍ଟ ବିଚାରପତି ଅରୁଣ ମିଶ୍ର ଓ ବିଚାରପତି ଉଦୟ ଉମେଶ ଲଳିତଙ୍କ ଖଣ୍ଡପୀଠରେ ମାମଲାର ଶୁଣାଣି ହୋଇଥିଲା। ଆବେଦନକାରୀଙ୍କ ପକ୍ଷରୁ ଓକିଲ ରତ୍ନାକର ଦାସ ଜ୍ୟୋତିରାଣୀ ଷଡ଼ଙ୍ଗୀଙ୍କ ଜାମିନ ପ୍ରଦାନକୁ ବିରୋଧ କରିଥିବାବେଳେ ଜ୍ୟୋତିରାଣୀ ଷଡ଼ଙ୍ଗୀଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ସୁରେଶ ଚନ୍ଦ୍ର ତ୍ରିପାଠୀ ଆବେଦନକାରୀଙ୍କ ଦ୍ୱାରା ଉପସ୍ଥାପନ ଯୁକ୍ତି ଗୁଡ଼ିକରେ ସତ୍ୟତା ନଥିବା କହିଥିଲେ। ଉଭୟ ପକ୍ଷଙ୍କ ଯୁକ୍ତି ଶୁଣିବାପରେ ଖଣ୍ଡପୀଠ ଆବେଦନକାରୀଙ୍କ ଏସ୍‌ଏଲ୍‌ପିକୁ ଖାରଜ କରିଦେବା ସହ ହାଇକୋର୍ଟର ଜାମିନ ଆବେଦନକୁ କାଏମ୍‌ ରଖିଥିଲେ।

ସମ୍ବନ୍ଧିତ ଖବର