ଆସନ୍ତାକାଲି ପଶ୍ଚିମବଙ୍ଗରେ ଦ୍ବିତୀୟ ପର୍ଯ୍ୟାୟ ଭୋଟ୍ : ନନ୍ଦୀଗ୍ରାମ ଭୋଟର କରିବେ ମମତା ଓ ଶୁଭେନ୍ଦୁଙ୍କ ଭାଗ୍ୟ ନିର୍ଦ୍ଧାରଣ

କୋଲକାତା: ଆସନ୍ତାକାଲି ପଶ୍ଚିମବଙ୍ଗରେ ଦ୍ୱିତୀୟ ପର୍ଯ୍ୟାୟ ମତଦାନ ହେବ । ପଶ୍ଚିମବଙ୍ଗ ରାଜନୀତିର ସବୁଠାରୁ ଅଧିକ ଚର୍ଚ୍ଚିତ ଆସନ ନନ୍ଦୀଗ୍ରାମରେ ଭୋଟ୍ ପଡିବ ଆସନ୍ତାକାଲି ।  ତୃଣମୂଳ ମୁଖ୍ୟ ମମତା ବାନାର୍ଜୀ ଓ  ବିଜେପି ପ୍ରାର୍ଥୀ ଶଭେନ୍ଦୁ ଅଧିକାରୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ନନ୍ଦୀଗ୍ରାମର ଭୋଟର । ମତଦାନର ଅବ୍ୟବହିତ ପୂର୍ବରୁ ଗୃହମନ୍ତ୍ରୀ ଅମିତ ଶାହ କହିଛନ୍ତି, ମମତାଙ୍କୁ ନନ୍ଦୀଗ୍ରାମରେ ହରାଇ ଦେଲେ ପଶ୍ଚିମବଙ୍ଗରେ ଆପେ ଆପେ ପରିବର୍ତ୍ତନ ଆସିଯିବ। ତେଣୁ ନନ୍ଦୀଗ୍ରାମବାସୀ ବିଜେପିକୁ ବିପୁଳ ସଂଖ୍ୟାରେ ଭୋଟ ଦିଅନ୍ତୁ। ଏହି କାରଣରୁ ନନ୍ଦୀଗ୍ରାମ ଏବେ ଉଭୟ ବିଜେପି ଓ ଟିଏମସି ପାଇଁ ପାଲଟିଛି ସମ୍ମାନର ପ୍ରଶ୍ନ । ମୋଟ୍ ୩୦ ଆସନ ପାଇଁ ଆସନ୍ତାକାଲି ଭୋଟ୍ ହେବାକୁ ଯାଉଥିଲେ ମଧ୍ୟ ସମସ୍ତଙ୍କ ନଜର ନନ୍ଦୀଗ୍ରାମ ଉପରେ ରହିଛି ।

ପଶ୍ଚିମବଙ୍ଗରେ ୮ଟି ପର୍ଯ୍ୟାୟର ମତଦାନରୁ ଏପ୍ରିଲ ୧ ତାରିଖରେ ୩୦ ଆସନରେ ହେବାକୁ ଯାଉଛି ମତଦାନ । ଏହି ପର୍ଯ୍ୟାୟରେ ପଶ୍ଚିମବଙ୍ଗର ୪ ଜିଲ୍ଲାର ୨୪ ପ୍ରଗଣା (୧) , ବାଙ୍କୁଡ଼ା(୨), ପଶ୍ଚିମ ମେଦିନପୁର(୨) ଏବଂ ପୂର୍ବ ମେଦିନାପୁର ଜିଲ୍ଲାରେ ହେବାକୁ ଯାଉଛି ମତଦାନ । ସକାଳ ୮ଟାରୁ ଅପରାହ୍ନ ୬ଟା ଯାଏଁ ଚାଲିବ ମତଦାନ । ପୁଲିଂ କେନ୍ଦ୍ରରେ ପହଞ୍ଚି ସାରିଲେଣି ପୁଲିଂ କର୍ମଚାରୀ ଓ ଅଧିକାରୀ । ଏସବୁ ଭିତରେ ହୁଗୁଳିରେ ଆଗାମୀ ପର୍ଯ୍ୟାୟ ମତଦାନ ପାଇଁ ପ୍ରଚାର ସମୟରେ ବିଜେପି ଅଧକ୍ଷ ଜେପି ନଡ୍ଡା କହିଛନ୍ତି ଏଥର ନନ୍ଦୀଗ୍ରାମରେ ହାରିବାକୁ ଯାଉଛନ୍ତି ଦିଦି । ଏହାରି ଭିତରେ ଗତକାଲି ମମତା ନିଜର ଗୋତ୍ର ଶାଣ୍ଡିଲ୍ୟ ବୋଲି କହି, ହିନ୍ଦୁ ଭୋଟରଙ୍କୁ ନିଜ ଆଡକୁ ଟାଣିବାକୁ ଉଦ୍ୟମ କରିଛନ୍ତି।

ମମତା ନିଜ ପାରମ୍ପରିକ ଆସନ ଭବାନୀପୁରକୁ ଛାଡି ଏଥର ନନ୍ଦୀଗ୍ରାମରୁ ନିର୍ବାଚନ ଲଢୁଛନ୍ତି । ବିଜେପି ଏହି ଆସନରୁ କଳେବଳେ କୌଶଳେ ଜିିତିବା ପାଇଁ ସ୍ୱତନ୍ତ୍ର ରଣନୀତି କରିଥିବା ବେଳେ ନିର୍ଣ୍ଣାୟକ ଲଢେଇ ପାଇଁ ପ୍ରସ୍ତୁତ ହେଉଛନ୍ତି ମମତା ବାନାର୍ଜୀ । ସେପଟେ ବିଜେପି ବି ଏଠାରେ ଜୋରଦାର ନିର୍ବାଚନୀ ପ୍ରଚାର କରିଛି ।

ସମ୍ବନ୍ଧିତ ଖବର