ସରକାରଙ୍କ ଦାଦନ ଚିନ୍ତା : ଦୁଇମାସ ପାଇଁ ମାଗଣା ଖାଦ୍ୟଶସ୍ୟ, ଶସ୍ତାରେ ଭଡ଼ାଘର

ପ୍ରଧାନମନ୍ତ୍ରୀଙ୍କ ପ୍ୟାକେଜ୍‌ରେ ଦ୍ବିତୀୟ କିସ୍ତିର ଘୋଷଣା

ଫୋକସ୍‌ରେ ଦାଦନ ଶ୍ରମିକ, କ୍ଷୁଦ୍ର ବ୍ୟବସାୟୀ, କ୍ଷୁଦ୍ର ଚାଷୀ
ମାର୍ଚ୍ଚ ସୁଦ୍ଧା ‘ଗୋଟିଏ ଦେଶ ଗୋଟିଏ ରାସନ କାର୍ଡ’
କିଷାନ କ୍ରେଡିଟ୍‌ କାର୍ଡ ନଥିଲେ ବି ମିଳିବ ଋଣ ସହାୟତା
ସହରାଞ୍ଚଳ ଗରିବକୁ ସୁଲଭ ମୂଲ୍ୟରେ ଦିଆଯିବ ଘର

ନୂଆଦିଲ୍ଲୀ : ଲକ୍ ଡାଉନ୍ ଯୋଗୁଁ ପ୍ରଭାବିତ ପ୍ରବାସୀ ଶ୍ରମିକମାନଙ୍କୁ ଆସନ୍ତା ୨ ମାସ ଲାଗି ମାଗଣା ଖାଦ୍ୟଶସ୍ୟ ଯୋଗାଇ ଦିଆଯିବ। ସେମାନଙ୍କ ରହିବା ଲାଗି ଶସ୍ତାରେ ଭଡ଼ା ଘରର ବ୍ୟବସ୍ଥା କରାଯିବ। ‘ଗୋଟିଏ ଦେଶ ଗୋଟିଏ ରାସନ କାର୍ଡ’ ବ୍ୟବସ୍ଥା ଆସନ୍ତା ବର୍ଷ ମାର୍ଚ ସୁଦ୍ଧା ଶତ ପ୍ରତିଶତ କାର୍ଯ୍ୟକାରୀ ହେବ। ଗତ ସୋମବାର ଦିନ ପ୍ରଧାନମନ୍ତ୍ରୀଙ୍କ ଦ୍ବାରା ଘୋଷଣା କରାଯାଇଥିବା ୨୦ ଲକ୍ଷ କୋଟି ଟଙ୍କା ପ୍ୟାକେଜରେ ଏହିସବୁ ବ୍ୟବସ୍ଥା କରାଯାଇଛି। ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ଏହି ସୂଚନା ଦେଇଛନ୍ତି। ପ୍ୟାକେଜର ପ୍ରଥମ ପର୍ଯ୍ୟାୟରେ ଗତକାଲି ଏମଏସଏମଇକୁ ଗୁରୁତ୍ବ ଦିଆଯାଇଥିବା ବେଳେ ଆଜି ଦ୍ବିତୀୟ ପର୍ଯ୍ୟାୟରେ ଦାଦନ ଶ୍ରମିକ, କ୍ଷୁଦ୍ର ବ୍ୟବସାୟୀ, କ୍ଷୁଦ୍ର ଚାଷୀ, ମଧ୍ୟବିତ୍ତ ବର୍ଗ ଏବଂ ଆଦିବାସୀଙ୍କ ଉପରେ ଫୋକସ୍ କରାଯାଇଛି। ‌ଏହି ଅବସରରେ ଏହିସବୁ ବର୍ଗ ଲାଗି ଅର୍ଥ ମନ୍ତ୍ରୀ ୯ଟି ଗୁରୁତ୍ବପୂର୍ଣ୍ଣ ଘୋଷଣା କରିଛନ୍ତି।

ଦାଦନ ଶ୍ରମିକଙ୍କୁ ମିଳୁଥିବା ମାଗଣା ଖାଦ୍ୟଶସ୍ୟ ଆଉ ଦୁଇ ମାସ ପର୍ଯ୍ୟନ୍ତ ଯୋଗାଇ ଦିଆଯିବ। ଯେଉଁମାନଙ୍କ ପାଖରେ କାର୍ଡ ନାହିଁ ସେମାନଙ୍କୁ ମଧ୍ୟ ମାସକୁ ୫ କିଲୋ ଚାଉଳ, ୫ କିଲୋ ଗହମ/୫ କିଲୋ ବୁଟ ଡାଲି ମିଳିବ। ଏହାଦ୍ବାରା ୮ କୋଟି ଲୋକ ଉପକୃତ ହେବେ। ଏଥିପାଇଁ ସରକାର ୩୫୦୦ କୋଟି ଟଙ୍କାର ବ୍ୟବସ୍ଥା କରିଛନ୍ତି।

ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଅନ୍ତର୍ଗତ ସରକାର ଏକ ନୂଆ ସ୍କିମ୍ ଆରମ୍ଭ କରିବାକୁ ଯାଉଛନ୍ତି। ଏହି ସ୍କିମରେ ଦାଦନ ଶ୍ରମିକମାନଙ୍କୁ ଶସ୍ତାରେ ଭଡ଼ାଘର ଯୋଗାଇ ଦବେ। ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରେ ନଗରାଞ୍ଚଳ ଗରିବ, ଶ୍ରମିକ ଏବଂ ଦାଦନଙ୍କ ଲାଗି ଶାସ୍ତାରେ ଘର ଯୋଗାଇ ଦିଆଯିବ। ସରକାର ଏବଂ ଘରୋଇ ସଂସ୍ଥା ମିଶି ଏହି ପ୍ରକଳ୍ପ କାର୍ଯ୍ୟକାରୀ କରିବେ।

‘ଗୋଟିଏ ଦେଶ ଗୋଟିଏ ରାସନ କାର୍ଡ ବ୍ୟବସ୍ଥା ଏବେ ଦେଶର ୮୩ ଭାଗ ଅଞ୍ଚଳରେ କାର୍ଯ୍ୟକାରୀ ହୋଇଛି। ଆସନ୍ତା ବର୍ଷ ମାର୍ଚ ସୁଦ୍ଧା ‌ସମଗ୍ର ଦେଶରେ ଏହାକୁ ଶତ ପ୍ରତିଶତ କାର୍ଯ୍ୟକାରୀ କରାଯିବ। ଜଣେ ବ୍ୟକ୍ତି ଦେଶର ଯେକୌଣସି ସ୍ଥାନରେ ଥିଲେ ମଧ୍ୟ ରାସନ କାର୍ଡ ଲାଭରୁ ବଞ୍ଚିତ ହେବ ନାହିଁ।

ରାସ୍ତାକଡ଼ ବେପାରୀଙ୍କ ଲାଗି ମଧ୍ୟ ସରକାର ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ ନେଇଛନ୍ତି। ସେମାନଙ୍କ ଲାଗି ୫ ହଜାର କୋଟି ଟଙ୍କାର ଋଣ ବ୍ୟବସ୍ଥା କରାଯାଇଛି। ଆସନ୍ତା ‌ଗୋଟିଏ ମାସ ମଧ୍ୟରେ କାର୍ଯ୍ୟକାରୀ ହେବାକୁ ଥିବା ଯୋଜନାରୁ ୫୦ ଲକ୍ଷ ରାସ୍ତାକଡ଼ ବେପାରୀ ଲାଭବାନ ହେବେ।

ସେହିଭଳି କ୍ଷୁଦ୍ର ବ୍ୟବସାୟୀଙ୍କୁ ସହଜ ଓ ଶସ୍ତାରେ ଋଣ ଯୋଗାଇବଦେବା ଲାଗି ବ୍ୟବସ୍ଥା କରାଯାଇଛି। ସେମାନଙ୍କୁ ୨ ପ୍ରତିଶତ କମ୍ ସୁଧରେ ୫୦ ହଜାର ଟଙ୍କା ପର୍ଯ୍ୟନ୍ତ ଋଣ ଯୋଗାଇ ଦିଆଯିବ। ଏହାଦ୍ବାରା ୩ କୋଟି କ୍ଷୁଦ୍ର ବ୍ୟବସାୟୀ ଉପକୃତ ହେବେ।

ବର୍ଷକୁ ୬ ଲକ୍ଷରୁ ୧୮ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟ କରୁଥିବା ବ୍ୟକ୍ତିଙ୍କ ଲାଗି ସବସିଡିରେ ବାସଗୃହ ଯୋଗାଇ ଦିଆଯାଉଛି। ଏହି ସ୍କିମରେ ୭୦ ହଜାର କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି। ଏହି ସ୍କିମ୍ ଦ୍ବାରା ୩ ଲକ୍ଷ ୩୦ ହଜାର ପରିବାର ଲାଭବାନ ହୋଇଥିବା ବେଳେ ଏହାକୁ ଆଉ ବର୍ଷେ ପାଇଁ ବଢ଼ାଇ ଦିଆଯାଇଛି। ଏହାଦ୍ବାରା ଆହୁରି ଅଢ଼େଇ ଲକ୍ଷ ପରିବାର ଉପକୃତ ହେବେ ‌ବୋଲି ସୀତାରମଣ କହିଛନ୍ତି।

