ନୂଆଦିଲ୍ଲୀ : ଆସନ୍ତାବର୍ଷ ମାର୍ଚ୍ଚରେ ନୂଆ ସଂସଦ ଭବନ ଉଦ୍‌ଘାଟନ ହୋଇପାରେ। ଏହି ସମୟରେ ଦ୍ବିତୀୟ ପର୍ଯ୍ୟାୟ ବଜେଟ ଅଧିବେଶନ ଆରମ୍ଭ ହେବ। ତେଣୁ ନୂଆ ସଂସଦ ଭବନରେ ବଜେଟ୍‌ ଅଧିବେଶନର ଦ୍ବିତୀୟ ଭାଗ ଆରମ୍ଭ ହେବ ବୋଲି ଏକ ବିଶେଷ ସୂତ୍ରରୁ ଜଣାପଡ଼ିଛି। ବଜେଟ୍ ଅଧିବେଶନ ସାଧାରଣତଃ ୨ ଭାଗରେ ହୋଇଥାଏ। ପ୍ରଥମ ପର୍ଯ୍ୟାୟ ବଜେଟ୍‌ ଅଧିବେଶନ ଜାନୁଆରି ୩୦ରୁ ୩୧ ମଧ୍ୟରେ ଆରମ୍ଭ ହୁଏ। ଫେବ୍ରୁଆରି ୧ରେ କେନ୍ଦ୍ର ବଜେଟ୍‌ ଉପସ୍ଥାପନ କରାଯାଏ। ପ୍ରଥମ ପର୍ଯ୍ୟାୟ ବ‌ଜେଟ ଅଧିବେଶନ ସାଧାରଣତଃ‌ ଫେବ୍ରୁଆ‌ରି ୮ ଏବଂ ୯ରେ ଶେଷ ହୁଏ। ତେବେ ମାର୍ଚ୍ଚ ଦ୍ବିତୀୟ ସପ୍ତାହରେ ଦ୍ବିତୀୟ ପର୍ଯ୍ୟାୟ ବଜେଟ ଅଧିବେଶନ ଆରମ୍ଭ ହୋଇ ମେ’ ମାସ ପର୍ଯ୍ୟନ୍ତ ଚାଲେ।

Advertisment

ଉଲ୍ଲେଖଯୋଗ୍ୟ, ଗତ ମାସ‌ରେ କେନ୍ଦ୍ର ଆବାସ ଏବଂ ସହରାଞ୍ଚଳ ବ୍ୟାପାର ମନ୍ତ୍ରୀ ହରଦୀପ ସିଂହ ପୁରୀ କହିଛନ୍ତି, ନୂଆ ସଂସଦ ଭବନର ନିର୍ମାଣ କାର୍ଯ୍ୟ ଦ୍ରୁତ ଗତିରେ କରାଯାଉଛି। ଡିସେମ୍ବର ୨୦୧୯ରେ ପ୍ରଧାନମନ୍ତ୍ରୀ ମୋଦୀ ନୂଆ ସଂସଦ ଭବନ କୋଠାର ଶିଳାନ୍ୟାସ କରିଥିଲେ। ଟାଟା ପ୍ରୋଜେକ୍ଟସ ଲିମିଟେଡ ଦ୍ବାରା ନୂଆ ବିଲ୍ଡିଂ ନିର୍ମାଣ ହେଉଛି।