ଇମ୍ଫାଲ : ମଣିପୁର ହିଂସା ଥମୁନି। ପ୍ରତିଦିନ ରାଜ୍ୟରେ ପୋଡ଼ାଜଳା ଓ ଗୁଳିମାଡ଼ ହେଉଛି। ଦୁଇ ଦିନ ମଧ୍ୟରେ ଦଙ୍ଗାକାରୀମାନେ ୨ ଶହରୁ ଅଧିକ ଘର ଜାଳିଦେଇଛନ୍ତି। ଗୁରୁବାର ରାତିରେ ଇମ୍ଫାଲରେ କେନ୍ଦ୍ରମନ୍ତ୍ରୀଙ୍କ ଘରେ ସଂଘବଦ୍ଧ ଆକ୍ରମଣ ଏବଂ ପେଟ୍ରୋଲ ବୋମାମାଡ଼ କରି ଘର ଜାଳି ଦେଇଥିବା ବେଳେ ବିଶୃଙ୍ଖଳ ଜନତା ଆଜି ମଧ୍ୟ ବିଭିନ୍ନ ସ୍ଥାନରେ ହିଂସା ଓ ପୋଡ଼ାଜଳା ଜାରି ରଖିଛନ୍ତି। ଇମ୍ଫାଲରେ ଗତରାତିରୁ ସୁରକ୍ଷାକର୍ମୀ ଓ ଦଙ୍ଗାକାରୀଙ୍କ ମଧ୍ୟରେ ସଂଘର୍ଷ ଚାଲିଛି। ଏଥିରେ ଅନେକ ନାଗରିକ ଆହତ ହୋଇଛନ୍ତି।
ଗତରାତିରେ ପୃଥକ ଘଟଣାରେ ବିଷ୍ଣୁପୁର ଜିଲ୍ଲାର କ୍ବାକ୍ଟା ଏବଂ ଚୁରାଚାନ୍ଦପୁର ଜିଲ୍ଲାର କାଙ୍ଗଭଇରେ ଗୁଳିକାଣ୍ଡ ହୋଇଛି। ଇମ୍ଫାଲ ପଶ୍ଚିମର ଇରିଙ୍ଗବାମ ଥାନାରେ ଅସ୍ତ୍ର ଲୁଟ୍ ପାଇଁ ଉଦ୍ୟମ ହୋଇଛି। ସେନା, ଆସାମ ରାଇଫଲ୍ସ ଏବଂ ମଣିପୁର ରୢାପିଡ ଆକ୍ସନ ଫୋର୍ସ (ଆରଏଏଫ୍) ଦ୍ବାରା ଗତକାଲି ମଧ୍ୟରାତ୍ରି ପର୍ଯ୍ୟନ୍ତ ମିଳିତ ଅପରେସନ୍ ଜାରି ରହିଥିଲା। ପ୍ରାୟ ୧ ହଜାରରୁ ଅଧିକ ଲୋକ ପ୍ୟାଲେସ କମ୍ପାଉଣ୍ଡ୍ ସ୍ଥିତ କୋଠାଗୁଡ଼ିକୁ ଜାଳି ଦେବାକୁ ଉଦ୍ୟମ କରିଥିଲେ।
କିନ୍ତୁ ମିଳିତ ସୁରକ୍ଷା ବାହିନୀ ଲୁହବୁହା ଗ୍ୟାସ ଏବଂ ରବର ବୁଲେଟ୍ ମାଡ଼ କରି ସେମାନଙ୍କୁ ଘଉଡ଼ାଇଥିଲା। ବିଧାୟକ ବିଶ୍ବଜିତଙ୍କ ଘର ନିକଟରେ ଦଙ୍ଗାକାରୀ ରୁଣ୍ଡ ହୋଇଥିଲେ ଏବଂ ସେମାନେ ବିଧାୟକଙ୍କ ଘର ଜାଳି ଦେବାକୁ ଚେଷ୍ଟା କରିଥିଲେ। କିନ୍ତୁ ଆରଏଏଫ୍ର ତ୍ବରିତ କାର୍ଯ୍ୟାନୁଷ୍ଠାନ ଯୋଗୁଁ ଦଙ୍ଗାକାରୀ ସେଠାରୁ ଛତ୍ରଭଙ୍ଗ ଦେଇଥିଲେ। ସିଂଜେମାଇରେ ଗତକାଲି ମଧ୍ୟରାତ୍ରିରେ ରାଜ୍ୟ ବିଜେପି ଅଫିସ ଉପରେ ମଧ୍ୟ ଆକ୍ରମଣ କରି ଏହାକୁ ଛାରଖାର କରାଯାଇଛି। ବିଶୃଙ୍ଖଳ ଜନତା ମଧ୍ୟ ଗତରାତିରେ ଇମ୍ଫାଲ ପଶ୍ଚିମରେ ବିଜେପି ସଭାପତି ଅଧିକାରୀ ମାୟୁମଙ୍କ ଘର ଭଙ୍ଗାରୁଜା ଏବଂ ପୋଡ଼ାଜଳା କରିବାପାଇଁ ଉଦ୍ୟମ କରିଥିଲେ। କିନ୍ତୁ ସେନା ଓ ଆରଏଏଫ୍ର କଡ଼ା କାର୍ଯ୍ୟାନୁଷ୍ଠାନ ଯୋଗୁଁ ହିଂସାକାରୀ ପଛକୁ ହଟିଥିଲେ। ଗରାତିରେ ବିଶୃଙ୍ଖଳ ଜନତା ଏକ ୱେୟାର ହାଉସ୍ ଜାଳିଦେବାପରେ ବଡ଼ ଧରଣର ସଂଘର୍ଷ ଉପୁଜିଥିଲା।
କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବ୍ୟାପକ ଉଦ୍ୟମ ସତ୍ତ୍ବେ ମଣିପୁରରେ ଶାନ୍ତି ପ୍ରକ୍ରିୟା ବିଫଳ ହୋଇଛି। କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ନିକଟରେ ମଣିପୁର ଗସ୍ତ କରି ଶାନ୍ତି ରକ୍ଷା ପାଇଁ ଅନୁରୋଧ କରିଥିଲେ । କିନ୍ତୁ ଏହା କାମ ଦେଲାନି। ମଣିପୁର ବିଧାନସଭା ବାଚସ୍ପତି ଥକଚମ ସତ୍ୟବ୍ରତ ସିଂହ ଏବଂ ବିଧାୟକମାନେ ଆସନ୍ତାକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିବେ। ନିକଟରେ ଗଠନ ହୋଇଥିବା ଶାନ୍ତି କମିଟି ସଂକ୍ରାନ୍ତରେ ସେମାନେ ଆଲୋଚନା କରିବେ ଏବଂ ମେ’ ୩ ତାରିଖରୁ ରାଜ୍ୟରେ ହିଂସା ଜାରି ରହିଛି।