ମୌସୁମୀ ଅଧିବେଶନ ୨୦୨୧: ୩୮ ବିଲ୍ ପଡ଼ିରହିଛି, ୧୭ ନୂଆ

ନୂଆଦିଲ୍ଲୀ: ଜୁଲାଇ ୧୯ ସୋମବାରଠାରୁ ପାର୍ଲାମେଣ୍ଟର ଉଭୟ ସଦନ – ରାଜ୍ୟସଭା ଓ ଲୋକସଭାର ମୌସୁମୀ ଅଧିବେଶନ କୋଭିଡ୍ ନିୟମାବଳୀ ପାଳନ ସହ ଆରମ୍ଭ ହେବ। ଜୁଲାଇ ୧୯ରୁ ଅଗଷ୍ଟ ୧୩ ଭିତରେ ମୋଟ ୧୯ ଦିନ ଅଧିବେଶନ ହେବ। ପିଆର୍‌ଏସ୍‌ ଲେଜିସ୍‌ଲେଟିଭ୍ ଅନୁଯାୟୀ, ପାର୍ଲାମେଣ୍ଟରେ ୩୮ଟି ବିଧେୟକ ପଡ଼ିରହିଛି। ସେଥି ମଧ୍ୟରୁ ୯ଟି ବିଲ୍ ଉପରେ ବିଚାର କରାଯାଇ ଗୃହୀତ କରାଯିବ ଏବଂ ୧୭ଟି ବିଲ୍ ଆଗତ କରାଯିବା ପରେ ତା’ ଉପରେ ବିଚାର କରାଯାଇ ଗୃହୀତ କରାଯିବ। ଯେଉଁ ବିଲ୍‌ଗୁଡ଼ିକ ଆଗତ କରାଯିବ, ସେଗୁଡ଼ିକ ମଧ୍ୟରେ ଅଛି ଦେବାଳିଆ କୋଡ୍ (ସଂଶୋଧନ) ବିଲ୍, ୨୦୨୧, ଯାହା ଏକ ଅଧ୍ୟାଦେଶ ସ୍ଥାନରେ ଲାଗୁ ହେବ। ତା’ଛଡ଼ା ସୀମିତ ଦାୟବଦ୍ଧତା ଅଂଶୀଦାରୀ (ସଂଶୋଧନ) ବିଲ୍, ୨୦୨୧; ଜମା ବୀମା ଓ କ୍ରେଡିଟ୍ ଗ୍ୟାରେଣ୍ଟି କର୍ପୋରେସନ (ସଂଶୋଧନ) ବିଲ୍, ୨୦୨୧ ଏବଂ ବିଦ୍ୟୁତ୍ (ସଂଶୋଧନ) ବିଲ୍, ୨୦୨୧। ତେବେ ସମସ୍ତ ଘରୋଇ କ୍ରିପ୍ଟୋକରେନ୍ସିକୁ ନିଷିଦ୍ଧ କରୁଥିବା ଏବଂ ଅଫିସିଆଲ୍ ଡିଜିଟାଲ କରେନ୍ସି ଆରମ୍ଭ କରିବାକୁ ଲକ୍ଷ୍ୟ ରଖିଥିବା କ୍ରିପ୍ଟୋକରେନ୍ସି ଏବଂ ଅଫିସିଆଲ୍ ଡିଜିଟାଲ କରେନ୍ସି ନିୟାମକ ବିଲ୍, ୨୦୨୧ ବି ପାସ୍ ହେବାକୁ ବାକି ଅଛି ଯାହା ଏଥିରେ ତାଲିକାଭୁକ୍ତ ହୋଇନାହିଁ।

ବିଚାର ଓ ଅନୁମୋଦନ ପାଇଁ ତାଲିକାଭୁକ୍ତ ହୋଇଥିବା ବିଧେୟକଗୁଡ଼ିକ ହେଉଛି: ଫାକ୍ଟରିଂ ରେଗୁଲେସନ (ସଂଶୋଧନ) ବିଲ୍, ୨୦୨୦; ଡିଏନ୍‌ଏ ପ୍ରଯୁକ୍ତି (ବ୍ୟବହାର ଓ ପ୍ରୟୋଗ) ନିୟାମକ ବିଲ୍, ୨୦୧୯; ଟ୍ରିବୁନାଲ ସଂସ୍କାର (ଯୁକ୍ତିଯୁକ୍ତକରଣ ଓ ଚାକିରି ସର୍ତ୍ତାବଳୀ) ବିଲ୍ ୨୦୨୧; ପିତାମାତା ଓ ବରିଷ୍ଠ ନାଗରିକଙ୍କ ଭରଣପୋଷଣ ଓ ମଙ୍ଗଳ (ସଂଶୋଧନ) ବିଲ୍, ୨୦୧୯; କିଶୋର ନ୍ୟାୟ (ଶିଶୁ ଯତ୍ନ ଓ ସୁରକ୍ଷା) ସଂଶୋଧନ ବିଲ୍, ୨୦୨୧; ସହାୟକ ପ୍ରଜନନ ପ୍ରଯୁକ୍ତି ବିଲ୍, ୨୦୨୦; ସରୋଗାସୀ ବିଲ୍ ୨୦୧୯; ଜାତୀୟ ଖାଦ୍ୟ ପ୍ରଯୁକ୍ତି ପ୍ରତିଷ୍ଠାନ, ଉଦ୍ୟମିତା ଓ ପରିଚାଳନା ବିଲ୍, ୨୦୨୧ ଏବଂ ମେରାଇନ୍ ଏଡ୍‌ସ ଟୁ ନେଭିଗେସନ ବିଲ୍, ୨୦୨୧।

