ପୁଲୱାମା ଆକ୍ରମଣର ଦ୍ୱିତୀୟ ବାର୍ଷିକୀରେ ଆତଙ୍କବାଦୀଙ୍କ ଯୋଜନା ପଣ୍ଡ, ଜମ୍ମୁ ବସଷ୍ଟାଣ୍ଡରୁ ଜବତ୍ ହେଲା ୭ କେ.ଜି ବିସ୍ଫୋରକ

ଜମ୍ମୁ: ଫେବ୍ରୁଆରି ୧୪, ୨୦୧୯ରେ ଆତଙ୍କବାଦୀମାନେ ଜମ୍ମୁର ପୁଲୱାମାଠାରେ ବିସ୍ଫୋରଣ କରିଥିବା ବେଳେ ଭାରତର ୪୦ ଯବାନ ସହିଦ ହୋଇଥିଲେ । ଆଜି ସାରା ଦେଶ ସହିଦ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ସହ ସେମାନଙ୍କୁ ମନେ ପକାଉଥିବା ବେଳେ ଜମ୍ମୁ ବସଷ୍ଟାଣ୍ଡ ନିକଟରେ ସୁରକ୍ଷା ବାହିନୀ ବିପୁଳ ପରିମାଣର ବିସ୍ଫୋରକ ସାମଗ୍ରୀ ଜବତ କରିଥିବା ଜଣାପଡ଼ିଛି। ଜମ୍ମୁ ବସଷ୍ଟାଣ୍ଡରୁ ୭କିଲୋଗ୍ରାମ ବିସ୍ଫୋରକ ଜବତ କରାଯାଇଛି।

ସୂତ୍ରରୁ ପ୍ରକାଶ ଯେ, ପୁଲୱାମା ଆକ୍ରମଣର ଦ୍ୱିତୀୟ ବାର୍ଷିକୀରେ ଆତଙ୍କବାଦୀମାନେ ଏକ ବଡ଼ ଆକ୍ରମଣ କରିବାକୁ ଷଡ଼ଯନ୍ତ୍ର କରିଥିଲେ। କିନ୍ତୁ ସଠିକ ସମୟରେ ସୁରକ୍ଷା ବାହିନୀ ସେମାନଙ୍କ ଯୋଜନାକୁ ପଣ୍ଡ କରିଦେଇଛନ୍ତି। ବର୍ତ୍ତମାନ ଅପରାହ୍ନ ୪.୩୦ସମୟରେ ଜମ୍ମୁ ଜୋନର ଆଇଜିପି ମୁକେଶ ସିଂହ ଗଣମାଧ୍ୟମକୁ ସମ୍ବୋଧିତ କରିବେ ଏବଂ ଏହି ପ୍ରସଙ୍ଗରେ ଅଧିକ ସୂଚନା ପ୍ରଦାନ କରିବେ। ଏହା ସହ ସେ ନିକଟରେ ଗିରଫ ହୋଇଥିବା ଦୁଇ ଆତଙ୍କବାଦୀଙ୍କ ବିଷୟରେ ମଧ୍ୟ ସୂଚନା ଦେବେ।

ଏହାପୂର୍ବରୁ ଶନିବାର ଦିନ ଅନନ୍ତନାଗ ପୁଲିସ ସାମ୍ବା ଅଞ୍ଚଳରୁ ରେଜିଷ୍ଟେନ୍ସ ଫ୍ରଣ୍ଟ (ଟିଆରଏଫ) ର ଆତଙ୍କବାଦୀ ଜହୁର ଅହମ୍ମଦ ରାଠେରଙ୍କୁ ଗିରଫ କରିଥିଲା। ରାଠେର ଉପରେ ତିନି ଜଣ ବିଜେପି କର୍ମଚାରୀ ଏବଂ ଜଣେ ପୁଲିସ କର୍ମଚାରୀଙ୍କୁ ହତ୍ୟା କରିଥିବାର ଅଭିଯୋଗ ହୋଇଥିଲା। ରାଠେର ପାକିସ୍ତାନରେ ତାଲିମ ନେଇଥିବା ସହ ପରେ ରଜୌରୀ ଅଞ୍ଚଳରେ ଅନୁପ୍ରବେଶ କରି ଭାରତକୁ ଆସିଥିଲେ।

ସମ୍ବନ୍ଧିତ ଖବର