ଜମ୍ମୁ: କାଶ୍ମୀରର ପହଲଗାମରେ ୨୬ ହିନ୍ଦୁ ପର୍ଯ୍ୟଟକଙ୍କୁ ଆତଙ୍କବାଦୀମାନେ ଅତି ବର୍ବରତାର ସହ ଗୁଳିକରି ହତ୍ୟା କରିବା ଏବଂ ଅନେକ ପର୍ଯ୍ୟଟକ ଗୁଳିମାଡ଼ରେ ଆହତ ହେବା ଘଟଣା ଭାରତ-ପାକ୍ ତିକ୍ତତାକୁ ଚରମ ସୀମାରେ ପହଞ୍ଚାଇଛି। ଶୁକ୍ରବାର ରାତିରୁ ଜମ୍ମୁ ଅଞ୍ଚଳର ଅନ୍ତର୍ଜାତୀୟ ସୀମା ଓ ନିୟନ୍ତ୍ରଣ ରେଖା (ଏଲଓସି) ନିକଟରେ ଗୁଳିବର୍ଷା ଜାରି ରହିଥିବାରୁ ଏବେ ସୀମାବର୍ତ୍ତୀ ଗ୍ରାମବାସୀଙ୍କ ସୁରକ୍ଷା ପାଇଁ ସେନା ଓ ପ୍ରଶାସନ ପକ୍ଷରୁ ଅନେକ ସତର୍କତା ପଦକ୍ଷେପ ଗ୍ରହଣ କରାଯାଇଛି। ଗ୍ରାମବାସୀମାନଙ୍କ ପାଇଁ ପୂର୍ବରୁ ରହିଥିବା ଭୂତଳ ବଙ୍କର ସଫା କରାଯିବା ସହ ନୂଆ ବଙ୍କର ନିର୍ମାଣ ମଧ୍ୟ ହେଉଛି।
ବଡ଼ ଆକ୍ରମଣ ସ୍ଥିତିରେ ତତ୍କାଳ ସତର୍କତା ପଦକ୍ଷେପ ନେବାକୁ ଲୋକଙ୍କୁ ସଚେତନ କରାଯାଇଛି। ପାକିସ୍ତାନୀ ସୈନିକଙ୍କ ଗୁଳିମାଡ଼ରୁ ସୀମାନ୍ତ ଗ୍ରାମବାସୀଙ୍କୁ ସୁରକ୍ଷା ଦେବା ପାଇଁ ସରକାର ବହୁ ସଂଖ୍ୟାରେ ଭୂତଳ ସୁରକ୍ଷିତ ଆଶ୍ରୟସ୍ଥଳୀ ନିର୍ମାଣ କରିଛନ୍ତି। ୨୦୨୧ ପରଠାରୁ ଅସ୍ତ୍ରବିରତି ଉଲ୍ଲଂଘନ ଘଟଣା କମ ରହିଥିବା ବେଳେ ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ସୀମାବାସିନ୍ଦାଙ୍କ ମଧ୍ୟରେ ନିରାପତ୍ତା ଚିନ୍ତା ବଢ଼ିଯାଇଛି। ଆଗକୁ କିଭଳି ପରିସ୍ଥିତି ସୃଷ୍ଟି ହେବ ତାହା କେହି ଜାଣନ୍ତି ନାହିଁ। ଆର୍ଏସ୍ ପୁରା ସେକ୍ଟରର ତ୍ରେଭା ଗ୍ରାମର ପୂର୍ବତନ ସରପଞ୍ଚ ବଲବୀର କୌର କହିଛନ୍ତି, ପାକିସ୍ତାନ ଏବେ କେବଳ ଗୁଳିମାଡ଼ କରୁଛି ଏବଂ ଯେ କୌଣସି ସମୟରେ ଗୋଳା ବର୍ଷା ମଧ୍ୟ କରିପାରେ। ଏଭଳି ସ୍ଥିତିରେ ଲୋକଙ୍କୁ ସୁରକ୍ଷିତ ରଖିବା ସବୁଠାରୁ ଗୁରୁତ୍ବପୂର୍ଣ୍ଣ ବୋଲି ସେ କହିଛନ୍ତି। ପାକିସ୍ତାନ ସହ ଭାରତର ୩୩୨୩ କିଲୋମିଟର ସୀମା ରହିଥିବା ବେଳେ ସେଥିମଧ୍ୟରୁ ୨୨୧ କିଲୋମିଟର ଅନ୍ତର୍ଜାତୀୟ ସୀମା ଓ ୭୪୪ କିଲୋମିଟର ନିୟନ୍ତ୍ରଣ ରେଖା ଜମ୍ମୁ-କାଶ୍ମୀରରେ ରହିଛି।
ସୂଚନାଯୋଗ୍ୟ, ଫେବ୍ରୁଆରି ୨୫, ୨୦୨୧ରେ ଭାରତ ଓ ପାକିସ୍ତାନ ଜମ୍ମୁ-କାଶ୍ମୀର ସୀମାରେ ପୁଣି ଥରେ ଅସ୍ତ୍ରବିରତି ଲାଗୁ କରିବାକୁ ଘୋଷଣା କରିଥିଲେ, ଯାହା କି ଅନ୍ତର୍ଜାତୀୟ ସୀମା ଏବଂ ନିୟନ୍ତ୍ରଣ ରେଖା ନିକଟରେ ରହୁଥିବା ଲୋକଙ୍କ ପାଇଁ ଏକ ବଡ଼ ଆଶ୍ୱସ୍ତି ଆଣିଥିଲା। ପ୍ରଥମେ ଉଭୟ ରାଷ୍ଟ୍ର ୨୦୦୩ରେ ଅସ୍ତ୍ରବିରତି ଚୁକ୍ତି ସ୍ୱାକ୍ଷର କରିଥିଲେ, କିନ୍ତୁ ପାକିସ୍ତାନ ବାରମ୍ବାର ଚୁକ୍ତି ଉଲ୍ଲଂଘନ କରିଥିଲା। ସୀମାବାସିନ୍ଦାଙ୍କୁ ପାକ୍ ଗୁଳିମାଡ଼ରୁ ରକ୍ଷା କରିବା ପାଇଁ କେନ୍ଦ୍ର ସରକାର ୨୦୧୭ ଡିସେମ୍ବରରେ ଜମ୍ମୁ, କଠୁଆ, ସାମ୍ବା ସମେତ ପାଞ୍ଚଟି ଜିଲ୍ଲାରେ ୧୪,୪୬୦ଟି ବ୍ୟକ୍ତିଗତ ଏବଂ ଗୋଷ୍ଠୀ ବଙ୍କର ନିର୍ମାଣକୁ ମଞ୍ଜୁରି ଦେଇଥିଲେ। ପରବର୍ତ୍ତୀ ସମୟରେ ସମ୍ବେଦନଶୀଳ ଅଞ୍ଚଳ ପାଇଁ ସରକାର ଆଉ ୪ ହଜାରରୁ ଅଧିକ ବଙ୍କର ମଞ୍ଜୁର କରିଥିଲେ।