ଜୈସ୍‌ ଧମକ ପରେ ପଞ୍ଜାବ ଓ ରାଜସ୍ଥାନର ସମସ୍ତ ଷ୍ଟେସନ୍‌ରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି

ଯୋଧପୁର/ ଫିରୋଜପୁର/ ନୂଆଦିଲ୍ଲୀ: ପାକିସ୍ତାନରୁ ସଂଚାଳିତ ହେଉଥିବା କୁଖ୍ୟାତ ଆତଙ୍କବାଦୀ ସଂଗଠନ ଜୈସ୍‌-ଇ- ମହମ୍ମଦ (ଜେଇଏମ୍‌) ପଞ୍ଜାବର ଫିରୋଜପୁର ରେଳ ଡିଭିଜନ ଅନ୍ତର୍ଗତ ପାଞ୍ଚଟି ରେଳ ଷ୍ଟେସନ୍‌କୁ ବୋମା ବିସ୍ଫୋରଣ କରି ଉଡ଼ାଇ ଦେବାକୁ ଧମକ ଦେବାପରେ ପଞ୍ଜାବ ଓ ରାଜସ୍ଥାନର ସମସ୍ତ ଷ୍ଟେସନ୍‌ରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରି ଦିଆଯାଇଛି।


ସମଗ୍ର ପଞ୍ଜାବରେ ଭୟ ଓ ଆତଙ୍କର ବାତାବରଣ ସୃଷ୍ଟି ହୋଇଛି। ଅନ୍ୟପକ୍ଷରେ ଆତଙ୍କବାଦୀ ସଂଗଠନ ଜୈସ୍‌ର ଏହି ଧମକ ପରେ ପଞ୍ଜାବରେ ହାଇ ଆଲର୍ଟ ଜାରି କରାଯିବା ସହ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିଦିଆ ଯାଇଛି। ଜିଆରପି (ଗଭର୍ଣ୍ଣମେଣ୍ଟ ରେଲେଓ୍ଵ ପୁଲିସ୍‌) ଓ ଆର୍‌ପିଏଫ୍‌ (ରେଲେଓ୍ଵ ପ୍ରୋଟେକସନ୍‌ ଫୋର୍ସ)ର ଯବାନମାନଙ୍କୁ ନେଇ ସ୍ୱତନ୍ତ୍ର ଟିମ୍‌ ଗଠନ କରାଯିବା ସହ ପଞ୍ଜାବ ଓ ରାଜସ୍ଥାନର ସମସ୍ତ ରେଳ ଷ୍ଟେସନରେ ପହରା ବ୍ୟବସ୍ଥାକୁ ୨୪ ଘଣ୍ଟିଆ କରି ଦିଆଯାଇଛି। ଏଥିସହ ଏହି ଦୁଇ ରାଜ୍ୟ ଦେଇ ଯାଇଥିବା ସମସ୍ତ ରେଳ ଧାରଣାକୁ ନିୟମିତ ବ୍ୟବଧାନରେ ତନ୍ନତନ୍ନ କରି ଯାଞ୍ଚ କରାଯାଉଛି।

ପ୍ରସଙ୍ଗକ୍ରମେ ଉଲ୍ଲେଖଯୋଗ୍ୟ, ପଞ୍ଜାବର ଫିରୋଜପୁର ରେଳ ଡିଭିଜନର ଆଞ୍ଚଳିକ ପ୍ରବନ୍ଧକ ବିବେକ କୁମାରଙ୍କ ନିକଟକୁ ଆତଙ୍କବାଦୀ ସଂଗଠନ ଜୈସ୍‌-ଇ- ମହମ୍ମଦ (ଜେଇଏମ୍‌)ର ଏରିଆ କମାଣ୍ଡର ମନସୁର ଅହମ୍ମଦ ଏକ ପତ୍ର ପଠାଇ ଜୈସ୍‌ ପକ୍ଷରୁ ଫିରୋଜପୁର, ଜଳନ୍ଧର, ଫରିଦ୍‌କୋଟ, ଅମୃତସର ଓ ବର୍ଣ୍ଣାଲା ରେଳ ଷ୍ଟେସନ୍‌କୁ ବୋମା ବିସ୍ଫୋରଣ ଜରିଆରେ ଉଡ଼ାଇ ଦେବା ପାଇଁ ଗତ ଗୁରୁବାର ଧମକ ଦେବାପରେ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରାଳୟ ନିର୍ଦ୍ଦେଶ କ୍ରମେ ପଞ୍ଜାବ ଓ ରାଜସ୍ଥାନର ରେଳ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରି ଦିଆ ଯାଇଥିବା ଜାଣିବାକୁ ମିଳିଛି।

ସମ୍ବନ୍ଧିତ ଖବର