ଆଜିଠୁ ଦ୍ବିତୀୟ ପର୍ଯ୍ୟାୟ ବଜେଟ ଅଧିବେଶନ

ନୂଆଦିଲ୍ଲୀ : ସଂସଦରେ ଦ୍ବିତୀୟ ପର୍ଯ୍ୟାୟ ବଜେଟ ଅଧିବେଶନ ସୋମବାର ଠାରୁ ଆରମ୍ଭ ହେବ। ଦ୍ବିତୀୟ ପର୍ଯ୍ୟାୟ ଅଧିବେଶନରେ ଅନେକ ଗୁରୁତ୍ବପୂର୍ଣ୍ଣ ବିଲ୍‌ ଗୃହୀତ ହେବାର କାର୍ଯ୍ୟକ୍ରମ ଅଛି। ପ୍ରାୟ ୨୬ଟି ବିଲ୍‌ ଏବେ ରାଜ୍ୟସଭାରେ ଏବଂ ୯ଟି ବିଲ୍‌ ଲୋକସଭାରେ ଗୃହୀତ ହେବାପାଇଁ ପଡ଼ି ରହିଛି। ୨ଟି ବିଲ୍‌ ତଥା ବହୁ ମଲ୍ଟି ଷ୍ଟେଟ୍‌ କୋଅପରେଟିଭ୍‌ (ସଂଶୋଧନ) ବିଲ୍‌-୨୦୨୨ ଏବଂ ଜନ ବିଶ୍ବାସ ( ବ୍ୟବସ୍ଥାବଳି ସଂଶୋଧନ ) ବିଲ୍‌ , ୨୦୨୨କୁ ଗତ ଶୀତ ଅଧିବେଶନରେ ସରକାରଙ୍କର ଏକ ଯୁଗ୍ମ କମିଟିକୁ ପଠାଯାଇଥିଲା। ଏହି ବିଲ୍‌କୁ କମିଟି ଦ୍ବାରା ଯାଞ୍ଚ କରାଯାଉଛି। ମଲ୍ଟି ଷ୍ଟେଟ୍‌ କୋଅପରେଟିଭ୍‌ ବିଲ୍‌ ସଂକ୍ରାନ୍ତରେ ଆଲୋଚନା କରିଥିବା‌ ସିପି ଯୋଶୀଙ୍କ ନେତୃତ୍ବାଧୀନ କମିଟି ଦ୍ବିତୀୟ ପର୍ଯ୍ୟାୟ ବଜେଟ୍‌ ଅଧିବେଶନରେ ଏହାର ରିପୋର୍ଟ ଦାଖଲ କରିବ।

ଦ୍ବିତୀୟ ପର୍ଯ୍ୟାୟ ବଜେଟ ଅଧିବେଶନ ମାର୍ଚ୍ଚ ୧୩ରେ ଆରମ୍ଭ ହୋଇ ଏପ୍ରିଲ ୬ରେ ଶେଷ ହେବ। ଦ୍ବିତୀୟ ପର୍ଯ୍ୟାୟ ଅଧିବେଶନ ଆରମ୍ଭ ହେବା ପୂର୍ବରୁ ବିରୋଧୀ ନେତାମାନେ ସୋମବାର ସକାଳେ ଏକ ବୈଠକ କରିବେ। ସକାଳ ପ୍ରାୟ ୧୦ଟା ସମୟରେ ସେମାନେ ରାଜ୍ୟସଭାରେ ବିରୋଧୀ ଦଳ ନେତା ମଲ୍ଲିକାର୍ଜୁନ ଖଡ଼ଗେଙ୍କୁ ଭେଟିବେ। ସରକାରଙ୍କ ଦ୍ବାରା କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥାର ଅପବ୍ୟବହାର, ଆଦାନି ଗ୍ରୁପ୍‌ ବିରୋଧରେ ଅଭିଯୋଗ, ଚୀନ୍‌ ସହ ସୀମା ବିବାଦ, ଦରବୃଦ୍ଧି ଏବଂ ବେକାରୀ ସମସ୍ୟା ଭଳି ବିଭିନ୍ନ ପ୍ରସଙ୍ଗ ବିରୋଧୀ ଉଠାଇବେ।

ସମ୍ବନ୍ଧିତ ଖବର