ଇମ୍ଫାଲ : ମଣିପୁରର ଜିରିବାମ ଜିଲ୍ଲାରେ ଆତଙ୍କବାଦୀ ସଂଗଠନ କୁକି ବିଦ୍ରୋହୀଙ୍କ ବିରୋଧରେ ସୁରକ୍ଷା ବାହିନୀକୁ ଏକ ବଡ଼ ସଫଳତା ମିଳିଛି। ବଡ଼ବେକ୍ରା ଉପଖଣ୍ଡର ଜାକୁରାଧର କରଙ୍ଗରେ ଏକ ଅପରେସନ କରି ସୁରକ୍ଷାବାହିନୀ ୧୦ ଜଣ ବିଦ୍ରୋହୀଙ୍କୁ ନିପାତ କରିଛନ୍ତି। ଏହି ଅପରେସନରେ ଜଣେ ସିଆରପିଏଫ ଯବାନ ଆହତ ହୋଇଛନ୍ତି । ମଣିପୁରର ଇମ୍ଫାଲ ଉପତ୍ୟକା ଜାତିଗତ ସଂଘର୍ଷ ଦ୍ୱାରା ପ୍ରଭାବିତ ହୋଇଛି । ଏହାବ୍ୟତୀତ ବିଦ୍ରୋହୀମାନେ କ୍ରମାଗତ ଭାବେ କ୍ଷେତରେ କାମ କରୁଥିବା କୃଷକମାନଙ୍କୁ ଟାର୍ଗେଟ କରି ଆତଙ୍କ ସୃଷ୍ଟି କରୁଛନ୍ତି। ବିଦ୍ରୋହୀ ଆକ୍ରମଣ ଭୟରେ ଚାଷୀମାନେ କ୍ଷେତକୁ ଯିବାକୁ ବାରଣ କରୁଛନ୍ତି।
ସୋମବାର ବିଦ୍ରୋହୀମାନେ ଇମ୍ଫାଲର ପାହାଡ଼ରୁ ଗୁଳି ଚଳାଇଥିଲେ। ଏଥିରେ କ୍ଷେତରେ କାମ କରୁଥିବା ଜଣେ ଚାଷୀ ଆହତ ହୋଇଥିଲେ। କୃଷକଙ୍କ ଉପରେ ଆକ୍ରମଣର ଏହା କ୍ରମାଗତ ତୃତୀୟ ଦିନ। ଏହି ଆକ୍ରମଣ ଯୋଗୁଁ ଉପକଣ୍ଠରେ ରହୁଥିବା କୃଷକମାନେ ନିଜ ଜମିକୁ ଯିବାକୁ ଭୟ କରୁଛନ୍ତି, ଯାହା ଫସଲ ଅମଳକୁ ପ୍ରଭାବିତ କରୁଛି ବୋଲି ଅଧିକାରୀମାନେ କହିଛନ୍ତି। ଏହାର ଜବାବରେ ସୁରକ୍ଷାବାହିନୀ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିଲା। ଜଣେ ପୋଲିସ ଅଧିକାରୀ କହିଛନ୍ତି ଯେ ସକାଳ ପ୍ରାୟ ୯ଟା ୨୦ ରେ କୃଷକଙ୍କ ଉପରକୁ ଗୁଳିଚାଳନା ଘଟଣା ଘଟିଥିଲା । କାଙ୍ଗପୋକପି ଜିଲ୍ଲାର ପାହାଡ଼ିଆ ଅଞ୍ଚଳର ବିଦ୍ରୋହୀମାନେ ୟାଙ୍ଗାଙ୍ଗପୋକ୍ପି ଶାନ୍ତିଖୋଙ୍ଗବନ ଅଞ୍ଚଳରେ କୃଷକଙ୍କ ଉପରକୁ ଗୁଳି ଚଳାଇଥିଲେ। ଏଥିରେ ଜଣେ ଚାଷୀଙ୍କ ହାତରେ ଆଘାତ ଲାଗିଛି। ଖବର ପାଇ ସୁରକ୍ଷାବାହିନୀ ଘଟଣାସ୍ଥଳରେ ପହଞ୍ଚି ଜବାବ ଆରମ୍ଭ କରିଛି।