ଓଡ଼ିଆ ଶ୍ରମିକଙ୍କୁ ତାମିଲନାଡୁରେ ଗୋଡ଼ାଇ ଗୋଡ଼ାଇ ପିଟିଲେ କମ୍ପାନି ସୁରକ୍ଷାକର୍ମୀ

ଭୁବନେଶ୍ୱର: ତାମିଲନାଡୁରେ ଓଡ଼ିଆ ଶ୍ରମିକଙ୍କୁ ଗୋଡ଼ାଇ ଗୋଡ଼ାଇ କମ୍ପାନିର ସୁରକ୍ଷାକର୍ମୀ ପିଟିଛନ୍ତି। କରୋନା କଟକଣାରେ ଦିନେ କାମ କଲେ ଦିନେ କାମ ମିଳୁନାହିଁ କି ଠିକ୍‌ ଭାବେ ଖାଇବା ବି ମିଳୁନାହିଁ। ଖାଇବାକୁ ମାଗିଲେ କମ୍ପାନି କର୍ତ୍ତୃପକ୍ଷ ଓ ସିକ୍ୟୁରିଟି ଓଡ଼ିଆ ଶ୍ରମିକଙ୍କୁ ମାଡ଼ ମାରି ଲହୁ ଲୁହାଣ କରିଥିବା ଅଭିଯୋଗ ହୋଇଛି । କମ୍ପାନି ସୁରକ୍ଷାକର୍ମୀଙ୍କ ମାଡ଼ରେ ୪ ଜଣ ଝିଅ ଓ ୨ ଜଣ ପୁଅ ଗୁରୁତର ହୋଇଥିବା ଜଣାପଡ଼ିଛି। ଏପରିକି ଜଣେ ଭିନ୍ନକ୍ଷମ ଝିଅଙ୍କୁ ବି ମାଡ଼ ମାରିବାକୁ ପଛାଇ ନାହାନ୍ତି  କମ୍ପାନି ସୁରକ୍ଷା କର୍ମୀ । କେବଳ ଏତିକି ନୁହେଁ, ମାଡ଼ରେ ଗୁରୁତର ହୋଇଥିବା ଶ୍ରମିକଙ୍କୁ ଡାକ୍ତରଖାନାକୁ ନ ନେଇ ଗୋଟିଏ ସ୍ଥାନରେ କମ୍ପାନି ବନ୍ଧକ ରଖିଛି।

ସୂଚନାଯୋଗ୍ୟ, ତାମିଲନାଡୁ ତିରିପୁର ଜିଲ୍ଲା ଉତୁକୁଡି ଅଞ୍ଚଳରେ ଥିବା ଆହିଲ ଆପ୍ପାରେଲ୍‌ ଏକ୍ସପୋର୍ଟ୍‌ସ ଲିମିଟେଡ ନାମକ ଏକ ଘରୋଇ କମ୍ପାନିରେ ପ୍ରାୟ ୧ ହଜାରରୁ ଅଧିକ ଓଡ଼ିଆ ଶ୍ରମିକ କାମ କରୁଛନ୍ତି । ୫ଶହ ଝିଅ ଓ ୬ଶହ ପୁଅ କମ୍ପାନି ମେସ୍‌ରେ ରହି କପଡା ସିଲାଇ କାମ କରୁଛନ୍ତି। ହେଲେ ତାଲା ବନ୍ଦ ଯୋଗୁଁ କମ୍ପାନିରେ କାମ ନ ଥିବାରୁ କମ୍ପାନି ଶ୍ରମିକଙ୍କୁ ଖାଇବାକୁ ଦେଉନାହିଁ । ସବୁଦିନ କେବଳ ଭାତ ଆଉ ରସମ ଦେଉଥିବାରୁ ଶ୍ରମିକମାନେ ଟିକେ ଭଲ ଖାଦ୍ୟ ମାଗିଥିଲେ। ଆଉ ଏଥିରେ ରାଗି ଯାଇ କମ୍ପାନି ପକ୍ଷରୁ ଓଡ଼ିଆ ଶ୍ରମିକଙ୍କୁ ଆକ୍ରମଣ କରାଯାଇଥିବା ଅଭିଯୋଗ ହୋଇଛି।

ସମ୍ବନ୍ଧିତ ଖବର