ସୋମବାର ଦିନ ସଂସଦରେ ଆରମ୍ଭ ହେବ ବଜେଟ୍‌ ଅଧିବେଶନର ଦ୍ୱିତୀୟ ଭାଗ: ବାଚସ୍ପତି ଓମ୍‌ ବିର୍ଲା

ନୂଆଦିଲ୍ଲୀ: ସମସ୍ତ କୋଭିଡ୍‌-୧୯ କଟକଣା ସହ ସୋମବାର (ମାର୍ଚ ୮) ଠାରୁ ସଂସଦରେ ବଜେଟ୍‌ ଅଧିବେଶନର ଦ୍ୱିତୀୟ ଭାଗ ଆରମ୍ଭ ହେବ ବୋଲି ଲୋକସଭାର ବାଚସ୍ପତି ଓମ୍‌ ବିର୍ଲା ଗଣମାଧ୍ୟମକୁ କହିଛନ୍ତି।

ବାଚସ୍ପିତି କହିଛନ୍ତି ଯେ, ରାଜ୍ୟସଭା ସକାଳ ୯ଟାରୁ ଅପରାହ୍ଣ ୨ଟା ପର୍ଯ୍ୟନ୍ତ ଚାଲିବାକୁ ଥିବା ବେଳେ ଅପରାହ୍ଣ ୪ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ଲୋକସଭା ଚାଲିବ। ଏପ୍ରିଲ୍‌ ୮ ତାରିଖ ଦିନ ଏହି ଅଧିବେଶନର ଦ୍ୱିତୀୟ ଭାଗ ଶେଷ ହେବ।

ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଅଭିଭାଷଣ ସହ ଜାନୁଆରି ୨୯ରେ ଆରମ୍ଭ ହୋଇଥିବା ସଂସଦର ବଜେଟ୍‌ ଅଧିବେଶନରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଫେବ୍ରୁଆରି ୧ ତାରିଖ ଦିନ କେନ୍ଦ୍ରୀୟ ବଜେଟ୍‌ ଉପସ୍ଥାପନ କରିଥିଲେ।

Image Courtesy of India TV News

ଦୁଇ ଭାଗ କରାଯାଇଥିବା ସଂସଦର ଏହି ବଜେଟ୍‌ ଅଧିବେଶନର ପ୍ରଥମ ଭାଗ ୯୯.୫% ଫଳପ୍ରଦ ହୋଇଥିବା କଥା ବାଚସ୍ପତି ବିର୍ଲା ସୂଚନା ଦେଇଛନ୍ତି। ୫୦ ଘଣ୍ଟା ଧାର୍ଯ୍ୟ କରାଯାଇଥିବା ୨୦୨୧ ବଜେଟ୍‌ ଅଧିବେଶନରେ ଲୋକସଭା ୪୯ ଘଣ୍ଟା ୧୭ ମିନିଟ୍‌ ଚାଲିଥିଲା ବୋଲି ସେ କହିଛନ୍ତି।

ରାଷ୍ଟ୍ରପତିଙ୍କ ଅଭିଭାଷଣ ପାଇଁ ଧନ୍ୟବାଦ ପ୍ରସ୍ତାବ ଏବଂ ବଜେଟ୍‌ ସମ୍ବନ୍ଧୀୟ ବିତର୍କରେ ସମୁଦାୟ ୪୯ଜଣ ମହିଳା ସାଂସଦ ଅଂଶଗ୍ରହଣ କରିଥିଲେ ବୋଲି ସେ କହିଛନ୍ତି।

ଏହାଛଡ଼ା, ପାର୍ଲାମେଣ୍ଟ୍‌ ପରିସରରେ ସାଂସଦମାନଙ୍କ ନିମନ୍ତେ ଏକ କୋଭିଡ୍‌-୧୯ ଟିକାକରଣ କେନ୍ଦ୍ର ମଧ୍ୟ ଖୋଲାଯାଇଛି ବୋଲି ଲୋକସଭା ବୁଲେଟିନ୍‌ରୁ ଜଣାପଡ଼ିଛି।

ସମ୍ବନ୍ଧିତ ଖବର