ନୂଆଦିଲ୍ଲୀ : ଭାରତରେ ଗୋଷ୍ଠୀ ସଂକ୍ରମଣ ଆରମ୍ଭ ହୋଇଛି କି ନା' ତାହା ଜାଣିବାପାଇଁ ଆଇସିଏମ୍ଆର (ଭାରତୀୟ ଚିକିତ୍ସା ଗବେଷଣା ପରିଷଦ) ପକ୍ଷରୁ ବିଭିନ୍ନ ଅଂଚଳରେ ବ୍ୟାପକ କ୍ରମରହିତ ଯାଞ୍ଚ ଆରମ୍ଭ ହୋଇଛି। ତେବେ ଆଇସିଏମ୍ଆର ଏହାର ସଦ୍ୟ ରିପୋର୍ଟ ଭାରତରେ ଗୋଷ୍ଠୀ ସଂକ୍ରମଣ ଆରମ୍ଭ ହୋଇଥିବା ନେଇ ସଙ୍କେତ ଦେଇଛି। ଫେବ୍ରୁଆରି ୧୫ରୁ ଏପ୍ରିଲ ୨ ମଧ୍ୟରେ ୫ ସପ୍ତାହ ଧରି ଆଇସିଏମ୍ଆର ୫,୯୧୧ ସାରି (ସିଭିଅର ଆକ୍ୟୁଟ୍ ରେସପାଇରେଟୋରି ଇଲ୍ନେସ୍) ତଥା ଅତି ଗୁରୁତର ସ୍ବାସ୍ଥ୍ୟ ସମସ୍ୟା ଥିବା ରୋଗୀଙ୍କୁ ପରୀକ୍ଷା କରିଥିଲା। ୨୦ଟି ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳର ୫୨ଟି ଜିଲ୍ଲାରେ ଏହି ପରୀକ୍ଷା କରାଯାଇଥିଲା। ଏଥିରୁ ୧୦୪ ‘ସାରି’ ରୋଗୀଙ୍କ ଭାଇରସ୍ ପଜିଟିଭ୍ ଥିବା ଜଣାପଡ଼ିଥିଲା। ଯେତେଜଣଙ୍କ କରୋନା ପରୀକ୍ଷା କରାଯାଇଥିଲା ସେମାନଙ୍କ ମଧ୍ୟରୁ ୧.୮ ପ୍ରତିଶତଙ୍କ ଶରୀରରେ ଭାଇରସ୍ ପଜିଟିଭ୍ ଥିଲା। ତେବେ କରୋନା ପଜିଟିଭ୍ ହୋଇଥିବା ୪୦ଟି ମାମଲା ତଥା ସମୁଦାୟ ୧୦୪ କରୋନା ପଜିଟିଭ୍ ହୋଇଥିବା ମାମଲାରୁ ୩୯.୨ ପ୍ରତିଶତଙ୍କର କୌଣସି ବିଦେଶ ଯାତ୍ରା ଅନୁଭୂତି ନାହିଁ କି ବିଦେଶରୁ ଆସିଥିବା କୌଣସି ଲୋକଙ୍କ ସଂସ୍ପର୍ଶରେ ସେମାନେ ଆସିନାହାନ୍ତି। ୧୫ ରାଜ୍ୟର ୩୬ ଭାରତୀୟ ଜିଲ୍ଲାରୁ ଏହି ମାମଲାଗୁଡ଼ିକୁ ଚିହ୍ନଟ କରାଯାଇଛି। ୧୫ ଭାରତୀୟ ରାଜ୍ୟରେ ୧ ପ୍ରତିଶତରୁ ଅଧିକ ସାରି ରୋଗୀ କୋଭିଡ୍ ପଜିଟିଭ୍ ଥିବା ଜଣାପଡ଼ିଛି।
