ସୀମାରେ ପାକ୍‌ ନିର୍ମିତ ଗୁପ୍ତ ସୁଡ଼ଙ୍ଗକୁ ଠାବ କଲା ବିଏସ୍‌ଏଫ୍‌; ପାକିସ୍ତାନୀ ସେନା ଓ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ଙ୍କ ଖୋଲିଗଲା ମୁଖା

ନୂଆଦିଲ୍ଲୀ: ଭାରତ-ପାକ୍‌ ସୀମାନ୍ତରେ ଆଜି (ବୁଧବାର) ଭାରତୀୟ ସୀମା ସୁରକ୍ଷା ବଳ (ବିଏସ୍‌ଏଫ୍‌)ର ଯବାନମାନେ ପାକିସ୍ତାନ ଦ୍ୱାରା ନିର୍ମିିତ ହୋଇଥିବା ଏକ ଗୁପ୍ତ ସୁଡ଼ଙ୍ଗକୁ ଠାବ କରିଛନ୍ତି। ଏହି ଘଟଣାପରେ ଏବେ ପାକିସ୍ତାନୀ ସେନା ଓ ପାକ୍‌ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ଙ୍କର ଅସଲ ମୁଖା ଖୋଲି ଯାଇଛି। କାରଣ, ଏଇ ଗୁପ୍ତ ସୁଡ଼ଙ୍ଗ ବାଟେ ପାକିସ୍ତାନରେ ତାଲିମପ୍ରାପ୍ତ ଆତଙ୍କବାଦୀମାନଙ୍କୁ ଜମ୍ମୁ-କଶ୍ମୀରକୁ ପଠାଇ ସେଠାରେ ଅସ୍ଥିରତା ସୃଷ୍ଟି କରିବା ଲକ୍ଷ୍ୟରେ ରହିଥିଲା ପାକ୍‌ ଆଇଏସ୍‌ଆଇ। ଉଲ୍ଲେଖଯୋଗ୍ୟ, ଏହା ପୂର୍ବରୁ ଗତ ନଭେମ୍ବର ମାସରେ ପାକ୍‌ ନିର୍ମିତ ଏହପରି ଆଉ ଏକ ଗୁପ୍ତ ସୁଡ଼ଙ୍ଗକୁ ସୀମାନ୍ତରେ ଖୋଜି ବାହାର କରିଥିଲା ଭାରତୀୟ ବିଏସ୍‌ଏଫ୍‌।

ଆଜି ଦ୍ୱିତୀୟ ସୁଡ଼ଙ୍ଗକୁ ଠାବ କରିବା ପରେ ସୀମା ସୁରକ୍ଷା ବଳ ଜାତୀୟ ସୁରକ୍ଷା ପ୍ରତିଷ୍ଠାନକୁ କହିଛନ୍ତି ଯେ ନଭେମ୍ବରରେ ମିଳିଥିବା ଅଣ୍ଡରଗ୍ରାଉଣ୍ଡ ଟନେଲ (ସୁଡ଼ଙ୍ଗ) ପରି ଏଇ ସୁଡ଼ଙ୍ଗଟି ମଧ୍ୟ ତାଲିମପ୍ରାପ୍ତ ଆତଙ୍କବାଦୀଙ୍କୁ ଭାରତ ମଧ୍ୟକୁ ଅନୁପ୍ରବେଶ କରାଇବା ଉଦ୍ଦେଶ୍ୟରେ ପାକିସ୍ତାନୀ ସେନାର ଏକ ବୃତ୍ତିଗତ ଇଞ୍ଜିନିୟରିଂ ପ୍ରୟାସ ଥିଲା। ଏହି ସୁଡ଼ଙ୍ଗ ମଧ୍ୟକୁ ପ୍ରବେଶ ଦ୍ୱାର ଶୂନ୍ୟ ଲାଇନ (ଜିରୋ ଲାଇନ) ଠାରୁ ପ୍ରାୟ ୩୦୦ ଫୁଟ ଦୂରରେ ଭାରତୀୟ ପାର୍ଶ୍ୱରେ ଥିବା ବାଡ଼ଠାରୁ ପ୍ରାୟ ୬୫ ଫୁଟ ଦୂରରେ ରହିଥିଲା। ସୀମା ସୁରକ୍ଷା ବଳର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ ୩ ଫୁଟ ଚଉଡା ବିଶିଷ୍ଟ ଏହି ସୁଡ଼ଙ୍ଗ ୨୫ ରୁ ୩୦ ଫୁଟ ଗଭୀରତାରେ ନିର୍ମିତ ହୋଇଥିବା ଜଣାପଡ଼ିିଛି।

News Nation

ଏହି ସୁଡ଼ଙ୍ଗର ଅତ୍ୟାଧୁନିକତାକୁ ଦୃଷ୍ଟିରେ ରଖି ଆମେ ଅନୁଭବ କରିଛୁ ଯେ ପାକିସ୍ତାନୀ ସେନା ଏକ ନୂତନ ଅନୁପ୍ରବେଶ ମାର୍ଗ ସୃଷ୍ଟି କରି ସୀମାପାର ଆତଙ୍କବାଦୀଙ୍କ ଏକ ସ୍ୱତନ୍ତ୍ର ଦଳ ଗଠନ କର ଭାରତ ମଧ୍ୟକୁ ଅନୁପ୍ରବେଶ କରାଇବାର ଯୋଜନାରେ ଥିଲା। ବିଏସଏଫର ୧୭୩ ବାଟାଲିୟନର ଆଣ୍ଟି-ଟନେଲିଂ ପାର୍ଟି ଜମ୍ମୁ ଅଞ୍ଚଳର କାଥୁଆ ଜିଲ୍ଲା ଅନ୍ତର୍ଗତ ଭାରତୀୟ ପାର୍ଶ୍ୱରେ ଏହି ସୁଡ଼ଙ୍ଗକୁ ଠାବ କରିଛି। ଭାରତୀୟ ପାର୍ଶ୍ୱରେ ଥିବା ସୁଡ଼ଙ୍ଗର ପ୍ରସ୍ଥାନ ଦ୍ୱାର ‘ମେଡ ଇନ୍‌ ପାକିସ୍ତାନ’ ବାଲୁକା ବ୍ୟାଗ (ସୋର୍ସଡ୍‌) ଦ୍ୱାରା ନିର୍ମିତ ହୋଇଛି।

ନୂଆଦିଲ୍ଲୀର ଜଣେ ପ୍ରତିରକ୍ଷା ଅଧିକାରୀ କହିଛନ୍ତି ଯେ ସୁଡ଼ଙ୍ଗ ମଧ୍ୟରେ ରହି ଅସ୍ତ୍ରବିରତି ଉଲ୍ଲଂଘନ କରି ସେହି ସମୟରେ ଆତଙ୍କବାଦୀଙ୍କୁ ଭାରତ ମଧ୍ୟକୁ ଅନୁପ୍ରବେଶ କରାଇବା ପାକିସ୍ତାନୀ ରେଞ୍ଜର୍ସଙ୍କର ଏକ ପୁରୁଣା କୌଶଳ। ୨୦୨୦ରେ ପାକିସ୍ତାନ ପକ୍ଷରୁ ୯୩୦ ଥର ଅସ୍ତ୍ରବିରତି ଉଲ୍ଲଂଘନ ହେବାର ନଜିର ରହିଛି, ଯାହା ପୂର୍ବ ବର୍ଷର ରେକର୍ଡ ୬୦୫ ତୁଳନାରେ ୫୪% ଅଧିକ।

ସମ୍ବନ୍ଧିତ ଖବର