ନୂଆଦିଲ୍ଲୀ: କେନ୍ଦ୍ର ସରକାର ୨୦୦୯ର ସୂଚନା ଓ ପ୍ରଯୁକ୍ତି ଆଇନର ଧାରା ୬୯(୧) ଆଧାରରେ ୧୦ଟି ତଦନ୍ତକାରୀ ସଂସ୍ଥାକୁ କମ୍ପ୍ୟୁଟର୍ ଉପରେ ନଜର ରଖିବା ପାଇଁ କ୍ଷମତାପନ୍ନ କରିବା ପରେ ବ୍ୟକ୍ତିଗତ ଗୋପନୀୟତା ଉଲ୍ଲଂଘନ ନେଇ ଏବେ ବିଭିନ୍ନ ମହଲ ଉଦ୍ବେଗ ପ୍ରକାଶ କରିଛନ୍ତି। କମ୍ପ୍ୟୁଟର୍ ଡାଟା ଅକ୍ତିଆର, ଅନୁଶୀଳନ ଓ ଅଧ୍ୟୟନ କରିବା ପାଇଁ ଏ ବାବଦ ସରକାରୀ ନିର୍ଦ୍ଦେଶ ସାଧାରଣ ଜନତାଙ୍କ ମଧ୍ୟରେ ବି ନାନା ଆଶଙ୍କା ସୃଷ୍ଟି କରିଛି। ସୁପ୍ରିମ୍ କୋର୍ଟର ଐତିହାସିକ ବ୍ୟକ୍ତିଗତ ଗୋପନୀୟତା ରାୟକୁ ଆଧାର କରି ଏଭଳି ଆଦେଶନାମା ପ୍ରତ୍ୟାହାର ହେବା ଉଚିତ ବୋଲି ବିଶେଷଜ୍ଞମାନେ କହିଛନ୍ତି। ସରକାର ଏ ଦିଗରେ ଅଧିକ ବିଚାରବିମର୍ଶ ନକରି କେବଳ ୨୦୦୯ର ଆଇନକୁ ପୁନରାବୃତ୍ତି କରିବା ଦ୍ବାରା ବ୍ୟକ୍ତିଗତ ଡିଜିଟାଲ୍ ଗୋପନୀୟତା ଉପରେ ପ୍ରହାର ହୋଇଛି। ଏହି ଆଇନର ଉଦ୍ଦେଶ୍ୟ, ପ୍ରକ୍ରିୟା ଏବଂ ତଦନ୍ତ ପରିସରକୁ ସ୍ପଷ୍ଟ ନକରି କେବଳ ଉପରଠାଉରିଆ ଭାବେ ଆଦେଶ ଜାରି କରାଯିବା ଭୁଲ ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି।
ଅଗଷ୍ଟ ୨୦୧୭ରେ ସୁପ୍ରିମ୍ କୋର୍ଟ ଏକ ରାୟରେ କହିଥିଲେ, ବ୍ୟକ୍ତିଗତ ଗୋପନୀୟତା ପ୍ରତ୍ୟେକ ନାଗରିକଙ୍କ ମୌଳିକ ଅଧିକାର। ଏହି ଅଧିକାରକୁ ସୁରକ୍ଷିତ ରଖିବା ପାଇଁ ସମ୍ବିଧାନରେ ବ୍ୟବସ୍ଥା ରହିଛି। ସୂଚନା ପ୍ରଯୁକ୍ତି ଆଇନ ୨୦୦୯ରେ କମ୍ପ୍ୟୁଟର୍ର ସଂଜ୍ଞା ନିରୂପଣ କରି କୁହାଯାଇଛି ଯେ ଏହା ଏକ ବୈଦ୍ୟୁତିକ, ଚୁମ୍ବକୀୟ, ଅପ୍ଟିକାଲ୍ ତଥା ଡାଟା ପ୍ରୋସେସିଂ ମାଧ୍ୟମ। ସ୍ମାର୍ଟଫୋନ୍, ଡାଟା ସେଣ୍ଟର ମଧ୍ୟ ଏହି ସମାନ ଶ୍ରେଣୀରେ ଅନ୍ତର୍ଭୁକ୍ତ। ବିଶେଷଜ୍ଞମାନେ କହିଛନ୍ତି ଯେ ତଦନ୍ତକାରୀ ସଂସ୍ଥାମାନଙ୍କୁ ଯେ କୌଣସି ବ୍ୟକ୍ତିର କମ୍ପ୍ୟୁଟର୍ ଉପରେ ନଜର ରଖିବା ପାଇଁ ଯେଉଁ କ୍ଷମତା ଦିଆଯାଇଛି, ତାହା ଗୋପନୀୟତା ଉଲ୍ଲଂଘନର ରାସ୍ତା ପ୍ରଶସ୍ତ କରିଦେବ। ସାଇବର ଆଇନ ବିଶେଷଜ୍ଞ ପ୍ରଶାନ୍ତ ମାଲିଙ୍କ କହିବାନୁଯାୟୀ ଜାତୀୟ ନିରାପତ୍ତା ଆଳରେ ନାଗରିକଙ୍କ ବ୍ୟକ୍ତିଗତ ଡାଟା ଉପରେ ନଜର ରଖିବା ପାଇଁ ପୂର୍ବରୁ କେବେ ନିର୍ଦ୍ଦେଶ ଦିଆଯାଇ ନଥିଲା।
ପ୍ରତିମାସରେ ୯ହଜାର ଫୋନ୍ ଟ୍ୟାପ୍ କରୁଥିଲେ ୟୁପିଏ ସରକାର
ନୂଆଦିଲ୍ଲୀ: ସୂଚନା ଅଧିକାର (ଆର୍ଟିଆଇ) ଆଇନରେ ଫୋନ୍ ଟ୍ୟାପିଂ ଏବଂ ଇ-ମେଲ୍ ଯାଞ୍ଚକୁ ନେଇ କେତେକ ଗୁରୁତ୍ବପୂର୍ଣ୍ଣ ତଥ୍ୟ ଏବେ ସାମ୍ନାକୁ ଆସିଛି। କଂଗ୍ରେସ ନେତୃତ୍ବାଧୀନ ୟୁପିଏ ସରକାର ଅମଳରେ ପ୍ରତି ମାସରେ ପ୍ରାୟ ୯,୦୦୦ ଫୋନ୍ ଟ୍ୟାପ୍ ହେଉଥିଲା ଏବଂ ୫୦୦ରୁ ଅଧିକ ଇ-ମେଲ୍କୁ ତଦନ୍ତକାରୀ ସଂସ୍ଥା ନିଜ ନିୟନ୍ତ୍ରଣକୁ ନେଇ ଖୋଳତାଡ଼ କରୁଥିଲେ। ଏବେ କମ୍ପ୍ୟୁଟର୍ ଉପରେ ଗୁଇନ୍ଦା ନଜର ପ୍ରସଙ୍ଗ ଚର୍ଚ୍ଚାରେ ଥିବା ବେଳେ ଏହି ଆର୍ଟିଆଇ ତଥ୍ୟ କଂଗ୍ରେସ ପାଇଁ ଅଡୁଆ ସୃଷ୍ଟି କରିଛି।