ନୂଆଦିଲ୍ଲୀ: ୭୬ତମ ସାଧାରଣତନ୍ତ୍ର ଦିବସ ଅବସରରେ କର୍ତ୍ତବ୍ୟ ପଥରେ ଏକ ଭବ୍ୟ ପରେଡ୍ ଅନୁଷ୍ଠିତ ହେବ। ଏହି ସ୍ୱତନ୍ତ୍ର ଦିବସର ସୁରକ୍ଷା ପାଇଁ ଦିଲ୍ଲୀ ପୋଲିସ ବ୍ୟାପକ ପ୍ରସ୍ତୁତି କରିଛି। କୌଣସି ଅପ୍ରୀତିକର ଘଟଣାକୁ ଏଡ଼ାଇବା ପାଇଁ କର୍ତ୍ତବ୍ୟ ପଥ ଓ ଏହାର ଆଖପାଖ ଅଞ୍ଚଳରେ ସୁରକ୍ଷା ଅତ୍ୟନ୍ତ କଡ଼ାକଡ଼ି କରାଯାଇଛି। ଦିଲ୍ଲୀ ପୁଲିସର ଯବାନମାନେ କୋଣ ଅନୁକୋଣରେ ସତର୍କ ନଜର ରଖିବା ସହ ସବୁଠି ସୁରକ୍ଷା ବ୍ୟବସ୍ଥା ସୁନିଶ୍ଚିତ କରୁଛନ୍ତି। ପରେଡ୍ ମାର୍ଗ ପାଇଁ ୬ସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯାଇଥିବା ପୁଲିସ କହିଛି। କର୍ତବ୍ୟ ପଥର ପ୍ରଥମ ବାହ୍ୟ ସୁରକ୍ଷା ସ୍ତରରେ ଦିଲ୍ଲୀ ପୁଲିସ, ଅତିରିକ୍ତ ରିଜର୍ଭ ପୁଲିସ, କ୍ୱିକ୍ ରେସପନ୍ସ ଟିମ୍, ସ୍ୱାଟ୍ କମାଣ୍ଡୋ, ବୋମା ନିଷ୍କ୍ରିୟକାରୀ, ତଦନ୍ତକାରୀ ଦଳ ଏବଂ ଟ୍ରାଫିକ ପୁଲିସ କର୍ମଚାରୀଙ୍କ ସମେତ ୧୫ ହଜାର କର୍ମଚାରୀ ରହିବେ।
ଦ୍ୱିତୀୟ ସୁରକ୍ଷା ସ୍ତରରେ ଅର୍ଦ୍ଧସାମରିକ ବାହିନୀ ମୁତୟନ ରହିବେ। ରାଷ୍ଟ୍ରପତି ଭବନଠାରୁ ଲାଲକିଲ୍ଲା ପର୍ଯ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ଅର୍ଦ୍ଧସାମରିକ ବାହିନୀ ମୁତୟନ କରାଯିବ। ତୃତୀୟ ସୁରକ୍ଷା ସ୍ତରରେ ସେନା କର୍ମଚାରୀ, ନ୍ୟାସନାଲ ସିକ୍ୟୁରିଟି ଗାର୍ଡ (ଏନ୍ଏସ୍ଜି)ର କମାଣ୍ଡୋ ଏବଂ କେନ୍ଦ୍ରୀୟ ଗୁଇନ୍ଦା ଏଜେନ୍ସିର ସ୍ୱତନ୍ତ୍ର କର୍ମଚାରୀ ରହିବେ। ଏହି ଯବାନମାନେ ଭିଭିଆଇପି ଅତିଥିଙ୍କ ସୁରକ୍ଷା ସୁନିଶ୍ଚିତ କରିବା ସହିତ ସେମାନଙ୍କ ଆଖପାଖରେ ହେଉଥିବା ଗତିବିଧି ଉପରେ ନଜର ରଖିବେ ଏବଂ ସିଧାସଳଖ କଣ୍ଟ୍ରୋଲ ରୁମ୍ ସହ ଯୋଡ଼ି ହେବେ। ସାଧାରଣତନ୍ତ୍ର ଦିବସର ସୁରକ୍ଷା ପୂର୍ବରୁ ଏକ ସେଣ୍ଟ୍ରାଲ କମାଣ୍ଡ ରୁମ୍ ଖୋଲାଯାଇଛି, ଯାହାଦ୍ୱାରା ସମସ୍ତ ଅଧିକାରୀ ପରସ୍ପର ସହ ଯୋଗାଯୋଗରେ ରହିବେ। ଏହି କମାଣ୍ଡ ରୁମ୍ରୁ ସମଗ୍ର ଦିଲ୍ଲୀ ସହର ଉପରେ ନଜର ରଖାଯାଇଛି। ଏହାବ୍ୟତୀତ ବିଭିନ୍ନ ସ୍ଥାନରେ ସିସିଟିଭି କଣ୍ଟ୍ରୋଲ ରୁମ୍ ମଧ୍ୟ ଖୋଲାଯାଇଛି, ଯାହା ଉପରେ ନିରନ୍ତର ନଜର ରଖାଯାଇଛି। ଜାନୁଆରି ୨୬ରେ ସୁରକ୍ଷା ପାଇଁ ଏନ୍ଏସ୍ଜିର ଡଗ୍ ସ୍କ୍ୱାଡ୍ ମଧ୍ୟ ବିଭିନ୍ନ ସ୍ଥାନରେ ମୁତୟନ ହେବେ । ସୁରକ୍ଷାକୁ ଦୃଷ୍ଟିରେ ରଖି ଦିଲ୍ଲୀ ପୁଲିସ ଜାନୁଆରି ୨୫ରୁ ନୂଆଦିଲ୍ଲୀରେ ଥିବା ଉଚ୍ଚ କୋଠାଗୁଡ଼ିକୁ ସ୍ବତନ୍ତ୍ର ଭାବେ ଅହରହ ନଜରରେ ରଖିବା ବ୍ୟବସ୍ଥା କରିଛନ୍ତି। ଆଜି ରାତିରୁ ନୂଆଦିଲ୍ଲୀ ଏବଂ ଏହାର ଆଖପାଖ ଅଞ୍ଚଳରେ ୧୦୦ରୁ ଅଧିକ ସଂଖ୍ୟାର ସ୍ନାଇପର ମୁତୟନ ହୋଇଛନ୍ତି।
ବର୍ତ୍ତମାନ ଦିଲ୍ଲୀରେ ୧୪୪ ଧାରା ଜାରି ରହିଛି ଏବଂ ଏହା ସହିତ ପୁଲିସ କୌଣସି ପ୍ରକାର ଡ୍ରୋନ୍ ତଥା ବିନା ଅନୁମତିରେ ଉଡ଼ାଣ ଉପରେ ସମ୍ପୂର୍ଣ୍ଣ ପ୍ରତିବନ୍ଧକ ଲଗାଇଛି । ସୁରକ୍ଷାକୁ ଦୃଷ୍ଟିରେ ରଖି ଆଣ୍ଟି ଡ୍ରୋନ୍ ଓ ଆଣ୍ଟି ଏୟାରକ୍ରାଫ୍ଟ ଗନ୍ ମଧ୍ୟ ମୁତୟନ କରାଯାଇଛି। ଫେସ୍ ରେକଗ୍ନିସନ୍ ସିଷ୍ଟମ୍ (ଏଫ୍ଆର୍ଏସ୍) ସହ ସିସିଟିଭି କ୍ୟାମେରା ଲଗାଯାଇଛି।