ରାଫେଲ ରାୟର ରିଭ୍ୟୁ ପିଟିସନ୍‌ରେ ଥିବା ଦଲିଲ୍‌ ଓ ଦସ୍ତାବିଜ୍‌ ସାର୍ବଜନୀନ ହେଲେ ଦେଶର ସୁରକ୍ଷା ବିପନ୍ନ ହେବ; ସୁପ୍ରିମ୍‌ କୋର୍ଟଙ୍କୁ କହିଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ: ରାଫେଲ ରାୟର ସମୀକ୍ଷା (ରିଭ୍ୟୁ) ନିମନ୍ତେ ସୁପ୍ରିମ୍‌ କୋର୍ଟରେ ଆଗତ କରା ଯାଇଥିବା ରିଭ୍ୟୁ ପିଟିସନ୍‌ରେ ଯେଉଁ ସମସ୍ତ ଦଲିଲ୍‌ ଓ ଦସ୍ତାବିଜ୍‌କୁ ସଂଲଗ୍ନ କରାଯାଇଛି ତାହା ସାର୍ବଜନୀନ ହେଲେ ଦେଶର ସୁରକ୍ଷା ଓ ପ୍ରତିରକ୍ଷା ଉପରେ ଘୋର ବିପଦ ସୃଷ୍ଟି କରିବ ବୋଲି ଆଜି କେନ୍ଦ୍ର ସରକାର ସୁପ୍ରିମ୍‌ କୋର୍ଟଙ୍କୁ କହିଛନ୍ତି।

କେନ୍ଦ୍ର ସରକାରଙ୍କ ପକ୍ଷରୁ ଆଟର୍ଣ୍ଣି ଜେନେରାଲ କେ କେ ବେନୁଗୋପାଲଙ୍କ ଦ୍ୱାରା ସୁପ୍ରିମ୍‌ କୋର୍ଟରେ ଆଜି ଆଗତ କରା ଯାଇଥିବା ଏକ ସତ୍ୟପାଠରେ କୁହାଯାଇଛି ଯେ ରାଫେଲ୍‌ ସଂପର୍କରେ ଆଗତ ମାମଲାର ଶୁଣାଣି କରି ସୁପ୍ରିମ୍‌ କୋର୍ଟ ଗତ ଡିସେମ୍ବର ମାସରେ ଯେଉଁ ରାୟ ଦେଇଥିଲେ ତାହାର ପୁନଃ ସମୀକ୍ଷା ପାଇଁ ଆବେଦନକାରୀ ସୁପ୍ରିମ୍‌ କୋର୍ଟରେ ଆଗତ କରିଥିବା ରିଭ୍ୟୁ ପିଟିସନରେ ଯେଉଁ ସମସ୍ତ ଦଲିଲ୍‌ ଓ ଦସ୍ତାବିଜ୍‌କୁ ସଂଲଗ୍ନ କରିଛନ୍ତି ସେସବୁ ହେଉଛି ପ୍ରତିରକ୍ଷା ମନ୍ତ୍ରାଳୟର ଅତ୍ୟନ୍ତ ଗୁପ୍ତ ଓ ଗୋପନୀୟ ଦଲିଲ୍‌। ଏସବୁ ଦଲିଲ୍‌ ଓ ଦସ୍ତାବିଜ୍‌ ସର୍ବସାଧାରଣରେ ପ୍ରକାଶ ପାଇଲେ ଦେଶର ସୁରକ୍ଷା ଓ ପ୍ରତିରକ୍ଷା ମନ୍ତ୍ରାଳୟର ଗୋପନୀୟତା ବିପନ୍ନ ହୋଇଯିବ। ସେଥିପାଇଁ ଏହି ସମସ୍ତ ଦଲିଲ୍‌ ଓ ଦସ୍ତାବିଜ୍‌କୁ ସଂପୃକ୍ତ ରିଭ୍ୟୁ ପିଟିସନରୁ ବାଦ ଦେବା ସହ ଏହାକୁ ଖାରଜ କରିଦେବା ପାଇଁ ସୁପ୍ରିମ୍‌ କୋର୍ଟଙ୍କୁ ଅନୁରୋଧ କରିଛନ୍ତି କେନ୍ଦ୍ର ସରକାର।

ସମ୍ବନ୍ଧିତ ଖବର