ଆଗତ ହେବା ପରେ ବିଚାର ଓ ଗୃହୀତ ହେବା ପାଇଁ ତାଲିକାଭୁକ୍ତ ହୋଇଥିବା ବିଲ୍‌ଗୁଡ଼ିକ ହେଉଛି: ଦେବାଳିଆ କୋଡ୍ (ସଂଶୋଧନ) ବିଲ୍, ୨୦୨୧; ସୀମିତ ଦାୟବଦ୍ଧତା ଅଂଶୀଦାରୀ (ସଂଶୋଧନ) ବିଲ୍, ୨୦୨୧; ପେନ୍‌ସନ ପାଣ୍ଠି ନିୟାମକ ଓ ବିକାଶ ପ୍ରାଧିକରଣ (ସଂଶୋଧନ) ବିଲ୍, ୨୦୨୧; ଜମା ବୀମା ଓ କ୍ରେଡିଟ୍ ଗ୍ୟାରେଣ୍ଟି କର୍ପୋରେସନ (ସଂଶୋଧନ) ବିଲ୍, ୨୦୨୧; ଅତ୍ୟାବଶ୍ୟକ ପ୍ରତିରକ୍ଷା ସେବା ବିଲ୍, ୨୦୨୧, ଯାହା ଏକ ଅଧ୍ୟାଦେଶ ବଦଳରେ ଲାଗୁ ହେବ; ଜାତୀୟ ରାଜଧାନୀ ଓ ପରିପାର୍ଶ୍ବ ଅଞ୍ଚଳର ବାୟୁ ମାନ ପରିଚାଳନା କମିସନ ବିଲ୍, ୨୦୨୧, ଯାହା ଏକ ଅଧ୍ୟାଦେଶ ସ୍ଥାନରେ ଲାଗୁ ହେବ; ସେନାଛାଉଣି ବିଲ୍, ୨୦୨୧; ଭାରତୀୟ ଆଣ୍ଟାର୍କଟିକା ବିଲ୍, ୨୦୨୧; ଚାର୍ଟାର୍ଡ ଆକାଉଣ୍ଟାଣ୍ଟ, କଷ୍ଟ୍‌ ଆଣ୍ଡ ୱାର୍କସ ଆକାଉଣ୍ଟାଣ୍ଟ ଏବଂ କମ୍ପାନି ସେକ୍ରୋଟାରି (ସଂଶୋଧନ) ବିଲ୍, ୨୦୨୧; କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟ (ସଂଶୋଧନ) ବିଲ୍, ୨୦୨୧; ଭାରତୀୟ ବନ ପରିଚାଳନା ପ୍ରତିଷ୍ଠାନ ବିଲ୍, ୨୦୨୧; ଲୋକ ଚାଲାଣ (ନିବାରଣ, ସୁରକ୍ଷା ଓ ଥଇଥାନ) ବିଲ୍, ୨୦୨୧; ଭାରତୀୟ ଜାହାଜ ବିଲ୍, ୨୦୨୧; କୋଇଲା ଅଞ୍ଚଳ (ଗ୍ରହଣ ଓ ବିକାଶ) ସଂଶୋଧନ ବିଲ୍, ୨୦୨୧; ବିଦ୍ୟୁତ୍ (ସଂଶୋଧନ) ବିଲ୍, ୨୦୨୧ ଏବଂ ପେଟ୍ରୋଲିୟମ୍ ଓ ମିନେରାଲ୍‌ସ ପାଇପ୍‌ଲାଇନ୍ (ସଂଶୋଧନ) ବିଲ୍, ୨୦୨୧। ଏହାଛଡ଼ା ବିଜେପି ସାଂସଦମାନେ ଆଉ କେତେକ ବିଲ୍ ଆଗତ କରିବାର ସମ୍ଭାବନା ଅଛି।

ସମ୍ବନ୍ଧିତ ଖବର