ନାଗପୁର: ମହାରାଷ୍ଟ୍ରର ଲାଲ ବାହିନୀ (ମାଓବାଦୀ) ଗଡ଼ରେ ସୁରକ୍ଷା କର୍ମୀମାନେ ଏକ ଉଦାହରଣ ସୃଷ୍ଟି କଲା ଭଳି କାର୍ଯ୍ୟ କରିଛନ୍ତି। ଜଙ୍ଗଲ ଭରା ପାହାଡ଼ିଆ ରାସ୍ତାରେ ୧୦୫ କିମି ଚାଲିଚାଲି ଯିବା ସହିତ ୨୪ ଘଣ୍ଟା ଭିତରେ ଏକ ଥାନା ପ୍ରତିଷ୍ଠା କରିଛନ୍ତି। ୨୦୦୦ରୁ ଅଧିକ ସୁରକ୍ଷା କର୍ମୀ ଏହି କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି। ମାଓବାଦୀ ଅଧ୍ୟୁଷିତ ଦଣ୍ଡକାରଣ୍ୟ ଜଙ୍ଗଲର ଏକ ସୀମାନ୍ତରେ ୱାଙ୍ଗେତୁରି ଗ୍ରାମରେ ୫ ଏକରରୁ ଅଧିକ ଅଞ୍ଚଳରେ ଏହି ଥାନା ପ୍ରତିଷ୍ଠା ହୋଇଛି। ଲାଲ ବାହିନୀ କରିଡରରେ ମାଓବାଦୀଙ୍କ ମାଲ ପରିବହନ କାର୍ଯ୍ୟ ଉପରେ ପ୍ରତିବନ୍ଧକ ଲଗାଇବା ପାଇଁ ଏହି ଥାନା ସ୍ଥାପନ ହୋଇଛି। ମାଓବାଦୀଙ୍କ ଗରିଲା ଲଢ଼େଇ କିମ୍ବା ଆମ୍ବୁସରୁ ବର୍ତ୍ତିବା ପାଇଁ ସୁରକ୍ଷା କର୍ମୀମାନେ ଏଭଳି ମାଧ୍ୟମରେ ପ୍ରଥମ ଥର ପାଇଁ ଥାନା ପ୍ରତିଷ୍ଠା କରିଛନ୍ତି। ସୁରକ୍ଷାକର୍ମୀମାନେ ଛତିଶଗଡ଼ ପଟୁ ମହାରାଷ୍ଟ୍ର ମଧ୍ୟକୁ ପ୍ରବେଶ କରିଥିଲେ। ମାଓବାଦୀଙ୍କ ଗଡ଼ ଭାବେ ପରିଚିତ ଗଡ଼ଚିରୋଲି ଜିଲ୍ଲାରେ ସ୍ଥାପିତ ୱାଙ୍ଗେତୁରି ଥାନା ପିପଲି ବୁର୍ଗିଠାରୁ ମାତ୍ର ୨୦ କିମି ଦୂର। ନୂଆ ଥାନା ସ୍ଥାପନ ହେବା ପୂର୍ବରୁ ପିପଲି ବୁର୍ଗି ‌ଥିଲା ଛତିଶଗଡ଼ ସୀମାର ଶେଷ ସୀମାନ୍ତ ଥାନ୍ତା। ନିକଟରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଏହି ଥାନାକୁ ବୁଲି ଯାଇଥିଲେ।

Advertisment

ସି-୬୦ କମାଣ୍ଡୋଙ୍କ ସହିତ ଥାନା ସ୍ଥାପନ ପାଇଁ ୫୦୦ ବେସାମରିକ ଶ୍ରମିକଙ୍କୁ ନିୟୋଜିତ କରାଯାଇଥିଲା। ଉକ୍ତ କାର୍ଯ୍ୟରେ ସିଆର୍‌ପିଏଫ୍‌ ଯବାନଙ୍କ ଠାରୁ ଆରମ୍ଭ କରି ୨୫ଟି ବୋମା ଚିହ୍ନଟକାରୀ ଏବଂ ନିଷ୍କ୍ରିୟକାରୀ ଦଳ ସାମିଲ ହୋଇଥିଲେ। ଆଫଗାନିସ୍ତାନରେ ଗୃହ ନିର୍ମାଣ ପାଇଁ ଉପଯୋଗ କରୁଥିବା ଏମଏସି ପ୍ରଯୁକ୍ତିରେ ଏହି ଥାନାର କାନ୍ଥ ନିର୍ମାଣ ହୋଇଛି। ଏହି ଥାନାରେ ସିଆର୍‌ପିଏଫ୍‌ ଯବାନଙ୍କ ସମେତ ୨୦୦ କମାଣ୍ଡୋ ମୁତୟନ ହେବେ। ସୁରକ୍ଷା କାର୍ଯ୍ୟ ବ୍ୟତୀତ ଏମାନେ ଉକ୍ତ ଅଞ୍ଚଳରେ ରାସ୍ତା ଓ ପୋଲ ଆଦି ନିର୍ମାଣ କାର୍ଯ୍ୟର ଜଗାରଖା କରିବେ। ମହାରାଷ୍ଟ୍ର ଏବଂ ଛତିଶଗଡ଼ର ସୁରକ୍ଷା କର୍ମୀଙ୍କ ମିଳିତ ଅପରେସନ ପାଇଁ ଏହା ମୂଳ ଶିବିର ହେବ ବୋଲି ବରିଷ୍ଠ ଅଧିକାରାମାନେ ସୂଚନା ଦେଇଛନ୍ତି। ଉକ୍ତ ଥାନା ଉଦ୍‌ଘାଟନ ଉତ୍ସବରେ ନକ୍ସଲ ରେଞ୍ଜ ଡିଆଇଜି ସନ୍ଦୀପ ପାଟିଲ, ଏସ୍‌ପି ‌ନୀଳୋତ୍ପଳଙ୍କ ସମେତ ପ୍ରାୟ ୭୦ ଜଣ ଗ୍ରାମବାସୀ ଉପସ୍ଥିତ ଥିଲେ।