କାବୁଲରୁ ସୁରକ୍ଷା ବାହିନୀର ଛତ୍ରଭଙ୍ଗ: କାନ୍ଦାହାର ପରେ ହେରାତ, ଲସ୍କର ଗାହ ଦଖଲ କଲା ତାଲିବାନ

ଆଜି କାବୁଲ ଦଖଲ ଯୋଜନା, ରାଷ୍ଟ୍ରପତି ଭବନରେ ଆକ୍ରମଣ ହେବନାହିଁ

କାବୁଲ: ତାଲିବାନ ଓ ଆଫଗାନ ସେନା ମଧ୍ୟରେ ଚାଲିଥିବା ଘମାଘୋଟ ସଂଘର୍ଷ ଭିତରେ ତାଲିବାନ ବାହିନୀ ଆଉ ୩ଟି ସହର ଦଖଲ କରିନେଇଛି। ଦେଶର ଦ୍ବିତୀୟ ବୃହତ୍ତମ ସହର କାନ୍ଦାହାର ଦଖଲର ୨୪ ଘଣ୍ଟା ଭିତରେ ତାଲିବାନ ତୃତୀୟ ବୃହତ୍ତମ ସହର ହେରାତ ଏବଂ ଲସ୍କର ଗାହ ପ୍ରଦେଶକୁ ନିଜ ନିୟନ୍ତ୍ରଣକୁ ନେବାକୁ ସକ୍ଷମ ହୋଇଛି। କାନ୍ଦାହାର ଗଭର୍ଣ୍ଣର ପ୍ରାଣ ଭୟରେ ରାତାରାତି ସହର ଛାଡ଼ି ପଳାଇଥିବା ଜଣାପଡ଼ିଛି। ଏହି ଦୁଇ ସହରକୁ ତାଲିବାନ ବାହିନୀ ସଂପୂର୍ଣ୍ଣ କବ୍‌ଜା କରିବା ସହ ନିଜର ଶାସନ ଘୋଷଣା କରିଛନ୍ତି।

ଆସନ୍ତାକାଲିଠାରୁ ରାଜଧାନୀ କାବୁଲ ଦଖଲ କରିବା ପାଇଁ ଲଢ଼େଇ ଆରମ୍ଭ ହେବ ଏବଂ ସପ୍ତାହକ ମଧ୍ୟରେ ଆଫଗାନିସ୍ତାନରେ ତାଲିବାନର ଶାସନ ଆରମ୍ଭ ହେବ ବୋଲି ତାଲିବାନ ପ୍ରବକ୍ତା ଘୋଷଣା କରିଛନ୍ତି। ଶନିବାର ସକାଳ ସୁଦ୍ଧା କାବୁଲରେ ତାଲିବାନ ପହଞ୍ଚିବା ସ୍ପଷ୍ଟ ହୋଇଯିବାରୁ ଆଜି ସୁରକ୍ଷା ବାହିନୀ ବିଭିନ୍ନ ଅଂଚଳରୁ ଅସ୍ତ୍ରଶସ୍ତ୍ର ସହ ଛତ୍ରଭଙ୍ଗ ଦେଇଛନ୍ତି। କାବୁଲର ଜନସଂଖ୍ୟା ୪୪ ଲକ୍ଷରୁ ଅଧିକ ଥିବା ବେଳେ ମୋଟ ୨୨ଟି ଜିଲ୍ଲା ରହିଛି। ଅନେକ ଜିଲ୍ଲାରେ ପୁଲିସ ବାହିନୀ ଷ୍ଟେସନ୍‌ ଖାଲି କରି ପଳାଇଲେଣି। ପୂର୍ବ ଚୁକ୍ତି ମୁତାବକ କାବୁଲରେ ରାଷ୍ଟ୍ରପତି ଅସରଫ୍‌ ଘନିଙ୍କ ବାସଭବନ ଉପରେ ଆକ୍ରମଣ ହେବ ନାହିଁ ବୋଲି ତାଲିବାନ କହିଛି। ତେବେ ଘନି ତୁରନ୍ତ ଇସ୍ତଫା ଦେଇ କାବୁଲ ଦଖଲ ପ୍ରକ୍ରିୟାକୁ ସୁଗମ କରନ୍ତୁ ବୋଲି ତାଲିବାନ କହିଛି।

ହେଲମଣ୍ଡ ପ୍ରଦେଶରେ ଭୟଙ୍କର ସଂଘର୍ଷ ପରେ ଆଫଗାନ ସେନା ସଂପୃକ୍ତ ଅଂଚଳ ଛାଡ଼ି ପଳାଇଛନ୍ତି ଏବଂ ସେଠାରୁ ତାଲିବାନର ୬ଟି ବିଶାଳ ବାହିନୀ କାବୁଲ ଅଭିମୁଖେ ଅଗ୍ରସର ହେଉଛନ୍ତି। ଶନିବାର ଭୋର୍‌ ସମୟରେ ସେମାନେ କାବୁଲରେ ପହଞ୍ଚିବେ । ହେଲ୍‌ମଣ୍ଡ ପ୍ରଦେଶକୁ ସୁରକ୍ଷା ଦେବା ପାଇଁ ପୂର୍ବରୁ ସେଠାରେ ଆମେରିକା, ବ୍ରିଟିସ୍‌ ଏବଂ ନାଟୋ ବାହିନୀ ମୁତୟନ ‌ଥିଲେ। ତେବେ ମିଳିତ ବାହିନୀ ସେଠାରୁ ପ୍ରତ୍ୟାହାର ହେବାପରେ ତାଲିବାନ ଯୋଦ୍ଧାମାନେ ଏହାକୁ ନିଜ ଦଖଲକୁ ନେବାକୁ ସକ୍ଷମ ହୋଇଛନ୍ତି। ସପ୍ତାହକ ମଧ୍ୟରେ ୧୮ଟି ପ୍ରଦେଶକୁ ତାଲିବାନ ବାହିନୀ ନିଜ ନିୟନ୍ତ୍ରଣକୁ ନେବା ଘଟଣା ବିଶ୍ବ ସମୁଦାୟକୁ ସ୍ତବ୍ଧ କରିଦେଇଛି। ଆମେରିକାର ଭୁଲ୍‌ ରଣନୀତି ଯୋଗୁଁ ଦୀର୍ଘ ୨୦ ବର୍ଷ ଧରି ତାଲିବାନ ବିରୋଧରେ ଚାଲିଥିବା ସଂଘର୍ଷ ବ୍ୟର୍ଥ ହୋଇଛି।

ସମ୍ବନ୍ଧିତ ଖବର