ନୂଆଦିଲ୍ଲୀ : ୨ ଡୋଜ୍ ଟିକା କୋଭିଡ୍ ମୃତ୍ୟୁ କବଳରୁ ୯୮ ପ୍ରତିଶତ ସୁରକ୍ଷା ଦେଉଛି । ନିତି ଆୟୋଗ ସଦସ୍ୟ ଭିକେ ପଲ୍ ଆଜି ଏହା କହିଛନ୍ତି। ପଂଜାବ ସରକାରଙ୍କ ସହଯୋଗରେ ଚଣ୍ଡିଗଡ଼ ପୋଷ୍ଟ ଗ୍ରାଜୁଏଟ୍ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ଏଜୁକେସନ୍ ଏବଂ ରିସର୍ଚ୍ଚ୍ ଦ୍ବାରା ହୋଇଥିବା ଏକ ଅଧ୍ୟୟନରୁ ଏହା ଜଣାପଡ଼ିଛି। ରାଜ୍ୟର ପୁଲିସ କର୍ମୀଙ୍କୁ ନେଇ ଏହି ଅଧ୍ୟୟନ ହୋଇଥିଲା। ଏଥିରେ ସାମିଲ ହୋଇଥିବା ୪,୮୬୮ ଜଣ ପୁଲିସ ଟିକା ନେଇନଥିଲେ ଏବଂ ସେମାନଙ୍କ ମଧ୍ୟରୁ ୧୫ ଜଣ କୋଭିଡ୍ରେ ପ୍ରାଣ ହାରିଛନ୍ତି। ଏହାର ଅର୍ଥ ପ୍ରତି ହଜାରରେ ୩.୦୮ ପ୍ରତିଶତ କୋଭିଡ୍ ମୃତ୍ୟୁ।
ଅନ୍ୟପକ୍ଷେ ଗୋଟିଏ ଡୋଜ୍ ଟିକା ନେଇଥିବା ୩୫,୮୫୬ ପୁଲିସଙ୍କ ମଧ୍ୟରୁ ୯ ଜଣଙ୍କ ମୃତ୍ୟୁ ହୋଇଛି। ଯାହାର ଅର୍ଥ ପ୍ରତି ୧ ହଜାରରେ ୦.୨୫ ପ୍ରତିଶତ କୋଭିଡ୍ ମୃତ୍ୟୁ। ସେହିପରି ୨ଟି ଯାକ ଡୋଜ୍ ନେଇଥିବା ୪୨,୭୨୦ ପୁଲିସଙ୍କ ମଧ୍ୟରୁ ୨ ଜଣ ମରିଛନ୍ତି। ଏହାର ଅର୍ଥ ପ୍ରତି ୧ହଜାରରେ ୦.୦୫ ପ୍ରତିଶତ ମୃତ୍ୟୁ। ତେଣୁ ଏଥିରୁ ଜଣାପଡ଼ୁଛି ଯେ, ଗୋଟିଏ ଡୋଜ୍ ଟିକା ମୃତ୍ୟୁରୁ ୯୨ ପ୍ରତିଶତ ସୁରକ୍ଷା ପ୍ରଦାନ କରୁଛି ଏବଂ ୨ ଡୋଜ୍ ଟିକା ମୃତ୍ୟୁରୁ ୯୮ ପ୍ରତିଶତ ସୁରକ୍ଷା ପ୍ରଦାନ କରୁଛି।