ବନୀକରଣ ଲାଗି ଆଦିବାସୀ ପାଣ୍ଠିରେ ୬୦୦ କୋଟି ଟଙ୍କାର ବ୍ୟବସ୍ଥା କରାଯାଇଛି।

କ୍ଷୁଦ୍ର ଚାଷୀମାନଙ୍କୁ ଋଣ ସହାୟତା ଲାଗି ନାବାର୍ଡକୁ ପୂର୍ବରୁ ୯୦ ହଜାର କୋଟି ଟଙ୍କା ଦିଆଯାଇଥିଲା। ଏହି ଯୋଜନାରେ ନାବାର୍ଡକୁ ଆହୁରି ୩୦ ହଜାର କୋଟି ଟଙ୍କା ପ୍ରଦାନ କରାଯିବ। ଏହାଦ୍ବାରା ୩ କୋଟି ଚାଷୀ ଉପକୃତ ହେବେ।

ଯେଉଁ ୨ କୋଟି ୫୦ ଲକ୍ଷ ଚାଷୀମାନଙ୍କ ପାଖରେ କିଷାନ କ୍ରେଡିଟ୍ କାର୍ଡ ନାହିଁ ସେମାନଙ୍କୁ ରିହାତିରେ ଋଣ ସହାୟତା ଦେବାଲାଗି ପ୍ରାୟ ୨ ଲକ୍ଷ କୋଟି ଟଙ୍କାର ବ୍ୟବସ୍ଥା କରାଯାଇଛି।

ମନ୍ତ୍ରୀ ଆହୁରି କହିଲେ ଯେ ଦାଦନ ଶ୍ରମିକ, ସହରାଞ୍ଚଳ ଗରିବ ଏବଂ ଚାଷୀମାନଙ୍କ କଲ୍ୟାଣକୁ କେନ୍ଦ୍ର ସରକାର ବିଶେଷ ଗୁରୁତ୍ବ ଦେଇଛନ୍ତି। ଅତୀତରେ ସେମାନଙ୍କ ଲାଗି ଅନେକ କଲ୍ୟାଣକାରୀ ପଦକ୍ଷେପ ନିଆଯାଇଛି। ସହରାଞ୍ଚଳ ଗରିବ ଲୋକମାନଙ୍କ ଲାଗି ୧୧ ହଜାର କୋଟି ଟଙ୍କା ରାଜ୍ୟ ସରକାରମାନଙ୍କୁ ଦିଆଯାଇଛି। ସହରାଞ୍ଚଳ ଗରିବଙ୍କୁ ଅସ୍ଥାୟୀ ଘର ଏବଂ ତିନି ଓଳି ଖାଦ୍ୟ ଲାଗି ଏଥିରେ ବ୍ୟବସ୍ଥା ରହିଛି। ଦାନ ଶ୍ରମିକଙ୍କ ସଂପର୍କରେ ସେ କହିଲେ ଯେ କେନ୍ଦ୍ର ସରକାର ଏଥିନେଇ ଚିନ୍ତିତ ଅଛନ୍ତି। ସେମାନଙ୍କ ଲାଗି ଦୈନିକ କ୍ଷତିପୂରଣ ପରିମାଣ ୧୮୨ ଟଙ୍କାରୁ ୨୦୦ ଟଙ୍କାକୁ ବୃଦ୍ଧି କରାଯାଇଛି। ଗୋଟିଏ ରାଜ୍ୟରୁ ଅନ୍ୟ ରାଜ୍ୟକୁ ଯାଉଥିବା ଦାଦନ ଶ୍ରମିକମାନେ ମନରେଗାରେ ପଞ୍ଜୀକରଣ କଲେ ସେମାନଙ୍କୁ ଏହି ସହାୟତା ମିଳିବ।

ସୂଚନାଯୋଗ୍ୟ ଯେ ପ୍ରଧାନମନ୍ତ୍ରୀଙ୍କ ଆତ୍ମନିର୍ଭର ଭାରତ ଅଭିଯାନରେ ପ୍ୟାକେଜ ଅନୁଯାୟୀ ଗତକାଲି ସୀତାମରଣ ପ୍ରଥମ ପର୍ଯ୍ୟାୟରେ ଏମଏସଏମଇ ଏବଂ ଅଣବ୍ୟାଙ୍କିଙ୍ଗ ଆର୍ଥିକ ସଂସ୍ଥା ସମେତ ବିଭିନ୍ନ କ୍ଷେତ୍ର ଲାଗି ୬ ଲକ୍ଷ କୋଟି ଟଙ୍କ‌ାର ସହାୟତା ଘୋଷଣା କରିଥିଲେ। ଆସନ୍ତାକାଲି ତୃତୀୟ ପର୍ଯ୍ୟାୟରେ ଆଉ କିଛି ଘୋଷଣା କରାଯିବାର ସମ୍ଭାବନା ରହିଛି।

ସମ୍ବନ୍ଧିତ ଖବର