ଶିକ୍ଷୟିତ୍ରୀ ରଜନୀ ବାଲାଙ୍କ ହତ୍ୟାର ପ୍ରତିଶୋଧ ନେଲା ସେନା, ଏନକାଉଣ୍ଟରରେ ୨ ଆତଙ୍କବାଦୀ ନିହତ

ଶ୍ରୀନଗର : ଗତ ମେ ୩୧ ତାରିଖରେ ସ୍କୁଲ ଶିକ୍ଷୟିତ୍ରୀ ରଜନୀ ବାଲାଙ୍କ ହତ୍ୟାର ପ୍ରତିଶୋଧ ନେଇଛି ଭାରତୀୟ ସେନା । ଆଜି ସେନା ପକ୍ଷରୁ କରାଯାଇଥିବା ଏକ ଅପରେସନରେ ବାଲାଙ୍କ ହତ୍ୟା କରିଥିବା ଆତଙ୍କବାଦୀମାନେ ନିପାତ ହୋଇଛନ୍ତି ।

ଜମ୍ମୁ ଓ କଶ୍ମୀରର ପୁଲିସ ଆଇଜି ବିଜୟ କୁମାର କହିଛନ୍ତି ଯେ, ଆଜି କୁଲଗାମର ମିସିପୋରା ଇଲାକାରେ ହୋଇଥିବା ଏନକାଉଣ୍ଟରରେ ଦୁଇଜଣ ଆତଙ୍କବାଦୀ ନିହତ ହୋଇଛନ୍ତି । ଏହି ଦୁଇ ଆତଙ୍କବାଦୀ ରଜନୀ ବାଲାଙ୍କ ହତ୍ୟାରେ ସଂପୃକ୍ତ ଥିଲେ ।

ଏହା ପୂର୍ବରୁ ଗତ ମଙ୍ଗଳବାରଦିନ କଶ୍ମୀର ପୁଲିସ ପକ୍ଷରୁ କୁହାଯାଇଥିଲା ଯେ ମିସିପୋରା ଇଲାକାରେ କିଛି ଆତଙ୍କବାଦୀ ଲୁଚିଥିବା ନେଇ ସୂଚନା ମିଳିବା ପରେ ସେନା ଓ ପୁଲିସ ପକ୍ଷରୁ ସଂପୃକ୍ତ ଇଲାକାକୁ ଘେରାଉ କରାଯାଇଥିଲା । ସେହିଦିନଠାରୁ ଆତଙ୍କବାଦୀଙ୍କୁ ଠାବ କରିବାକୁ ସର୍ଚ୍ଚ ଅପରେସନ ଜାରି ରହିଥିଲା ।

ଅନ୍ୟପକ୍ଷରେ ପୁଲଓ୍ବାମା ଜିଲ୍ଲାର ଅରମୁଲ୍ଲା ଗ୍ରାମରେ ସେନା ଓ ପୁଲିସର ମିଳିତ ସର୍ଚ୍ଚ ଅପରେସନ ବେଳେ ୧୫ କେଜିର ଆଇଇଡି ଜବତ ହୋଇଛି । ଏହା ଫଳରେ ଏକ ବଡ଼ ଧରଣର ବିପର୍ଯ୍ୟୟକୁ ଏଡାଯାଇପାରିଛି ।

ସୂଚନାଯୋଗ୍ୟ ଯେ ମେ ୩୧ ତାରିଖରେ ଆତଙ୍କବାଦୀମାନେ ଏକ ସ୍କୁଲରେ ପଶି ଶିକ୍ଷୟିତ୍ରୀ ରଜନୀ ବାଲାଙ୍କୁ ଗୁଳି କରି ହତ୍ୟା କରିଥିଲେ । ଏହାର କିଛି ଦିନ ପରେ ଜଣେ ବ୍ୟାଙ୍କ ମ୍ୟାନେଜରଙ୍କୁ ମଧ୍ୟ ହତ୍ୟା କରାଯାଇଥିଲା ।

ସମ୍ବନ୍ଧିତ ଖବର