ଟିକା ଯୋଗାଣ ପରଖିବା ପାଇଁ ସରିଲା ଦ୍ବିତୀୟ ‘ଡ୍ରାଏ-ରନ୍‌’

ନୂଆଦିଲ୍ଲୀ : ଦେଶବାସୀଙ୍କ କୋଭିଡ୍‌ ଟିକାକରଣକୁ ସୁଗମ କରିବା ଏବଂ ଟିକାଯୋଗାଣରେ ରହିଥିବା ଚ୍ୟାଲେଂଜକୁ ସାମ୍ନା କରିବାପାଇଁ ଜାରି ରହିଥିବା ଅଭ୍ୟାସଭିତ୍ତିକ ଡ୍ରାଏ-ରନ୍‌ କାର୍ଯ୍ୟକ୍ରମର ଆଜି ଦ୍ବିତୀୟ ଦଫା ଦେଶର ମୋଟ ୭୩୭ଟି ଜିଲ୍ଲାରେ ସୁଚାରୁରୂପେ ସଂପନ୍ନ ହୋଇଯାଇଛି। ପରୀକ୍ଷାମୂଳକ ଭାବେ ଗତମାସ ୨୮ ଓ ୨୯ ତାରିଖରେ କେବଳ ୮ଟି ଜିଲ୍ଲାରେ ଏହି କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା। ତେବେ ଗତ ୨ ତାରିଖରେ ଦେଶର ୧୨୫ଟି ଜିଲ୍ଲାରେ ପ୍ରଥମ ଦଫା ଡ୍ରାଏ ରନ୍‌ ଅନୁଷ୍ଠିତ ହୋଇଥିଲା।

ଶୁକ୍ରବାର ଚେନ୍ନାଇ ଠାରେ ଉକ୍ତ କାର୍ଯ୍ୟକ୍ରମର ସମୀକ୍ଷା କରିବା ଅବସରରେ ସ୍ବାସ୍ଥ୍ୟମନ୍ତ୍ରୀ ଡା. ହର୍ଷବର୍ଦ୍ଧନ ବିଭିନ୍ନ ସ୍ବେଚ୍ଛାସେବୀ ସଂଗଠନଗୁଡ଼ିକର ସାହାଯ୍ୟ ଲୋଡ଼ିଛନ୍ତି। କୋଭିଡ୍‌-୧୯ ଟିକାକରଣ କାର୍ଯ୍ୟକ୍ରମକୁ ସୁଚାରୁରୂପେ ପରିଚାଳନା କରିବା ସହ ସଂପୃକ୍ତ ହିତାଧିକାରୀମାନଙ୍କୁ ବୁଝାସୁଝା କରିବା ଲାଗି ସ୍ବେଚ୍ଛାସେବୀ ସଂଗଠନମାନେ ଆଗେଇ ଆସିବାକୁ ସେ ଆହ୍ବାନ କରିଛନ୍ତି। ସେହିପରି ଦୀର୍ଘ ୫ ମାସ ତଳୁ ସରକାର ଟିକାକରଣ ବିଷୟରେ ଯୋଜନା ପ୍ରସ୍ତୁତ କରିଛନ୍ତି ଏବଂ ତଦନୁସାରେ ରାଜ୍ୟମାନେ ସେଥିପାଇଁ କେତେ ପ୍ରସ୍ତୁତ ଅଛନ୍ତି ତାହା ପରଖିବା ପାଇଁ ଏଭଳି ଡ୍ରାଏରନ୍‌ ହୋଇଥିଲା ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର