ନୂଆଦିଲ୍ଲୀ: ୨୮୮ ଆସନ ବିଶିଷ୍ଟ ମହାରାଷ୍ଟ୍ର ବିଧାନସଭା ଏବଂ ଝାଡ଼ଖଣ୍ଡ ବିଧାନସଭାର ୮୧ ଆସନ ମଧ୍ୟରୁ ଅବଶିଷ୍ଟ ୩୮ଟି ଆସନ ପାଇଁ ବୁଧବାର ମତଦାନ ହେବ। ୨୩ ତାରିଖ (ଶନିବାର) ଭୋଟ୍ ଗଣତି ହେବ ଏବଂ ଏହା ସୋମବାରଠାରୁ ଆରମ୍ଭ ହୋଇ ଡିସେମ୍ବର ୨୦ରେ ସରିବାକୁ ଥିବା ସଂସଦର ଶୀତକାଳୀନ ଅଧିବେଶନ ପାଇଁ ସ୍ୱର ନିର୍ଦ୍ଧାରଣ କରିପାରେ। ଉଭୟ ରାଜ୍ୟରେ ନିଜ ନିଜ ଆଦର୍ଶଗତ ପ୍ରସଙ୍ଗ ବ୍ୟତୀତ ମୁଖ୍ୟ ପ୍ରତିଦ୍ୱନ୍ଦ୍ୱୀମାନେ ପରସ୍ପର ସହ ପ୍ରତିଦ୍ୱନ୍ଦ୍ୱିତା କରି ମହିଳା, କୃଷକ ଓ ବେରୋଜଗାର ଯୁବକଙ୍କ ପାଇଁ ମାଗଣା ଦାନ ଓ କଲ୍ୟାଣକାରୀ ଯୋଜନାର ପ୍ରତିଶ୍ରୁତି ଦେଇଛନ୍ତି।
ଝାଡ଼ଖଣ୍ଡ: ଝାଡ଼ଖଣ୍ଡର ୪୩ଟି ଆସନ ପାଇଁ ନଭେମ୍ବର ୧୩ ତାରିଖରେ ପ୍ରଥମ ପର୍ଯ୍ୟାୟ ମତଦାନ ହୋଇଥିଲା। ସବୁଠାରୁ ଖାସ୍ କଥା ହେଲା ମହିଳାଙ୍କ ଅଧିକ ମତଦାନ। ନିର୍ବାଚନ ଆୟୋଗଙ୍କ ସୂଚନା ଅନୁଯାୟୀ, ମୋଟ ୬୬.୬୫ ପ୍ରତିଶତ ମତଦାନ ହୋଇଥିଲା, ଯାହା କି ୫ ବର୍ଷ ପୂର୍ବେ ଏହି ଆସନଗୁଡ଼ିକରେ ହୋଇଥିବା ମତଦାନ ତୁଳନାରେ ୨.୭୫ ପ୍ରତିଶତ ଅଧିକ।

