ନୂଆଦିଲ୍ଲୀ: ‘ବିଜେପି’ର ଦିଲ୍ଲୀ ସାଂସଦ ତଥା ପୂର୍ବତନ କ୍ରିକେଟ୍ ଖେଳାଳି ଗୌତମ ଗମ୍ଭୀରଙ୍କ ପାଖକୁ ୨୪ ଘଣ୍ଟା ମଧ୍ୟରେ ଦ୍ବିତୀୟ ଥର ହତ୍ୟା ଧମକ ଆସିଛି। ଏହି ଧମକ ତାଙ୍କୁ ବୁଧବାର ଦ୍ବିପହର ସମୟରେ ଇମେଲ ଜରିଆରେ ଆସିଛି। ଏହା ପୂର୍ବରୁ ଗତ ମଙ୍ଗଳବାର ବିଳମ୍ବିତ ରାତି ତାଙ୍କୁ ଏଭଳି ଇମେଲ ଜରିଆରେ ହତ୍ୟା ଧମକ ଆସିଥିଲା।
‘ଆଇଏସ୍ଆଇଏସ୍-କଶ୍ମୀର’ରୁ ହତ୍ୟା ଧମକ ପାଇଥିବା ଦାବି କରି ଗୌତମ ଦିଲ୍ଲୀ ପୁଲସି ନିକଟରେ ଅଭିଯୋଗ କରିଥିଲେ।
କେନ୍ଦ୍ରାଞ୍ଚଳ ‘ଡିସିପି’ ଶ୍ବେତା ଚୌହାନ କହିଛନ୍ତି, ଏ ସଂକ୍ରାନ୍ତରେ ତଦନ୍ତ ଚାଲିଛି। ଗମ୍ଭୀରଙ୍କ ରାଜେନ୍ଦ୍ର ନଗର ବାସଭବନ ବାହାରେ ନିରାପତ୍ତା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ତେବେ ହତ୍ୟା ଧମକ ସଂକ୍ରାନ୍ତରେ ଅଧିକ କିଛି ସୂଚନା ମିଳିନାହିଁ। ତଦନ୍ତ ପରେ ଇ-ମେଲ୍ ଠିକଣା ତନଖି ସମେତ ଅଧିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।
ସୂଚନାଯୋଗ୍ୟ, ଗୌତମ ନିକଟରେ ପଞ୍ଜାର କଂଗ୍ରେସ ଅଧ୍ୟକ୍ଷ ନବଜୋତ ସିଂହ ସିଦ୍ଧୁ ଇମ୍ରାନ ଖାନଙ୍କୁ ନିଜର ବଡ଼ ଭାଇ ବୋଲି କହିଥିବା ବୟାନ ଉପରେ କଡ଼ା ପ୍ରତିକ୍ରିୟା ଦେଇ ଚର୍ଚ୍ଚାକୁ ଆସିଥିଲେ। ତେବେ ୨୦୧୮ରେ କ୍ରିକେଟରୁ ସନ୍ନ୍ୟାସ ନେବା ପୂର୍ବରୁ ଗୌତମ ଭାରତୀୟ କ୍ରିକେଟ୍ ଟିମ୍ରେ ୧୫ ବର୍ଷ ଧରି ଆନ୍ତର୍ଜାତିକ ମ୍ୟାଚ୍ ଖେଳିଛନ୍ତି। ୨୦୧୯ରେ ଗୌତମ ଗମ୍ଭୀର ‘ବିଜେପି’ ଟିକେଟରେ ପୂର୍ବ ଦିଲ୍ଲୀ ଆସନ ପାଇଁ ଲୋକସଭା ସାଂସଦ ଭାବେ ନିର୍ବାଚିତ ହୋଇଥିଲେ।