ଗୁଜରାଟରେ ଦ୍ବିତୀୟ ପର୍ଯ୍ୟାୟ ଭୋଟ୍‌: ବିକାଶ ଅଭାବରୁ ଭୋଟ୍‌ ବର୍ଜନ କଲେ ୪ଟି ଗ୍ରାମ

ଅହମଦାବାଦ : ଗୁଜରାଟରେ ସୋମବାର ଦିନ ଦ୍ବିତୀୟ ପର୍ଯ୍ୟାୟ ବିଧାନସଭା ନିର୍ବାଚନ ପାଇଁ ଭୋଟ୍‌ ଗ୍ରହଣ ‌ହୋଇଛି। ତେବେ ଗୁଜରାଟର ମେହସନା ଜିଲ୍ଲାର ୪ଟି ଗ୍ରାମ ଭୋଟ୍‌ ବର୍ଜନ କରିଛନ୍ତି। ଗାଁରେ କୌଣସି ବିକାଶମୂଳକ କାର୍ଯ୍ୟ ‌ହେଉନଥିବାରୁ ଭୋଟରମାନେ ଭୋଟ୍‌ ବର୍ଜନ କରିଛନ୍ତି। ବେଚାରା‌ଜି ତାଲୁକାର ବରିୟାଫ ଗ୍ରାମ ଏବଂ ଖେରାଲୁ ତାଲୁକାର ୩ଟି ଗ୍ରାମ ବାସିନ୍ଦା ଦାବି କରିଛନ୍ତି ଯେ ଦୀର୍ଘ ଦଶନ୍ଧି ଧରି ସେମାନଙ୍କ ସମସ୍ୟାର କୌଣସି ସମାଧାନ ହୋଇପାରୁନି। ଏହ‌ି କାରଣ ପାଇଁ ସେମାନେ ଭୋଟ୍‌ ପ୍ରକ୍ରିୟା‌ରେ ଅଂଶଗ୍ରହଣ କରିନଥିବା କହିଛନ୍ତି।

ସୋମବାର ଅପରାହ୍ନ ୧ଟା ସୁଦ୍ଧା ଉକ୍ତ ୪ଟି ଗ୍ରାମରେ ଗୋଟିଏ ବି ମତଦାନ ହୋଇନଥିଲା। ବରିୟାଫ ଗ୍ରାମ ସରପଞ୍ଚ ରାଜୁ ପଟେଲ ଗଣମାଧ୍ୟମରେ ସୂଚନା ଦେଇ କହିଛନ୍ତି, ଦୀର୍ଘ ଦଶନ୍ଧି ଧରି ଗ୍ରାମରେ ଅନେକ ପ୍ରସଙ୍ଗକୁ ଅଣଦେଖା କରାଯାଇଛି। ବାରମ୍ବାର ସମସ୍ୟା ସଂକ୍ରାନ୍ତରେ ଅବଗତ କରାଇବା ସହ ବ୍ୟକ୍ତିଗତ ଅନୁରୋଧ କରାଯାଇଥିଲେ ମଧ୍ୟ କୌଣସି ସମସ୍ୟାର ସମାଧାନ ହୋଇପାରିନି। ୧୦୦୦ ଗ୍ରାମବାସୀଙ୍କ ପକ୍ଷରୁ ପଟେଲ କହିଛନ୍ତି, ଗ୍ରାମବାସୀମାନେ ଭୋଟ ବର୍ଜନ କରୁଛନ୍ତି। ପଟେଲ କହିଛନ୍ତି, ଯଦି ମେହସନା ଜିଲ୍ଲାପାଳ ଆମର ବିଭିନ୍ନ ପ୍ରସଙ୍ଗର ସମାଧାନ ପାଇଁ ଆମକୁ ଲିଖିତ ପ୍ରତିଶ୍ରୁତି ଦେବେ ତେବେ ଆମେ ଭୋଟ୍‌ ଦେବୁ। ଖେରାଲୁ ତଲୁକାର ବରେଥନା, ଦଲିସନା ଏବଂ ‌ଡାଭୋଲ ଗ୍ରାମ ଭୋଟ୍‌ ବର୍ଜନ କରିଛନ୍ତି।

ସମ୍ବନ୍ଧିତ ଖବର