ନୂଆଦିଲ୍ଲୀ : ବିବାଦୀୟ ବ୍ରିଟିଶ ଡାଟା ଆନାଲିସିସ କମ୍ପାନି କେମ୍ବ୍ରିଜ ଆନାଲିଟିକା ଓ ଫେସବୁକକୁ ଦ୍ୱିତୀୟ ଥର ପାଇଁ ନୋଟିସ ପଠାଇଛନ୍ତି ଭାରତ ସରକାର । ଏଥର କେତେକ ବିଷୟ ଉପରେ ସବିଶେଷ ତଥ୍ୟ ମଗାଯାଇଛି । ଏହି ନୋଟିସରେ ଭାରତରେ କମ୍ପାନିର କାର୍ଯ୍ୟକଳାପ ସଂପର୍କରେ ସବିଶେଷ ସୂଚନା ଦେବାକୁ କୁହାଯାଇଛି । ଫେସବୁକଠାରୁ କେତେ ଲୋକଙ୍କ ବ୍ୟକ୍ତିଗତ ତଥ୍ୟ ଅଣାଯାଇ ବ୍ୟବହାର କରାଯାଇଛି ତାହା ମଧ୍ୟ କହିବାକୁ କୁହାଯାଇଛି । ବୁଧବାରଦିନ ଏହି ନୋଟିସ ପଠାଯାଇଥିବାବେଳେ ଆସନ୍ତା ମଇ ୧୦ ତାରିଖ ସୁଦ୍ଧା ଉତ୍ତର ଦେବାକୁ କୁହାଯାଇଛି ।

Advertisment

ପୂର୍ବରୁ ଗତ ମାର୍ଚ୍ଚରେ ଏହି ଦୁଇ କମ୍ପାନିକୁ ପ୍ରଥମ ନୋଟିସ ପଠାଇଥିଲେ ସରକାର । ଏଥିରେ ଭାରତୀୟ ନିର୍ବାଚନ ପ୍ରକ୍ରିୟାକୁ ଏହା ପ୍ରଭାବିତ କରିଥିଲା କିି ନା ସେ ସଂପର୍କରେ ମଧ୍ୟ ଜବାବ ମଗାଯାଇଥିଲା । ଫେସବୁକ ପକ୍ଷରୁ ଅନ୍ୟ କୌଣସି କମ୍ପାନିକୁ ଭାରତୀୟ ଲୋକମାନଙ୍କ ଡାଟା ପ୍ରଦାନ କରାଯାଇଥିଲା କି ନା ସେ ସମ୍ପର୍କରେ ମଧ୍ୟ ତଥ୍ୟ ମଗାଯାଇଥିଲା । ତେବେ ଏହାର ଉତ୍ତରରେ କେମ୍ବ୍ରିଜ ଆନାଲିଟିକା କହିଥିଲା ଯେ ଫେସବୁକଠାରୁ କୌଣସି ଡାଟା ଅଣାଯାଇନାହିଁ । ଭାରତୀୟ ନାଗରିକଙ୍କ କୌଣସି ଡାଟା କମ୍ପାନି ପାଖରେ ନାହିଁ । କିନ୍ତୁ ଫେସବୁକ ଡାଟା ଦିଆଯାଇଥିବା ବିଷୟ ମାନିଥିବାବେଳେ କେମ୍ବ୍ରିଜ ମାନୁ ନାହିଁ । ଏଣୁ ଆହୁରି ଅନୁସଂଧାନ ପାଇଁ ଆଜି ନୋଟିସ ପଠାଯାଇଥିବା ଜଣାଯାଇଛି ।

ଆହୁରି ମଧ୍ୟ ଡାଟାକୁ ସୁରକ୍ଷିତ ରଖିବା ପାଇଁ ଫେସବୁକ କଣ ପଦକ୍ଷେପ ନେଉଛି ସେ ସମ୍ପର୍କରେ ମଧ୍ୟ ଜଣାଇବାକୁ ଫେସବୁକକୁ କୁହାଯାଇଛି ବୋଲି ଭାରତ ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି ।