ମୁମ୍ବାଇ: ମହାରାଷ୍ଟ୍ର ବିଧାନସଭା ନିର୍ବାଚନକୁ ନେଇ ମହାବିକାଶ ଆଘାଡିରେ ଆସନ ବଣ୍ଟନକୁ ନେଇ ବିଚାରବିମର୍ଶ ଚାଲିଛି। ମିଳିଥିବା ସୂଚନା ଅନୁଯାୟୀ, ମେଣ୍ଟ ଦଳ (କଂଗ୍ରେସ, ଏନସିପି ଶରଦ ଗୋଷ୍ଠୀ) ଏବଂ ଶିବସେନା 'ଉଦ୍ଧବ ଗୋଷ୍ଠୀ') ମଧ୍ୟରେ ଆସନ ବୁଝାମଣା ଲାଗି ଆଲୋଚନା ଜାରି ରହିଛି ।
ସୂଚନା ଅନୁସାରେ ଏହି ତିନି ଦଳଙ୍କ ମଧ୍ୟରେ ଆପାତତଃ ଆସନ ବୁଝାମଣା ଚୂଡ଼ାନ୍ତ ହୋଇଛି । ରାଜ୍ୟରେ ମୋଟ ୨୮୮ ଆସନ ମଧ୍ୟରୁ ମହାରାଷ୍ଟ୍ରରେ କଂଗ୍ରେସ ୧୧୦ରୁ ୧୧୫, ଶରଦ ପାୱାରଙ୍କ ଦଳ ୭୫ରୁ ୮୦ ଏବଂ ଉଦ୍ଧବଙ୍କ ଶିବସେନା ୯୦ରୁ ୯୫ ଆସନରେ ଲଢ଼ିପାରେ। ତେବେ ଏ ନେଇ ଔପଚାରିକ ଘୋଷଣା ବାକି ରହିଛି, କାରଣ କେତେକ ଆସନକୁ ନେଇ କଂଗ୍ରେସ ଓ ଶିବସେନା (ଉଦ୍ଧବ ଠାକରେ) ମଧ୍ୟରେ ଅଚଳାବସ୍ଥା ଲାଗି ରହିଥିବା ସୂଚନା ମିଳିଛି।
ଆସନ ବୁଝାମଣା ପାଇଁ କଂଗ୍ରେସ ନେତା ବାଲାସାହେବ ଥୋରାଟ ମଙ୍ଗଳବାର ସଂଧ୍ୟାରେ ଶରଦ ପାୱାରଙ୍କୁ ଭେଟି ଆଲୋଚନା ଚଳାଇଛନ୍ତି । ଏହି ବୈଠକ ପରେ ମେଣ୍ଟ ଦଳଗୁଡ଼ିକର ମିଳିତ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହେବ। ଏଥିରେ ଆସନ ବୁଝାମଣା ଫର୍ମୁଲା ଘୋଷଣା କରାଯିବ। ତେବେ ମହାବିକାଶ ଆଘାଡିରେ କୌଣସି ବିବାଦ ନାହିଁ ବୋଲି ଥୋରାଟ କହିଛନ୍ତି। ଶରଦ ପାଓ୍ବାରଙ୍କୁ ଭେଟିବା ପରେ ଶିବସେନା ମୁଖ୍ୟ ଉଦ୍ଧବ ଠାକରେଙ୍କୁ ମଧ୍ୟ ଭେଟିବେ ବୋଲି ଥୋରାଟ କହିଛନ୍ତି।