ଦ୍ବିତୀୟ ଥର ମୁଖ୍ୟମନ୍ତ୍ରୀ ହେବେ ହେମନ୍ତ ସୋରେନ୍

ରାଞ୍ଚି: ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା, କଂଗ୍ରେସ ଏବଂ ଆ‌‌ରଜେଡି ମେଣ୍ଟକୁ ଝାଡ଼ଖଣ୍ଡ ନିର୍ବାଚନରେ ସଫଳତା ମିଳିଛି। ଫଳରେ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚାର କାର୍ଯ୍ୟନିର୍ବାହୀ ସଭାପତି ହେମନ୍ତ ସୋରେନ୍ ଦ୍ବିତୀୟ ଥର ମୁଖ୍ୟମନ୍ତ୍ରୀ ହେବାକୁ ଯାଉଛନ୍ତି। ଝାଡ଼ଖଣ୍ଡର ଲୋକେ ଆମକୁ ଜନାଦେଶ ଦେଇଥିବାରୁ ଆମେ ଲୋକଙ୍କୁ ଧନ୍ୟବାଦ ଜଣାଉଛୁ। ରାଜ୍ୟ ପାଇଁ ଆଜିଠାରୁ ଏକ ନୂଆ ଅଧ୍ୟାୟ ଆରମ୍ଭ ହେବ ଏବଂ ଏହି ଅଧ୍ୟାୟ ଏକ ମାଇଲଖୁଣ୍ଟ ହେବ। ଝାଡ଼ଖଣ୍ଡ ଯେଉଁଥି ପାଇଁ ସୃଷ୍ଟି ହୋଇଥିଲା ସେହି ସ୍ବପ୍ନ ପୂରଣ କରିବା ସମୟ ଆସିଯାଇଛି ବୋଲି ସାମ୍ବାଦିକମାନଙ୍କୁ ଆଜି ସଂଧ୍ୟାରେ ହେମନ୍ତ କହିଛନ୍ତି। ୨୦୦୯ରୁ ୨୦୧୩ ପର୍ଯ୍ୟନ୍ତ ହେମନ୍ତ ରାଜ୍ୟର ଉପମୁଖ୍ୟମନ୍ତ୍ରୀ ଥିଲେ। ସେହି ସମୟରେ ବିଜେପିର ଅର୍ଜୁନ ମୁଣ୍ଡା ରାଜ୍ୟର ମୁଖ୍ୟମନ୍ତ୍ରୀ ରହିଥିଲେ। ସେତେବେଳେ ବିଜେପିକୁ ଜେଏମଏମ ସମର୍ଥନ କରୁଥିଲା। ତେବେ ୨୦୧୩ ଜାନୁଆରିରେ ଜେଏମଏମ ସମର୍ଥନ ପ୍ରତ୍ୟାହାର କରିନେବା ପରେ ସେଠାରେ ରାଷ୍ଟ୍ରପତି ଶାସନ ଜାରି ହୋଇଥିଲା। କିନ୍ତୁ ୬ ମାସ ପରେ ସେହି ବର୍ଷ ଜୁଲାଇରେ ହେମନ୍ତ ସୋରେନ୍ ଝାଡ଼ଖଣ୍ଡର ପଞ୍ଚମ ମୁଖ୍ୟମନ୍ତ୍ରୀ ହୋଇଥିଲେ। ୩୮ ବର୍ଷରେ ସେ ଦେଶର ସର୍ବକନିଷ୍ଠ ମୁଖ୍ୟମନ୍ତ୍ରୀ ହେବାର ଗୌରବ ଲାଭ କରିଥିଲେ। କିନ୍ତୁ ୨୦୧୪ ନିର୍ବାଚନରେ ତାଙ୍କ ଦଳ ପରାଜିତ ହୋଇଥିଲା ଏବଂ ବିଜେପି ବିଜୟ ଲାଭ କରିଥିଲା। ଫଳରେ ରଘୁବର ଦାସ ଝାଡ଼ଖଣ୍ଡର ମୁଖ୍ୟମନ୍ତ୍ରୀ ହୋଇଥିଲେ। ୨୦୦୦ ମସିହାରେ ଝାଡ଼ଖଣ୍ଡ ରାଜ୍ୟ ନୂଆକରି ଗଠନ ହୋଇଥିଲା। ସେବେଠାରୁ ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୯ଟି ସରକାର ଗଠନ ହୋଇଥିବାବେଳେ ୩ ଥର ରାଷ୍ଟ୍ରପତି ଶାସନ ଜାରି ହୋଇଛି।

ଦୁଇ ଆସନରେ ଜିତିଲେ
ନୂଆଦିଲ୍ଲୀ: ଜେଏମ୍‌ଏମ୍‌ (ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା) ନେତା ହେମନ୍ତ ସୋରେନ୍‌ ଝାଡ଼ଖଣ୍ଡର ମୁଖ୍ୟମନ୍ତ୍ରୀ ହେବାକୁ ଯାଉଛନ୍ତି। ଜେଏମ୍‌ଏମ୍‌ ପ୍ରତିଷ୍ଠାତା ଶିବୁ ସୋରେନ୍‌ଙ୍କ ପୁଅ ହେମନ୍ତ ସୋରେନ୍‌ ଝାଡ଼ଖଣ୍ଡର ଦୁମ୍‌କା ଏବଂ ବାରହେଟ୍‌ ଆସନରେ ନିର୍ବାଚନ ଲଢ଼ିଥିବାବେଳେ ସେ ଦୁଇଟି ଯାକ ଆସନରେ ଜିତିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ‌ଜେଏମ୍‌ଏମ୍‌ ନେତା ହେମନ୍ତ ସୋରେନ୍‌ ଏବଂ ଜେଏମ୍‌ଏମ୍‌-କଂଗ୍ରେସ-ଆରଜେଡି ମେଣ୍ଟକୁ ବିଜୟ ପାଇଁ ଶୁଭେଚ୍ଛା ଜଣାଇଛନ୍ତି। ହେମନ୍ତ ଦୁମ୍‌କାରେ ବିଜେପିର ଲୁଇସ ମାରାଣ୍ଡିଙ୍କୁ ହରାଇଛନ୍ତି ଏବଂ ବାରହେଟ୍‌ରେ ସିମନ ମାଲ୍‌ତୋଙ୍କୁ ହରାଇଛନ୍ତି। ସୋରେନ୍‌ଙ୍କୁ କଂଗ୍ରେସ-ଜେଏମ୍‌ଏମ୍‌-ଆରଜେଡି ମେଣ୍ଟ ଦ୍ବାରା ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ‌ ଘୋଷଣା କରାଯାଇଥିଲା। ଇସି ତଥ୍ୟ ଅନୁଯାୟୀ ୪୪ ବର୍ଷୀୟ ଜେଏମ୍‌ଏମ୍‌ ‌ନେତା ଦୁମ୍‌କା ନିର୍ବାଚନମଣ୍ଡଳୀରୁ ୧୩୧୮୮ ଭୋଟ୍‌ ବ୍ୟବଧାନରେ ଜିତିଥିବାବେଳେ ବାରହେଟ୍‌ ବିଧାନସଭା ନିର୍ବାଚନ ମଣ୍ଡଳୀରେ ୨୫୪୭୦ ଭୋଟ୍‌ ବ୍ୟବଧାନରେ ଜିତିଛନ୍ତି। ‌

ସମ୍ବନ୍ଧିତ ଖବର