ମୁମ୍ବାଇ: ମହାରାଷ୍ଟ୍ରରେ ଗତ ସୋମବାର ଦିନ ମନ୍ତ୍ରିମଣ୍ଟଳ ସମ୍ପ୍ରସାରଣ ହେବାପରଠାରୁ ମେଣ୍ଟ ସହଯୋଗୀଙ୍କ ମଧ୍ୟରେ କନ୍ଦଳ ଆରମ୍ଭ ହୋଇଛି। ୩ ଦଳର ବରିଷ୍ଠ ନେତା ମନ୍ତ୍ରିମଣ୍ଡଳରେ ସ୍ଥାନ ପାଇନଥିବାରୁ ଘୋର ଅସନ୍ତୋଷ ପ୍ରକାଶ କରିଛନ୍ତି। ଶିବସେନା ମଧ୍ୟ ଆଜି ଏହା ସ୍ବୀକାର କରିଛି। କଂଗ୍ରେସ ବିଧାୟକ ସଂଗ୍ରାମ ଥୋପ୍ତେଙ୍କୁ ମନ୍ତ୍ରିମଣ୍ଡଳରେ ସାମିଲ କରାନଯିବାରୁ ଲୋକେ ପୁନେର କଂଗ୍ରେସ ଅଫିସ୍ ଭଙ୍ଗାରୁଜା କରିଛନ୍ତି। ଶିବସେନା ଏବଂ ଏନ୍ସିପିରେ ମଧ୍ୟ ଅସନ୍ତୋଷ ଦେଖିବାକୁ ମିଳିଛି। ଶିବସେନା ବିଧାୟକ ଭାସ୍କର ଯାଦବ ମନ୍ତ୍ରିମଣ୍ଡଳରୁ ବାଦ୍ ପଡ଼ିବାରୁ ଖୁବ୍ ଆଶ୍ଚର୍ଯ୍ୟ ପ୍ରକଟ କରିଛନ୍ତି। ଯାଦବ ଦାବି କରିଛନ୍ତି ଯେ ତାଙ୍କୁ କ୍ୟାବିନେଟ୍ ମନ୍ତ୍ରୀ କରାଯିବ ବୋଲି ଠାକ୍ରେ ପ୍ରତିଶ୍ରୁତି ଦେଇଥିଲେ। କିନ୍ତୁ ମରାଠି ଦୈନିକ ସାମ୍ନାରେ କୁହାଯାଇଛି ଯେ ଦଳ ପକ୍ଷରୁ କାହାକୁ ମନ୍ତ୍ରୀପଦ ଦେବାପାଇଁ ପ୍ରତିଶ୍ରୁତି ଦିଆଯାଇନି। ଇତି ମଧ୍ୟରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍ରେଙ୍କ ପାଇଁ ମୁଣ୍ଡବିନ୍ଧାର କାରଣ ହୋଇଛି ବିଭାଗ ବଣ୍ଟନ। ଉଦ୍ଧବଙ୍କ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ହେବାର ୩ ଦିନ ବିତିଗଲାଣି, କିନ୍ତୁ ଏଯାଏଁ ବିଭାଗ ବଣ୍ଟନ ହୋଇପାରୁନି। ଗତକାଲି ଶିବସେନା, ଏନ୍ସିପି ଏବଂ କଂଗ୍ରେସର ବରିଷ୍ଠ ନେତାମାନେ ବିଭାଗ ବଣ୍ଟନ ନେଇ ଆଲୋଚନା ବୈଠକ କରିଥିଲେ। କିନ୍ତୁ କିଛି ନିଷ୍କର୍ସ ବାହାରି ପାରିନଥିବା ଜଣାପଡ଼ିଛି। କଂଗ୍ରେସ କୃଷି ବିଭାଗ ଚାହିଥିଲେ ମଧ୍ୟ ଶିବସେନା ଏଥିରେ ରାଜି ନଥିବା ଜଣାପଡ଼ିଛି। ଗୃହ ବିଭାଗକୁ ନେଇ କ୍ୟାବିନେଟ୍ରେ କନ୍ଦଳ ଆରମ୍ଭ ହୋଇଛି। ସୂଚନାନୁଯାୟୀ ଅଜିତ ପାୱାରଙ୍କୁ ଗୃହ ବିଭାଗ ମିଳିବ, ଉଦ୍ଧବ ଠାକ୍ରେଙ୍କ ପୁଅଙ୍କୁ ପରିବେଶ ଏବଂ ପର୍ଯ୍ୟଟନ ବିଭାଗ ମିଳିବ। ଆସନ୍ତାକାଲି ସୁଦ୍ଧା ସ୍ଥିତି ସ୍ପଷ୍ଟ ହେବ ବୋଲି ଶିବସେନା ସୂତ୍ରରୁ ଜଣାପଡ଼ିଛି।
ବିଭାଗ ବଣ୍ଟନ ନେଇ ମହାରାଷ୍ଟ୍ର ସରକାରରେ କନ୍ଦଳ ବଢ଼ିଲା
/sambad/media/post_attachments/wp-content/uploads/2020/01/Maharashtra-9.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)