ନୂଆଦିଲ୍ଲୀ: ସଂସଦର ଶୀତ ଅଧିବେଶନର ଦ୍ବିତୀୟ ସପ୍ତାହରେ ଓଡ଼ିଶା ସାଂସଦମାନେ ଆଲୋଚନାରେ ସକ୍ରିୟ ଅଂଶ ଗ୍ରହଣ କରିଥିଲେ। ବିଶେଷ କରି ବିଜେଡି ମହିଳା ସାଂସଦଙ୍କ ପ୍ରଦର୍ଶନ ସନ୍ତୋଷଜନକ ଥିଲା। ବିଜେଡି ମହିଳା ସାଂସଦ ଉଭୟ ଗୃହର ଶୂନ୍ୟକାଳ ଓ ବିଲ୍‌ ଆଲୋଚନାରେ ଭାଗ ନେଇଥିଲେ।
ଲୋକସଭା ଶୂନ୍ୟକାଳରେ ବିଜେଡି ମହିଳା ସାଂସଦ ଶର୍ମିଷ୍ଠା ସେଠୀ ଓ ମଂଜୁଲତା ମଣ୍ଡଳଙ୍କ ଦ୍ବାରା ବିଭିନ୍ନ ପ୍ରସଙ୍ଗ ଉପସ୍ଥାପନ କରାଯାଇଥିଲା। ସବୁଠାରୁ ଚର୍ଚ୍ଚାରେ ଥିଲେ ଆସିକା ବିଜେଡି ସାଂସଦ ପ୍ରମିଳା ବିଷୋୟୀ। ସେ

Advertisment

ଲୋକସଭାର ଶୂନ୍ୟକାଳରେ ‘ଦେଶବ୍ୟାପୀ ଏକ ଶକ୍ତିଶାଳୀ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ନେଟୱାର୍କ ଗଠନ’ ଓ ‘କରୋନା ମହାମାରୀ ସମୟରେ ମହିଳା ଶ୍ରମିକମାନଙ୍କ ଚାକିରି ହରାଇବା’ ପ୍ରସଙ୍ଗ ଉପସ୍ଥାପନ କରି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଏହି ଅବସରରେ ଲୋକସଭା ବାଚସ୍ପତି ଓମ ବିର୍ଲା ପ୍ରମିଳାଙ୍କୁ ଭୂରିଭୂରି ପ୍ରଶଂସା କରିଥିଲେ। ବିଜେଡି ସାଂସଦ ଚନ୍ଦ୍ରାଣୀ ମୁର୍ମୁ ‘ଦି ନାସନାଲ୍‌ ଇନଷ୍ଟିଚ୍ୟୁଟ ଅଫ୍‌ ଫର୍ମାସିଟିକାଲ ଏଜୁକେସନ ଆଣ୍ଡ୍‌ ରିସର୍ଚ ସଂଶୋଧନ ବିଧେୟକ’ ଆଲୋଚନାରେ ଅଂଶଗ୍ରହଣ କରି ଏହାକୁ ସମର୍ଥନ କରିଥିଲେ। ବିଜେଡି ମହିଳା ସାଂସଦ ମମତା ମହାନ୍ତ ରାଜ୍ୟସଭା ଶୂନ୍ୟକାଳ‌ରେ ପ୍ରସଙ୍ଗ ଉପସ୍ଥାପନ କରିବା ସହ ରାଜ୍ୟସଭାରେ ପାରିତ ‘ଆସିଷ୍ଟେଡ୍ ରିପ୍ରଡକ୍ଟିଭ୍ ଟେକ୍ନୋଲୋଜି (ରେଗୁଲେସନ)-ବିଲ୍ ୨୦୨୧’ରେ ଭାଗ ନେଇ ଏହାକୁ ସମର୍ଥନ କରିଥିଲେ।

