ନୂଆଦିଲ୍ଲୀ: ୟୁରୋପ୍ ଗସ୍ତର ତୃତୀୟ ଦିନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଦ୍ବିତୀୟ ଭାରତ-ନାର୍ଡିକ ଶିଖର ସମ୍ମିଳନୀରେ ଯୋଗ ଦେଇଛନ୍ତି। ଡେନମାର୍କରେ କୋପେନହେଗନ୍ରେ ହୋଇଥିବା ଏହି ସମ୍ମିଳନୀରେ ଡେନ୍ମାର୍କ, ଆଇସଲାଣ୍ଡ୍, ଫିନଲାଣ୍ଡ୍, ସ୍ବିଡେନ୍ ଏବଂ ନରୱେ ପ୍ରଧାନମନ୍ତ୍ରୀଙ୍କ ସହ ମୋଦୀ ବିଭିନ୍ନ ଦ୍ବିପାକ୍ଷିକ ଓ ଅନ୍ତର୍ଜାତୀୟ ପ୍ରସଙ୍ଗରେ ଆଲୋଚନା କରିଥିଲେ। ଏହା ପୂର୍ବରୁ ମୋଦୀ ନାର୍ଡିକ ନେତାମାନଙ୍କ ସହ ପୃଥକ୍ ଭାବେ ଦ୍ବିପାକ୍ଷିକ ବୈଠକରେ ଯୋଗ ଦେଇଥିଲେ। ମହାମାରୀ ପରେ ଅର୍ଥ ବ୍ୟବସ୍ଥା ସୁଧାରିବା, ଜଳବାୟୁ ପରିବର୍ତ୍ତନ, ଅକ୍ଷୟ ଶକ୍ତି ଏବଂ ବୈଶ୍ବିକ ସୁରକ୍ଷା ପ୍ରସଙ୍ଗ ଉପରେ ଏହି ବୈଠକରେ ଫୋକସ୍ କରାଯାଇଥିଲା। ବୈଷୟିକ ସହଯୋଗ, ବିନିଯୋଗ, ସବୁଜ ଶକ୍ତି ଏବଂ ଆର୍କଟିକ୍ କ୍ଷେତ୍ରରେ ଗବେଷଣା ନେଇ ନାର୍ଡିକ ରାଷ୍ଟ୍ରମାନଙ୍କ ସହ ଭାରତର ନୂଆ ଚୁକ୍ତି ସ୍ବାକ୍ଷର ହୋଇଛି। ଉଲ୍ଲେଖଯୋଗ୍ୟ, ୨୦୧୮ରେ ସ୍ବିଡେନ୍ର ଷ୍ଟକ୍ହମ୍ରେ ପ୍ରଥମ ଭାରତ-ନାର୍ଡିକ ସମ୍ମିଳନୀ ହୋଇଥିଲା।
ଦ୍ବିତୀୟ ଭାରତ-ନାର୍ଡିକ ସମ୍ମିଳନୀ ପରେ ଏକ ମିଳିତ ବିବୃତି ଜାରି କରି କୁହାଯାଇଛି ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭାରତ ଏବଂ ନାର୍ଡିକ ରାଷ୍ଟ୍ରମାନଙ୍କ ମଧ୍ୟରେ ସହଯୋଗ ସୁଦୃଢ଼ କରିବା ଉପରେ ଗୁରୁତ୍ବାରୋପ କରିଛନ୍ତି। ୟୁକ୍ରେନ୍ ଯୁଦ୍ଧ ସମେତ ଆନ୍ତର୍ଜାତୀୟ ଶାନ୍ତି ଏବଂ ସୁରକ୍ଷା ପ୍ରସଙ୍ଗ, ବହୁପାକ୍ଷିକ ସହଯୋଗ, ଗ୍ରିନ୍ ଟ୍ରାନ୍ଜିସନ୍, ଜଳବାୟୁ ପରିବର୍ତ୍ତନ ଆଦି ପ୍ରସଙ୍ଗରେ ବିସ୍ତୃତ ଆଲୋଚନା ହୋଇଛି। ମୋଦୀ ଆଜି ତାଙ୍କ ଡେନମାର୍କ ଗସ୍ତ ଶେଷ କରିବା ପରେ ପ୍ୟାରିସ୍ ଗସ୍ତରେ ଯାଇ ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରନ୍ଙ୍କ ସହ ଆଲୋଚନା କରିଛନ୍ତି। ଭାରତ-ଫ୍ରାନ୍ସ ମଧ୍ୟରେ ପ୍ରତିନିଧିସ୍ତରୀୟ ଆଲୋଚନା ପୂର୍ବରୁ ମୋଦୀ-ମାକ୍ରନ୍ଙ୍କ ମଧ୍ୟରେ ଦ୍ବିପାକ୍ଷିକ ଓ ବୈଶ୍ବିକ ପ୍ରସଙ୍ଗରେ ଆଲୋଚନା ହୋଇଥିଲା।