ନୂଆଦିଲ୍ଲୀ: ପାକିସ୍ତାନ ଅଧିକୃତ କାଶ୍ମୀରରେ ଆତଙ୍କବାଦୀଙ୍କୁ ମୂଳପୋଛ କରିବା ପାଇଁ ଭାରତ ସାମରିକ କାର୍ଯ୍ୟାନୁଷ୍ଠାନ ନିମନ୍ତେ ଦ୍ରୁତ ପ୍ରସ୍ତୁତି ଚଳାଇଛି।  ଏକ ବଡ଼ ନିଷ୍ପତ୍ତି ନେଇ କେନ୍ଦ୍ର ସରକାର ସୁରକ୍ଷା ମକ୍‌ ଡ୍ରିଲ୍‌ ପାଇଁ ଏକାଧିକ ରାଜ୍ୟକୁ ନିର୍ଦ୍ଦେଶ ଦେଇଥିବା ବେଳେ ଦିଲ୍ଲୀ ସମେତ ବିଭିନ୍ନ ସହରରେ ଆଜି ସୁରକ୍ଷା କଡ଼ାକଡ଼ି କରାଯାଇଛି। ଶତ୍ରୁ ରାଷ୍ଟ୍ରର ପ୍ରମୁଖ ଟାର୍ଗେଟ୍‌ରେ ଦିଲ୍ଲୀ ରହିବା ସ୍ବାଭାବିକ ଥିବାରୁ ଦିଲ୍ଲୀରେ ସୁରକ୍ଷା ଏବଂ ଯୁଦ୍ଧ ସ୍ଥିତିରେ ଜରୁରୀ ସତର୍କତା ପଦକ୍ଷେପ ପାଇଁ ବ୍ୟାପକ ପ୍ରସ୍ତୁତି ହୋଇଛି। 

Advertisment

ବୁଧବାର ମକ୍‌ଡ୍ରିଲ୍‌ ପୂର୍ବରୁ ଦିଲ୍ଲୀର ସମସ୍ତ ଗୁରୁତ୍ବପୂର୍ଣ୍ଣ ପ୍ରତିଷ୍ଠାନଗୁଡ଼ିକୁ କଡ଼ା ସୁରକ୍ଷା ବଳୟରେ ରଖାଯିବା ସହ ବିଭିନ୍ନ ସ୍ଥାନରେ ଯାଞ୍ଚ ମଧ୍ୟ କରାଯାଉଛି। ସେହିଭଳି ଲକ୍ଷ୍ନୌରେ ଆଜି ସ୍ଥାନୀୟ କର୍ତ୍ତୃପକ୍ଷଙ୍କ ସହଯୋଗରେ ପୁଲିସ ଲାଇନ୍ସରେ ଏୟାର ରେଡ୍‌ ସାଇରନ୍‌ ପରିଚାଳନା କରାଯାଇଛି।   ଆସନ୍ତକାଲି ବ୍ୟାପକ ଭାବେ ସୁରକ୍ଷା ପ୍ରଶିକ୍ଷଣ ପାଇଁ ପୁଲିସ ଏବଂ ସ୍ଥାନୀୟ ପ୍ରଶାସନ  ପ୍ରସ୍ତୁତ ରହିଛି।   ଉତ୍ତରପ୍ରଦେଶରେ ପୁଲିସ ଏବଂ ସ୍ଥାନୀୟ ସରକାରୀ ଅଧିକାରୀ ଫାୟାର ଡ୍ରିଲ୍‌ରେ ସାମିଲ ହୋଇଛନ୍ତି। ଲକ୍ଷ୍ନୌର ସିଭିଲ୍‌ ଲାଇନ୍ସରେ ଆସନ୍ତାକାଲି ଡ୍ରିଲ୍‌ ପାଇଁ ପ୍ରସ୍ତୁତି ଚାଲିଥିବା ବେଳେ ଆଜି ଏୟାର ରେଡ୍‌ ସାଇରନ୍‌ ବାଜିଛି। ଉତ୍ତରପ୍ରଦେଶରେ ୧୯ଟି ସ୍ଥାନକୁ ଅତି ବିପଦପୂର୍ଣ୍ଣ ସ୍ଥାନ ଭାବେ ବିବେଚନା କରାଯାଇଛି। 

ପଂଜାବର ୨୦ ଜିଲ୍ଲାରେ ସୁରକ୍ଷା ମକ୍‌ଡ୍ରିଲ ପାଇଁ ପ୍ରସ୍ତୁତି ଚାଲିଛି। ପଞ୍ଜାବ ସୀମାରେ ଗ୍ରାମବାସୀଙ୍କ ପାଇଁ ବଙ୍କର ନିର୍ମାଣ ମଧ୍ୟ ତ୍ବରାନ୍ବିତ ହୋଇଛି। ଦିଲ୍ଲୀ, ମୁମ୍ବାଇ, ଚେନ୍ନାଇ, କଲପକ୍କମ, ସୁରଟ ଏବଂ ତାରାପୁରରେ ପରମାଣୁ ରିଆକ୍ଟର ପାଇଁ ଏହି ସବୁ ସ୍ଥାନକୁ କ୍ୟ‌ାଟେଗୋରି ୧ ତଥା ହାଇ ରିସ୍କ ଟାର୍ଗେଟ୍‌ ଭାବେ ଗଣାଯାଇଥିବାରୁ ସଂପୃକ୍ତ ଅଂଚଳ ପାଇଁ ସର୍ବାଧକ ଆଲର୍ଟରେ ରହିବାକୁ କର୍ତ୍ତୃପକ୍ଷମାନଙ୍କୁ କୁହାଯାଇଛି।