କେନ୍ଦ୍ର ସରକାରଙ୍କ ଦ୍ବାରା ଆଗତ ବିଲ୍‌ଗୁଡ଼ିକୁ ପାରିତ କରାଯିବା ସମୟରେ ବିଜେଡି ସାଂସଦମାନେ ସିଧାସଳଖ ସମର୍ଥନ ନକରି କିଛି ଆପତ୍ତି ମଧ୍ୟ ଉଠାଇଥିଲେ। ହାଇକୋର୍ଟ ଓ ସୁପ୍ରିମକୋର୍ଟ ବିଚାରପତିମାନଙ୍କ ଦରମା ଏବଂ ସଂଶୋଧନ ବିଲ୍‌ ଆଲୋଚନାରେ ବି‌ଜେଡି ସାଂସଦ ପିନାକୀ ମିଶ୍ର ଭାଗ ନେଇଥିଲେ। ସେ ବିଲ୍‌ ଉପରେ ଚିନ୍ତାବ୍ୟକ୍ତ କରିବା ସହିତ ଏହାର ପୁନର୍ବିଚାର ପାଇଁ ପରାମର୍ଶ ଦେଇଥିଲେ। ବିଜେଡି ସାଂସଦ ଭର୍ତ୍ତୃହରି ମହତାବ ଏନ୍‌ଡିପିଏସ୍‌ ଆଇନ ସଂଶୋଧନ ବିଲକୁ ଆଗତ କରାଯିବା ସମୟରେ ଆପତ୍ତି ଉଠାଇଥିଲେ।

ବିଲ୍‌କୁ ଆଉ ଥରେ ପ୍ରସ୍ତୁତ କରି ଆଗତ କରିବା ପ‌ାଇଁ ସରକାରଙ୍କର ଦୃଷ୍ଟି ଆକର୍ଷଣ କରିଥିଲେ। ବିଜେପି ସାଂସଦ ସୁରେଶ ପୂଜାରୀ ହାଇକୋର୍ଟ ଓ ସୁପ୍ରିମକୋର୍ଟ ବିଚାରପତିମାନଙ୍କ ଦରମା ଏବଂ ସଂଶୋଧନ ବିଲ ଆଲୋଚନାରେ ଭାଗ ନେଇଥିଲେ। ସେ ଆଲୋଚନା କାଳରେ ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ବେଂଚ ସ୍ଥାପନ ପ୍ରସ୍ତାବକୁ ଦୃଢ଼ ଦାବି କରିଥିଲେ। ‌ଶୂନ୍ୟକାଳରେ ମଧ୍ୟ ସେ ବହୁ ଚର୍ଚ୍ଚିତ ମମିତା ମେହେର ହତ୍ୟାକାଣ୍ଡ ସହ ଅନ୍ୟ ତିନିଟି ମାମଲାର ସିବିଆଇ ତଦନ୍ତ ଦାବି କରିଥିଲେ।

ବିଜେଡି ସାଂସଦ ଶ୍ରୀ ମହତାବ ଲୋକସଭା ଶୂନ୍ୟକାଳରେ ‘ୟୁନିଫର୍ମ ସିଭିଲ୍‌ କୋଡ୍‌’ ଆଗତ ପା‌ଇଁ ଦାବି ଉପସ୍ଥାପନ କରିଥିଲେ। କଂଗ୍ରେସ ସାଂସଦ ସପ୍ତଗିରି ଉଲାକା ଭାରତମାଳା ଏକ୍ସପ୍ରେସ ହାଇୱେ ପ୍ରକଳ୍ପ କ୍ଷତିଗ୍ରସ୍ତଙ୍କୁ ଏକର ପିଛା ୩୦ ଲକ୍ଷ ଟଙ୍କା କ୍ଷତିପୂରଣ, କଂସାରୀଗୁଡ଼ା ଆଲୁମିନା ପ୍ରକଳ୍ପର କ୍ରିୟାନ୍ବୟନ ଆଦି ଦାବି ଲୋକସଭା ଶୂନ୍ୟକାଳରେ ଉପସ୍ଥାପନ କରିଥିଲେ। ସଂସଦ ଅଧିବେଶନର ଦ୍ବିତୀୟ ସପ୍ତାହରେ ‌ଓଡ଼ିଶାର ଲୋକସଭା ସାଂସଦମାନଙ୍କ ଦ୍ବାରା ୯୬ଟି ଓ ରାଜ୍ୟସଭା ସାଂସଦଙ୍କ ଦ୍ବାରା ୬୧ଟି ତାରକା ଓ ଅଣକାରକା ପ୍ରଶ୍ନ କରାଯାଇଥିଲା।