ନୂଆଦିଲ୍ଲୀ: ବଦଳିଲା ମକଡ୍ରିଲ୍ ତାରିଖ । ପାକିସ୍ତାନ ସୀମାବର୍ତ୍ତୀ ରାଜ୍ୟ ଗୁଡିକରେ ହେବାକୁ ଥିବା ସୁରକ୍ଷା ସମ୍ପର୍କିତ ମକ୍ ଡ୍ରିଲକୁ ସ୍ଥଗିତ ରଖାଯାଇଛି ।
ଆଜି ପାକିସ୍ତାନ ସୀମାବର୍ତ୍ତୀ ରାଜ୍ୟ ପଞ୍ଜାବ, ରାଜସ୍ଥାନ, ଗୁଜୁରାଟ ଏବଂ ଜାମ୍ମୁ କାଶ୍ମୀରରେ ମକ୍ ଡ୍ରିଲ୍ ହୋଇଥାନ୍ତା । ହେଲେ ପ୍ରଶାସନିକ କାରଣରୁ ଏହାକୁ ଆଜି ସ୍ଥଗିତ ରଖାଯାଇ ଏହାକୁ ଘୁଞ୍ଚାଇ ଦିଆଯାଇଛି । ଆଉ ନୂଆ ତାରିଖ ଅନୁସାରେ ଆସନ୍ତା ୩୧ ତାରିଖରେ ହେବ ସୁରକ୍ଷା ସମ୍ପର୍କିତ ଏହି ମକ୍ ଡ୍ରିଲ୍ ।
ଅପରେସନ୍ ସିନ୍ଦୂର ବେଳେ ୩ ରାତି ସୀମାବର୍ତ୍ତୀ ରାଜ୍ୟରେ ପାକିସ୍ତାନ ପଟୁ ଆକ୍ରମଣ ଦେଖିଛି ଭାରତ । ତେଣୁ ଲୋକଙ୍କୁ ଏହି ଆକ୍ରମଣ ଏବଂ ଏହାକୁ ନେଇ କେମିତି ସତର୍କ ରହିହେବ ସେନେଇ ସଚେତନ କରାଯିବ । ସୁରକ୍ଷା ଏଜେନ୍ସିମାନେ ମଧ୍ଯ ଏହି ମକ୍ ଡ୍ରିଲରେ ସାମିଲ ହେବେ ।
ତେବେ ଏହି ସମୟ ମଧ୍ୟରେ ଲୋକଙ୍କୁ ସତର୍କ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ପୁଣି ଥରେ ମକଡ୍ରିଲ ହେଉଥିବାରୁ ଏହାକୁ ନେଇ କଳ୍ପନାଜଳ୍ପନା ବଢିଯାଇଛି। କାରଣ ଚଳିତ ମାସ ୭ ତାରିଖରେ ଦେଶର ବିଭିନ୍ନ ରାଜ୍ୟରେ ମକଡ୍ରିଲ ହୋଇଥିଲା । ସେହିଦିନ ରାତିରେ ହିଁ ଭାରତୀୟ ବାୟୁସେନା ଅପରେସନ୍ ସିନ୍ଦୂର କରିଥିଲା। ଏହା ମାଧ୍ୟମରେ ଭାରତ ପାକିସ୍ତାନ ଅଧିକୃତ କଶ୍ମୀର ଓ ପାକିସ୍ତାନର ବିଭିନ୍ନ ସ୍ଥାନରେ ଥିବା ଆତଙ୍କବାଦୀ ଆଡ୍ଡାଗୁଡ଼ିକୁ ନଷ୍ଟ କରିଦେଇଥିଲା। ଏଣୁ ପୁଣି ଥର କମଡ୍ରିଲ କରାଯାଉଥିବାରୁ କେବଳ ଭାରତର ସାଧାରଣ ଲୋକମାନେ ନୁହନ୍ତି, ପାକିସ୍ତାନର ମଧ୍ୟ ଉତ୍କଣ୍ଠା ବଢିଯାଇଛି । ତେବେ ଏହି ସୀମାବର୍ତ୍ତୀ ରାଜ୍ୟ ଗୁଡିକରେ ଆଗାମୀ ଦିନରେ ପ୍ରତି ମାସ ମକ୍ ଡ୍ରିଲ୍ ହେବ ବୋଲି ସୂଚନା ମିଳିଛି ।