ପୌର ନିର୍ବାଚନ ସ୍ଥାନ ସଂରକ୍ଷଣ ମାମଲା: ସେପ୍ଟେମ୍ବର ୨୦ରେ ଶୁଣାଣି

ନୂଆଦିଲ୍ଲୀ : ପୌର ନିର୍ବାଚନ ସ୍ଥାନ ସଂରକ୍ଷଣ ମାମଲାର ଶୁଣାଣି ସେପ୍ଟେମ୍ବର ୨୦ରେ ହେବ। ଏହି ମାମଲାର ଶୁଣାଣି ଆଜି ସୁପ୍ରିମକୋର୍ଟର ବିଚାରପତି ୟୁ ୟୁ ଲଲିିତ ଓ ବିଚାରପତି ଅଶୋକ ଭୂଷଣଙ୍କ ଖଣ୍ଡପୀଠରେ ଧାର୍ଯ୍ୟ କରାଯାଇଥିଲା। ହେଲେ ମାମଲାର ଶୁଣାଣିକୁ ୨୦ ତାରିଖକୁ ଘୁଞ୍ଚାଇ ଦିଆଯାଇଛି। ରାଜ୍ୟ ସରକାର ଏହି ମାମଲାରେ ନିଜର ପକ୍ଷ ରଖିବା ନେଇ ବରିଷ୍ଠ ଓକିଲ ଗୋପାଳ ସୁବ୍ରମଣ୍ୟମ୍‌ଙ୍କୁ ନିୟୋଜିତ କରିବା ପାଇଁ ଚୂଡ଼ାନ୍ତ କରିଥିବା ଜଣାପଡ଼ିଛି। ପୌର ନିର୍ବାଚନରେ ସ୍ଥାନ ସଂରକ୍ଷଣ ସଂକ୍ରାନ୍ତ ହାଇକୋର୍ଟଙ୍କ ରାୟକୁ ଚ୍ୟାଲେଞ୍ଜ କରି ରାଜ୍ୟ ସରକାର ସୁପ୍ରିମକୋର୍ଟରେ ପିଟିସନ୍‌ ଦାଖଲ କରିଛନ୍ତି। ସ୍ଥାନ ସଂରକ୍ଷଣ ହାର ୫୦ ପ୍ରତିଶତକୁ ଟପିବ ନାହିଁ ବୋଲି ହାଇକୋର୍ଟ ଦେଇଥିବା ନିର୍ଦ୍ଦେଶକୁ ରାଜ୍ୟ ସରକାର ପିଟିସନ୍‌ରେ ଚ୍ୟାଲେଞ୍ଜ୍‌ କରିଛନ୍ତି। ଚଳିତବର୍ଷ ସେପ୍ଟେମ୍ବର ୩୦ରୁ ୨୦୧୯ ଫେବ୍ରୁଆରି ୧୩ ତାରିଖ ମଧ୍ୟରେ ରାଜ୍ୟରେ ୯୩ଟି ପୌରାଞ୍ଚଳର ନିର୍ବାଚିତ ପ୍ରତିନିଧିମାନଙ୍କ କାର୍ଯ୍ୟକାଳ ସରୁଥିବା ଦୃଷ୍ଟିରୁ ପୌର ନିର୍ବାଚନରେ ଥିବା ସଂରକ୍ଷଣ ବ୍ୟବସ୍ଥା ଲାଗୁ କରିବା ପାଇଁ ସରକାରଙ୍କ ପକ୍ଷରୁ ପିଟିସନ୍‌ରେ ଦର୍ଶାଯାଇଛି।

ସମ୍ବନ୍ଧିତ ଖବର