ନୂଆଦିଲ୍ଲୀ:  ମହାକାଶକୁ ଉଡ଼ାଣ ଭରିଥିବା ଫାଲକନ୍-୯ ରକେଟ୍‌ରେ ସ୍ପେସ୍ଏକ୍ସ କ୍ରୁ ଡ୍ରାଗନ୍ ମହାକାଶଯାନରେ ଯାତ୍ରା କରୁଛନ୍ତି। ଏହା ହେଉଛି ସେହି ଲଞ୍ଚପ୍ୟାଡ୍ ଯେଉଁଥିରେ ନୀଲ୍‌ ଆର୍ମଷ୍ଟ୍ରଙ୍ଗ ୧୯୬୯ରେ ଆପୋଲୋ ୧୧ରେ ଚନ୍ଦ୍ର ଅଭିମୁଖେ ଉଡ଼ାଣ ଭରିଥିଲେ। ୧୯୮୪ ମସିହାରେ ୱିଙ୍ଗ୍ କମାଣ୍ଡର ରାକେଶ ଶର୍ମା ସୋଭିଏତ୍ ଅଭିଯାନର ଏକ ଅଂଶ ଭାବରେ ମହାକାଶ ଯାତ୍ରା କରିବାର ଚାରି ଦଶନ୍ଧି ପରେ ଗ୍ରୁପ୍ କ୍ୟାପ୍‌ଟେନ୍ ଶୁକ୍ଳା ହେଉଛନ୍ତି ମହାକାଶକୁ ଯାତ୍ରା କରୁଥିବା ଦ୍ୱିତୀୟ ଭାରତୀୟ ମହାକାଶଚାରୀ। ଭାରତୀୟ ବାୟୁସେନା ପାଇଲଟ୍ ସୁସ୍ଥ ରହିବା ପାଇଁ ଏକ ମାସରୁ ଅଧିକ ସମୟ ଧରି ସଙ୍ଗରୋଧରେ ରହିଥିଲେ।
ଏହି ଅଭିଯାନରେ ଗ୍ରୁପ୍ କ୍ୟାପ୍‌ଟେନ୍ ଶୁକ୍ଳାଙ୍କ ବ୍ୟତୀତ ପୋଲାଣ୍ଡର ବିଶେଷଜ୍ଞ ସ୍ଲାଓଜ ଉଜନାନସ୍କି-ୱିସ୍ନିଵସ୍କି, ହଙ୍ଗେରୀର ଟିବୋର କାପୁ ଏବଂ ଆମେରିକାର କମାଣ୍ଡର ପେଗି ହ୍ୱିଟସନ୍ ମହାକାଶଯାନରେ ଅଛନ୍ତି। ଆକ୍ସମ୍-୪ ମିସନ୍‌ର ୪ଜଣିଆ ଟିମ୍ ଅନ୍ତର୍ଜାତୀୟ ମହାକାଶ ଷ୍ଟେସନ ଅଭିମୁଖେ ଯାତ୍ରା କରୁଛନ୍ତି। ଏହି ଟିମ୍‌ ୧୪ ଦିନ ମହାକାଶ ଷ୍ଟେସନ୍‌ରେ ରହିବେ ଏବଂ ଏହି ଅଭିଯାନରେ ସେମାନେ ୬୦ଟି ବୈଜ୍ଞାନିକ ପରୀକ୍ଷଣ କରିବେ। ସେଥିମଧ୍ୟରୁ ୭ଟି ପ୍ରମୁଖ ପରୀକ୍ଷଣ ପାଇଁ ଭାରତୀୟ 
ଗବେଷକମାନେ ପ୍ରସ୍ତାବ ଦେଇଛନ୍ତି। ଗ୍ରୁପ୍ କ୍ୟାପ୍‌ଟେନ୍ ଶୁକ୍ଳା ମହାକାଶରୁ ଜଣେ ଭିଆଇପିଙ୍କ ସହ କଥାବାର୍ତ୍ତା କରିବାର ସମ୍ଭାବନା ରହିଛି। ପାଣିପାଗ ଓ ବୈଷୟିକ ତ୍ରୁଟି କାରଣରୁ ଆକ୍ସମ୍-୪ ଉତ୍‌କ୍ଷେପଣ ଏକାଧିକ ଥର ବିଳମ୍ବିତ ହୋଇଥିଲା। ଜୁନ୍ ୨୫ ହେଉଛି ‘ନାସା’ ଘୋଷଣା କରିଥିବା ଷଷ୍ଠ ତାରିଖ।
ନିକଟରେ ଏକ ସାମ୍ବାଦିକ ସମ୍ମିଳନୀରେ ଗ୍ରୁପ୍ କ୍ୟାପ୍‌ଟେନ୍ ଶୁକ୍ଳା କହିଥିଲେ, ମୁଁ ମୋ ସହ କେବଳ ଉପକରଣ ଓ ଯନ୍ତ୍ରପାତି ନେଉନାହିଁ, କୋଟି କୋଟି ହୃଦୟର ଆଶା ଓ ସ୍ୱପ୍ନକୁ ସାଙ୍ଗରେ ନେଇ ଯାଉଛି। ଏହି ଐତିହାସିକ ଯାତ୍ରାର କିଛି ଘଣ୍ଟା ପୂର୍ବରୁ ଗ୍ରୁପ୍ କ୍ୟାପଟେନ୍ ଶୁକ୍ଳା ତାଙ୍କ ପରିବାରକୁ ଏକ ବାର୍ତ୍ତା ପଠାଇଥିଲେ। ଯେଉଁଥି‌ରେ ସେ ଲେଖିଥିଲେ- ‘ଅପେକ୍ଷା କର, ମୁଁ ଆସୁଛି।’ ପାଖାପାଖି ୨୮ ଘଣ୍ଟାର କକ୍ଷପଥ ଯାତ୍ରା ପରେ ଆସନ୍ତାକାଲି ଅପରାହ୍ଣ ସାଢ଼େ ୪ଟାରେ ଅନ୍ତର୍ଜାତୀୟ ମହାକାଶ ଷ୍ଟେସନ୍‌ରେ ଆକ୍ସମ୍-୪ର କ୍ରୁ’ ସଦସ୍ୟମାନେ ଅବତରଣ କରିବାର କାର୍ଯ୍ୟକ୍ରମ ରହିଛି।