Advertisment

୨୩ରେ ଗଣତି
ଫଳାଫଳ ସଂସଦର ଶୀତକାଳୀନ ଅଧିବେଶନକୁ ପ୍ରଭାବିତ କରିପାରେ

ପୁରୁଷ ଭୋଟର ୬୪.୨୭ ପ୍ରତିଶତ ଓ ୬୯.୦୪ ପ୍ରତିଶତ ମହିଳା ଭୋଟର ମତଦାନ କରିଥିଲେ। ଝାଡ଼ଖଣ୍ଡରେ ଶାସକ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା (ଜେଏମ୍ଏମ୍) ନେତୃତ୍ୱାଧୀନ ମେଣ୍ଟକୁ ପରାସ୍ତ କରିବାକୁ ହେଲେ ଭାରତୀୟ ଜନତା ପାର୍ଟି (ବିଜେପି) ନେତୃତ୍ୱାଧୀନ ମେଣ୍ଟ ପାଇଁ ଅନୁସୂଚିତ ଜନଜାତି (ଏସ୍‌ଟି) ଲାଗି ସଂରକ୍ଷିତ ୨୮ଟି ଆସନର ଫଳାଫଳ ଗୁରୁତ୍ୱପୂର୍ଣ୍ଣ ହେବ। ଏହି ସଂରକ୍ଷିତ ଆଦିବାସୀ ଆସନ ମଧ୍ୟରୁ ୨୦ଟିରେ ପ୍ରଥମ ପର୍ଯ୍ୟାୟରେ ମତଦାନ ହୋଇଥିଲା। ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନରେ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଜେଏମ୍ଏମ୍ ନେତା ଶିବୁ ସୋରେନଙ୍କ ପରିବାର ସଦସ୍ୟମାନେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ୪ଟି ଆସନରେ ମତଦାନ ହେବ। ଏଥିରେ ତାଙ୍କ ବୋହୂ ସୀତା ସୋରେନ ମଧ୍ୟ ଅଛନ୍ତି, ଯିଏ ବର୍ତ୍ତମାନ ଜାମତାରାରୁ ବିଜେପି ପ୍ରାର୍ଥୀ। ଶିବୁଙ୍କ ପୁଅ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ୨୦୧୪ରୁ ପ୍ରତିନିଧିତ୍ବ କରି ଆସୁଥିବା ବରହାଇତରୁ ନିର୍ବାଚନ ଲଢୁଛନ୍ତି। ହେମନ୍ତଙ୍କ ପତ୍ନୀ କଳ୍ପନା ଗିରିଡିହର ଗଣ୍ଡେ ଆସନରୁ ପ୍ରାର୍ଥୀ ହୋଇଛନ୍ତି। 

ମହାରାଷ୍ଟ୍ର: ବିରୋଧୀ ମହାବିକାଶ ଅଘାଡି (ଏମ୍‌ଭିଏ)  ଏବଂ ଶାସକ ମହାୟୁତି ମେଣ୍ଟ ପାଇଁ ଏହି ନିର୍ବାଚନର ପରିଣାମ ସେମାନଙ୍କ ଦଳ ଓ ମେଣ୍ଟର ଭାଗ୍ୟ ନିର୍ଣ୍ଣୟ କରିବ। ଏମ୍‌ଭିଏ ମେଣ୍ଟ ଜାତିଗତ ଜନଗଣନା ଏବଂ ରାଜ୍ୟ ଛାଡି ଗୁଜରାଟକୁ ଯାଇଥିବା ପ୍ରମୁଖ ପୁଞ୍ଜିନିବେଶ ପ୍ରକଳ୍ପଗୁଡିକୁ ମୁଖ୍ୟ ପ୍ରସଙ୍ଗ ଭାବରେ ଦର୍ଶାଇଛି। ଶାସକ ମହାଯୁତି ବିଶ୍ୱାସ କରେ ଯେ ମହିଳାଙ୍କ ପାଇଁ ମାସିକ ଭତ୍ତା ଓ  ଲଡକୀ ବହିନ ଯୋଜନା ଦ୍ବାରା ଏହା ସରକାର ବିରୋଧୀ ଅସନ୍ତୋଷର ମୁକାବିଲା କରିପାରିବ। ବିଜେପି ‘ବଟେଙ୍ଗେ ତୋ କଟେଙ୍ଗେ’ ଏବଂ ‘ଏକ ହୈ ତୋ ସେଫ୍ ହୈ’ ଭଳି ସ୍ଲୋଗାନ୍ ବ୍ୟବହାର କରିବା ପରେ ବିରୋଧୀ ଦଳଗୁଡ଼ିକ ମହାଯୁତି ଧାର୍ମିକ ଭିତ୍ତିରେ ଭୋଟରଙ୍କ ଧ୍ରୁବୀକରଣ କରୁଥିବା ଅଭିଯୋଗ ଆଣିଥିଲେ।   ବିଜେପି ୧୪୯, ଶିବସେନା ୮୧ ଏବଂ ଅଜିତ ପାୱାରଙ୍କ ନେତୃତ୍ୱାଧୀନ ଏନ୍‌ସିପି ୫୯ ଆସନରେ ନିର୍ବାଚନ ଲଢ଼ୁଛି। ଏମ୍‌ଭିଏ ପାଇଁ କଂଗ୍ରେସ ୧୦୧, ଶିବସେନା (ୟୁବିଟି) ୯୫ ଏବଂ ଏନ୍‌ସିପି (ଏସପି) ୮୬ ଜଣ ପ୍ରାର୍ଥୀ ଦେଇଛନ୍ତି। ମହାରାଷ୍ଟ୍ରରେ ସମୁଦାୟ ୯୭.୦୨ ନିୟୁତ ମତଦାତା ଅଛନ୍ତି।