ଗୁଜରାଟରେ ୭୨୯ ‘ସାରି’ ରୋଗୀଙ୍କ ପରୀକ୍ଷା କରାଯାଇଥିବାବେଳେ ୧.୬ ପ୍ରତିଶତ ତଥା ୧୩ଟି ମାମଲା ପଜିଟିଭ୍ ରହିଛି। ସେହିପରି ତାମିଲନାଡ଼ୁରେ ୫୭୭ ସାରି ରୋଗୀଙ୍କୁ ପରୀକ୍ଷା କରାଯାଇଥିବାବେଳେ ୦.୯ ପ୍ରତିଶତ ତଥା ୫ଟି ମାମଲା ପଜିଟିଭ୍ ଥିବା ଜଣାପଡ଼ିଛି। ମହାରାଷ୍ଟ୍ରରେ ୫୫୩ ସାରି ରୋଗୀଙ୍କୁ ପରୀକ୍ଷା କରାଯାଇଥିବାବେଳେ ଏମାନଙ୍କ ମଧ୍ୟରୁ ୩.୮ ପ୍ରତିଶତ ତଥା ୨୧ଟି ମାମଲା କରୋନା ପଜିଟିଭ୍ ରହିଛି। କେରଳରେ ୫୦୨ ସାରି ରୋଗୀଙ୍କୁ ପରୀକ୍ଷା କରାଯାଇଥିବାବେଳେ ୦.୨ ପ୍ରତିଶତ ତଥା ଗୋଟିଏ ମାମଲା ପଜିଟିଭ୍ ରହିଛି। ଆଇସିଏମ୍ଆର ରିପୋର୍ଟରେ କୁହାଯାଇଛି ଯେ, କୋଭିଡ୍ ମୁକାବିଲା ପାଇଁ ଏହିସବୁ ଜିଲ୍ଲାଗୁଡ଼ିକ ଉପରେ ଗୁରୁତ୍ବ ଦିଆଯିବା ଉଚିତ୍। ମାର୍ଚ୍ଚ ୧୪ ପୂର୍ବରୁ ପ୍ରଥମ ଆଇସିଏମ୍ଆର ଅଧ୍ୟୟନ ହୋଇଥିବା ବେଳେ ପ୍ରଥମ ପର୍ଯ୍ୟାୟରେ କୌଣସି ‘ସାରି’ ରୋଗୀ ଭାଇରସ୍ ପଜିଟିଭ୍ ହୋଇନଥିଲେ। ସାରି ରୋଗୀଙ୍କୁ ଅନ୍ତର୍ଭୁକ୍ତ କରିବାପାଇଁ ଟେଷ୍ଟିଂ ପଲିସି ପରିବର୍ତ୍ତନ କରାଯିବାପରେ କେବଳ ମାର୍ଚ୍ଚ ୧୫ରୁ ୨୧ ମଧ୍ୟରେ ୧୦୬ ରୋଗୀଙ୍କ ମଧ୍ୟରୁ କେବଳ ୨ ଜଣଙ୍କ ଶରୀରରେ ଭାଇରସ୍ ପଜିଟିଭ୍ ଥିବା ଜଣାପଡ଼ିଥିଲା। ମାର୍ଚ୍ଚ ୨୨ରୁ ୨୮ ମଧ୍ୟରେ ୨,୮୭୭ ରୋଗୀଙ୍କୁ ପରୀକ୍ଷା କରାଯାଇଥିବା ବେଳେ ସେମାନଙ୍କ ମଧ୍ୟରୁ ସମୁଦାୟ ୪୮ ଜଣ (୧.୮) ପ୍ରତିଶତ ଭାଇରସ୍ ପଜିଟିଭ୍ ହୋଇଥିଲେ। ଦ୍ବିତୀୟ ରିପୋର୍ଟରୁ ଏହା ଜଣାପଡ଼ିଥିଲା ଯେ ଅଧିକାଂଶ ରୋଗୀ ପୁରୁଣା ଏବଂ ଅଧିକାଂଶଙ୍କ ବୟସ ୫୦ ବର୍ଷରୁ ଅଧିକ। ତେବେ ସାରି ରୋଗୀଙ୍କ ମଧ୍ୟରେ କୋଭିଡ୍ -୧୯କୁ ଚିହ୍ନଟ କରିବା ମାର୍ଚ୍ଚ ୧୪ରେ ୦ ପ୍ରତିଶତରୁ ଏପ୍ରିଲ ୨ ସୁଦ୍ଧା ୨.୬ ପ୍ରତିଶତକୁ ବୃଦ୍ଧି ପାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/04/corona-copy.jpg)