ନୂଆଦିଲ୍ଲୀ : ଆସନ୍ତାକାଲି ବହୁଚର୍ଚ୍ଚିତ ଧାରା ୩୭୭ ପ୍ରସଙ୍ଗରେ ସୁପ୍ରିମ୍କୋର୍ଟରେ ହେବ ଗୁରୁତ୍ୱପୂର୍ଣ୍ଣ ଶୁଣାଣି। ଏହି ଧାରାରେ ସମଲିଙ୍ଗୀ ସମ୍ପର୍କକୁ ଅପରାଧ ବିବେଚନା କରାଯାଉଥିବା ବେଳେ ଏହାକୁ ବିରୋଧ କରି ସୁପ୍ରିମ୍କୋର୍ଟଙ୍କ ନିକଟରେ ହୋଇଥିବା ଆବେଦନର ବିଚାର କରାଯିବ। ତେବେ ଏ ନେଇ ଜବାବ ରଖିବାକୁ ଅଧିକ ସମୟ ଦେବା ଲାଗି କେନ୍ଦ୍ର ସରକାରଙ୍କ ପକ୍ଷରୁ ହୋଇଥିବା ଏକ ଆବେଦନକୁ ସର୍ବୋଚ୍ଚ ଅଦାଲତ ଆଜି ଖାରଜ କରିଦେଇଛନ୍ତି। କୌଣସିମତେ ଏହି ଶୁଣାଣିକୁ ଆଉ ବିଳମ୍ବ କରାଯାଇ ପାରିବ ନାହିଁ ବୋଲି ପ୍ରଧାନ ବିଚାରପତି ଦୀପକ ମିଶ୍ରଙ୍କ ଖଣ୍ଡପୀଠ ଦର୍ଶାଇବା ସହ କେନ୍ଦ୍ର ଅନୁରୋଧକୁ ଅଗ୍ରାହ୍ୟ କରିଦେଇଛନ୍ତି। ଏହାପରେ ମାମଲାର ଶୁଣାଣି ମଙ୍ଗଳବାର ହେବ ବୋଲି ଧାର୍ଯ୍ୟ କରାଯାଇଛି।
ଉଲ୍ଲେଖଯୋଗ୍ୟ, ୨୦୦୯ରେ ହୋଇଥିବା ଏକ ଆବେଦନର ବିଚାର କରି ଦିଲ୍ଲୀ ହାଇକୋର୍ଟ ସମଲିଙ୍ଗୀ ସମ୍ପର୍କକୁ ଆଇନସମ୍ମତ କରିବା ସପକ୍ଷରେ ରାୟ ଦେଇଥିଲେ। କିନ୍ତୁ ୨୦୧୩ରେ ପୁଣି ଅନ୍ୟ ଏକ ଆବେଦନର ଶୁଣାଣି କରି ସୁପ୍ରିମ୍କୋର୍ଟ ଦିଲ୍ଲୀ ହାଇକୋର୍ଟଙ୍କ ରାୟକୁ ବାତିଲ କରିଦେଇଥିଲେ। ଧାରା ୩୭୭ରେ ରହିଥିବା ବ୍ୟବସ୍ଥାକୁ ଆଧାର କରି ଏହାକୁ ଅପରାଧ ବୋଲି ବିବେଚନା କରାଯିବ ବୋଲି ସ୍ପଷ୍ଟ କରିଥିଲେ। ତେବେ ପରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଏହାକୁ ଚାଲେଞ୍ଜ୍ କରାଯାଇଥିଲା। ଏହାବ୍ୟତୀତ ମଙ୍ଗଳବାର ହେବାକୁ ଥିବା ଶୁଣାଣିକୁ ସ୍ଥଗିତ ରଖି ଜବାବ ଦାଖଲ କରିବା ଲାଗି ଅଧିକ ସମୟ ଦେବାକୁ କେନ୍ଦ୍ର ଆବେଦନ କରିଥିଲା। ଆଇପିସି ଧାରା ୩୭୭ରେ ରହିଥିବା ବ୍ୟବସ୍ଥା ଅନୁସାରେ କୌଣସି ପୁରୁଷ, ମହିଳା କିମ୍ବା ପ୍ରାଣୀ ସହିତ ଅପ୍ରାକୃତିକ ଯୌନ ସମ୍ପର୍କ ସ୍ଥାପନ କଲେ ଏହାକୁ ଅପରାଧ ବୋଲି ବିବେଚନା କରାଯିବ। ଏଥିରେ ଜଡ଼ିତ ହୋଇ ଦୋଷୀ ପ୍ରମାଣିତ ହେଲେ ସମ୍ପୃକ୍ତ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡ ମିଳିବ ବୋଲି ବ୍ୟବସ୍ଥା ରହିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/07/sc.jpg)