ଅଯୋଧ୍ୟାରେ ଜମା ହେଉଛନ୍ତି ଶିବସେନା ଓ ବିଶ୍ୱ ହିନ୍ଦୁ ପରିଷଦ କର୍ମୀ; ରାମଜନ୍ମଭୂମି ପରିସରରେ ୧୪୪ ଧାରା ଜାରି, ୭୦,୦୦୦ ସୁରକ୍ଷା କର୍ମୀ ନିୟୋଜିତ

ନୂଆଦିଲ୍ଲୀ: ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ଦାବି ଜୋର ଧରିବା ସହ ଏଥିଲାଗି ଶକ୍ତି ପ୍ରଦର୍ଶନ ଆରମ୍ଭ ହୋଇଯାଇଛି। ଆସନ୍ତା କାଲି ଶିବସେନା ଓ ବିଶ୍ୱ ହିନ୍ଦୁ ପରିଷଦ ପକ୍ଷରୁ ଦୁଇଟି ବିଶାଳ କାର୍ଯ୍ୟକ୍ରମ ଅଯୋଧ୍ୟାରେ ଅନୁଷ୍ଠିତ ହେଉଛି। ଏହି ଦୁଇଟି କାର୍ଯ୍ୟକ୍ରମରେ ଲକ୍ଷାଧିକ ଲୋକଙ୍କ ସମାଗମ ହେବାର ସମ୍ଭାବନା ଥିବାରୁ ଫୈଜାବାଦ୍‌ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ରାମଜନ୍ମଭୂମି-ବାଦ୍ରୀ ମସ୍‌ଜିଦ୍‌ ପରିସରରେ ୧୪୪ ଧାରା ଜାରି କରାଯାଇଛି। ଏଥିଲାଗି ପ୍ରାୟ ୭୦,୦୦୦ ସୁରକ୍ଷା କର୍ମୀ ନିୟୋଜିତ ହୋଇଛନ୍ତି। ବିଭିନ୍ନ ସ୍ତରରେ ସୁରକ୍ଷା ବ୍ୟବସ୍ଥା କରାଯାଇଛି।

ଶିବସେନା ମୁଖ୍ୟ ଉଦ୍ଧବ ଥାକ୍‌ରେ ଦୁଇଦିନିଆ ଗସ୍ତରେ ଆସି ଅଯୋଧ୍ୟରେ ପହଞ୍ଚିଛନ୍ତି। ସେ ରାମଜନ୍ମଭୂମିକୁ ଯାଇ ରାମ୍‌ଲାଲାଙ୍କ ନିକଟରେ ପୂଜାର୍ଚ୍ଚନା ଓ ଆରତି କରିବେ। ଏଥିସହ ସେ ପୁଣେର ଶିବନେରି ଦୁର୍ଗରୁ ଆଣିଥିବା ମାଟିକୁ ରାମଲାଲାଙ୍କ ପୂଜକଙ୍କୁ ହସ୍ତାନ୍ତର କରିବେ। ଏହାପରେ ସେ ସମାଗତ ସାଧୁସନ୍ଥଙ୍କ ସହ ରାମ ମନ୍ଦିର ନେଇ ଆଲୋଚନା କରିବେ। ଇତିମଧ୍ୟରେ ଏହି କାର୍ଯ୍ୟକ୍ରମ ଲାଗି ୨୫,୦୦୦ ଶିବସେନା କର୍ମୀ ସ୍ୱତନ୍ତ୍ର ଟ୍ରେନ୍‌ ଯୋଗେ ଅଯୋଧ୍ୟା ପହଞ୍ଚିଛନ୍ତି।

ସେହିପରି ରବିବାର ବିଶ୍ୱ ହିନ୍ଦୁ ପରିଷଦ ପକ୍ଷରୁ ‘ଧାରଣା ସଂସଦ’ର ଆୟୋଜନ ହୋଇଛି। ଏଥିରେ ଦେଶର କୋଣ ଅନୁକୋଣରୁ ଆସିଥିବା ଲକ୍ଷାଧିକ ସାଧୁ ସନ୍ଥ ଓ ହିନ୍ଦୁ ସଂଗଠନ କର୍ମକର୍ତ୍ତା ଯୋଗ ଦେବେ । ଏହି ଧାରଣା ସଂସଦରେ ରାମ ମନ୍ଦିର ନିର୍ମାଣ ଦେଖି ଭବିଷ୍ୟତ କାର୍ଯ୍ୟପନ୍ଥା ନିର୍ଦ୍ଧାରଣ କରାଯିବ। କୁହାଯାଉଛି କି ୧୯୯୨ ମସିହା ପରେ ଏହା ହେଉଛି ସବୁଠାରୁ ବଡ଼ ଜନ ସମାବେଶ।
ଗଣ୍ଡଗୋଳର ଆଶଙ୍କାରେ ଫୈଜାବାଦ୍‌ ପ୍ରଶାସନ ପକ୍ଷରୁ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ଅଯୋଧ୍ୟାରେ ଚାପା ଉତ୍ତେଜନା ଲାଗି ରହିଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର