ଅହମଦାବାଦ: ବିମାନ ଦୁର୍ଘଟଣାରେ ବିଶ୍ବାସ କୁମାର ମୃତ୍ୟୁ ମୁହଁରୁ ବଞ୍ଚିଯିବା ପରେ ଏବେ ସେ ବସିଥିବା ସିଟ୍ ନଂକୁ ନେଇ ଭାରି ଜୋରରେ ଚର୍ଚ୍ଚା । କୁହାଯାଉଛି ସେହି ସିଟ୍ ନଂ ରମେଶଙ୍କ ପାଇଁ ଲକି ଆଉ ଲୋକେ ଏବେ ଉକ୍ତ ସିଟ ନମ୍ବରକୁ ନେଇ ଭାରି ଉତ୍ସାହୀ ଥିବା ବେଳେ କେହି କେହି ତ କହୁଛନ୍ତି ଆଗାମୀ ଦିନରେ ଉକ୍ତ ସିଟ ନଂରେ ଟିକେଟ୍ କାଟିବାକୁ ଯାତ୍ରୀ ଆଗ୍ରହ ଦେଖାଇ ପାରନ୍ତି । କାରଣ ସେହି ସିଟର ଚମତ୍କାର ଦେଖିଛି ପୂରା ବିଶ୍ବ ।
ସେପଟେ ସିଟ୍ ନଂ ୧୧-ଏରେ ଆଗକୁ ଯିଏ ଲଣ୍ଡନ ଯାତ୍ରା ପାଇଁ ଟିକେଟ୍ କାଟିବ ତାର ଅହମଦାବାଦ ଘଟଣା ସହ ବିଶ୍ବାସଙ୍କ ବର୍ତ୍ତିଯିବା କଥା ବି ମନେ ପଡିବ ବୋଲି ସୋସିଆଲ ମିଡିଆରେ ଚର୍ଚ୍ଚା ହେଉଛି ।
ତେବେ ରମେଶ କହିଛନ୍ତି,‘ ୧୧ ନମ୍ବର ସିଟରେ ବସିଥିବାରୁ ମୁଁ ଦ୍ବିତୀୟ ଜନ୍ମ ପାଇଛି ଭଳି ଲାଗୁଛି। ବିମାନର ବାମ ପାର୍ଶ୍ୱରେ ଜରୁରୀକାଳୀନ ଦ୍ୱାର ପାଖରେ ୧୧ଏ ପାଖରେ ବସିଥିଲି। ବିମାନ ଉଡ଼ାଣ ଭରିବା ପରେ ହଠାତ ଭାଙ୍ଗି ଯାଇଥିଲା । ଏହାପରେ ମୁଁ ସିଟରୁ ଝିଟିକି ତଳକୁ ପଡ଼ିଯାଇଥିଲି। ଫଳସ୍ବରୂପ ମୋ ଜୀବନ ରକ୍ଷା ପାଇଯାଇଥିଲା।’
ସିଟ୍ ନଂ ୧୧-ଏର ବିଶେଷତ୍ବ କଣ ?
ବିମାନର ବ୍ୟବସ୍ଥା ଅନୁସାରେ ସିଟ୍ ନଂ ୧୧-ଏ ଇକୋନୋମି କ୍ଲାସର ପ୍ରଥମ ଧାଡିରେ ଏବଂ ବିଜନେସ୍ କ୍ଲାସର ପଛରେ ଅବସ୍ଥିତ। ଏହା ବିମାନର ଝରକା ପାଖ ସିଟ୍ ସହ ଗେଟ୍ ପାଖକୁ ଥାଏ । ତେବେ ଏହି ଏପରି ଏକ ସ୍ଥାନରେ ରହିଛି ଯଦି କୌଣସି ଦୁର୍ଭାଗ୍ୟ ବଶତଃ ବିମାନଟି ଖସି ପଡ଼ୁଛି ତେବେ ସେହି ସମୟରେ ଯାତ୍ରୀଙ୍କ ବଞ୍ଚିବା ସମ୍ଭାବନା ଅନେକ ରହିଥାଏ ।
ରମେଶ ଆହୁରି ମଧ୍ଯ କହିଛନ୍ତି, ବିମାନଟି ବିସ୍ଫୋରଣ ପରେ ମୃତ୍ୟୁକୁ ସେ ଖୁବ ପାଖରୁ ଦେଖିଥିଲେ । କିଛି ସମୟ ପାଇଁ ସେ ଜୀବିତ ଥିବା ନେଇ ବିଶ୍ୱାସ କରିପାରିନଥିଲେ । ପରେ ପ୍ରଥମେ ସିଟ୍ ବେଲ୍ଟ ଖୋଲିଥିଲେ ଯେହେତୁ ତାଙ୍କ ସିଟ୍ ବିମାନ ଗେଟ୍ ପାଖରେ ଥିଲା, ସେ ଗୋଡ଼ରେ ଭାଙ୍ଗିଯାଇଥିବା ଗେଟକୁ ଠେଲିବାରୁ ଗେଟ୍ ଖୋଲିଯାଇଥିଲା । ପରେ ସେଠାରୁ ବାହାରିଆସିଥିଲେ । ବଡ଼ କଥା ହେଉଛି ରମେଶ ବିମାନର ଯେଉଁ ପାର୍ଶ୍ୱରେ ବସିଥିଲେ ସେହି ପଟ ଖୋଲାସ୍ଥାନରେ ପଡ଼ିଥିଲା । ଯାହା ତାଙ୍କ ବଞ୍ଚିବାର ପ୍ରମୁଖ କାରଣ ବୋଲି କୁହାଯାଉଛି ।
ତେବେ ରମେଶଙ୍କ ଶରୀରରେ ବିଭିନ୍ନ ସ୍ଥାନରେ ଗୁରୁତର ଆଘାତ ଲାଗିଛି, କିନ୍ତୁ ସେ ବିପଦମୁକ୍ତ ଅଛନ୍ତି । ଏହାରି ଭିତରେ ହସ୍ପିଟାଲ ଯାଇ ରମେଶଙ୍କୁ ଭେଟିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଗୃହମନ୍ତ୍ରୀ ଅମିତ ଶାହା । କେମିତି ଘଟିଲା ଦୁର୍ଘଟଣା ସେନେଇ ପଚାରି ବୁଝିଛନ୍ତି ପ୍ରଧାନମନ୍ତ୍ରୀ ।