ରାଞ୍ଚି: ଝାଡ଼ଖଣ୍ଡର ମେଦିନୀନଗର (ପଲାମୁ)ଜିଲ୍ଲାର ମନାତୁ ଥାନା ଅଞ୍ଚଳର ଶ୍ରୀକେଡାଲ ଜଙ୍ଗଲରେ ବୁଧବାର ବିଳମ୍ବିତ ରାତିରେ ପୁଲିସ ଏବଂ ନକ୍ସଲ ମଧ୍ୟରେ ଗୁଳି ବିନିମୟ ହୋଇଥିଲା। ଏହି ଘଟଣାରେ ପଲାମୁ ପୁଲିସର ଦୁଇ ସାହସୀ ଯବାନ ସୁନୀଲ ରାମ ଏବଂ ସାନ୍ତାନ ମେହେଟା ସହିଦ୍ ହୋଇଥିବାବେଳେ ଜିଲ୍ଲା ପୁଲିସ ବାହିନୀର ଜଣେ ଜବାନ ରୋହିତ କୁମାର ଗୁରୁତର ଆହତ ହୋଇଛନ୍ତି।
ଆହତ ଜବାନଙ୍କୁ ମେଦିନୀ ରାୟ ମେଡିକାଲ କଲେଜ ହସ୍ପିଟାଲରେ ଚିକିତ୍ସା କରାଯାଉଛି। ବିଶେଷଜ୍ଞ ଡାକ୍ତରଙ୍କ ଏକ ଦଳ ତାଙ୍କ ଜୀବନ ବଞ୍ଚାଇବା ପାଇଁ କାମ କରୁଛନ୍ତି। ପୁଲିସକୁ ଗୁପ୍ତ ସୂଚନା ମିଳିଥିଲା ଯେ, ଶ୍ରୀକେଡାଲ ଜଙ୍ଗଲରେ ନକ୍ସଲମାନଙ୍କ ଏକତ୍ରିତ ହେଉଛନ୍ତି ଏବଂ ସେମାନେ ଏକ ବଡ଼ ଧରଣର ଆକ୍ରମଣ କରିବାକୁ ଯୋଜନା କରୁଛନ୍ତି।
ସୂଚନା ମିଳିବା ମାତ୍ରେ ଜିଲ୍ଲା ପୁଲିସ ବାହିନୀ ଏକ ସ୍ୱତନ୍ତ୍ର ଅଭିଯାନ ଆରମ୍ଭ କରିଥିଲା। ପୁଲିସ ବାହିନୀ ଜଙ୍ଗଲରେ ଘେରାବନ୍ଦୀ କରିଥିଲେ। ନକ୍ସଲମାନେ ପୁଲିସ ବାହିନୀଙ୍କ ଉପରକୁ ଆଖିବୁଜା ଗୁଳି ଚଳାଇବା ଆରମ୍ଭ କରିଦେଇଥିଲେ। ପୁଲିସ ବାହିନୀ ଏହାର ପାଲଟା ଜବାବରେ ଗୁଳି ଚାଳନା କରିଥିଲେ। ନକ୍ସଲଙ୍କ ଗୁଳିରେ ୨ ଯବାନ ସହିଦ୍ ହୋଇଥିଲେ ଏବଂ ଜଣେ ଗୁରୁତର ଆହତ ହୋଇଥିଲେ।
ପୁଲିସ ଆଶଙ୍କା କରୁଛି ଯେ, ନକ୍ସଲମାନଙ୍କର ମଧ୍ୟ ବଡ଼ ଧରଣର କ୍ଷତି ହୋଇଛି। ଅନେକ ନକ୍ସଲ ଆହତ କିମ୍ବା ନିହତ ହୋଇଥିବା ରିପୋର୍ଟ ରହିଛି। ତଥାପି, ନକ୍ସଲମାନଙ୍କ ମୃତଦେହ ଏପର୍ଯ୍ୟନ୍ତ ଉଦ୍ଧାର କରାଯାଇ ନାହିଁ। ସମଗ୍ର ଅଞ୍ଚଳକୁ ଘେରାବନ୍ଦୀ କରାଯାଇଛି ଏବଂ ଏକ ସର୍ଚ୍ଚ ଅପରେସନ ଜାରି ରହିଛି।
ଘଟଣା ଜଣାପଡିବା ମାତ୍ରେ ପଲାମୁ ପୁଲିସ ଅଧୀକ୍ଷକ ରିଶ୍ମା ରାମେଶନ ଘଟଣା ଉପରେ ନିରନ୍ତର ନଜର ରଖିଛନ୍ତି। ସେ ହସ୍ପିଟାଲରେ ପହଞ୍ଚି ଆହତ ଯବାନଙ୍କ ଚିକିତ୍ସାର ସମୀକ୍ଷା କରିଥିଲେ। ବିଶେଷଜ୍ଞ ଡକ୍ଟର ସୁଶୀଲ ପାଣ୍ଡେ ଏବଂ ଡକ୍ଟର ପ୍ରବୀଣ ସିଦ୍ଧାର୍ଥଙ୍କ ନେତୃତ୍ୱରେ ଆହତ ସୈନିକଙ୍କ ଅପରେସନ୍ ଚାଲିଛି।
jharkhand | Naxal
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2024-09-12t092703765z-halim.jpeg)
/sambad/media/media_files/2025/09/04/security-guard-naxal-encounter-in-jharkhands-shrikedal-forest-2-jawans-martyred-2025-09-04-09-11-33.jpg)