ପାକିସ୍ତାନୀ ସେନାମୁଖ୍ୟଙ୍କୁ କୁଣ୍ଢାଇବା ମହଙ୍ଗା ପଡ଼ିଲା; ସିଦ୍ଧୁଙ୍କ ନାମରେ ଅଦାଲତରେ ଆଗତ ହେଲା ରାଜଦ୍ରୋହ ମାମଲା

ପାଟନା (ବିହାର): କ୍ରିକେଟରରୁ ରାଜନେତା ପାଲଟିଥିବା ନଭଜୋତ ସିଂହ ସିଦ୍ଧୁ ନିକଟରେ ଇମ୍ରାନ୍‌ ଖାନ୍‌ଙ୍କ ଶପଥ ଗ୍ରହଣ ଉତ୍ସବରେ ଯୋଗଦେବା ପାଇଁ ପାକିସ୍ତାନ ଯାଇଥିବା କାଳରେ ସେଠାରେ ଯେଉଁ ଢ଼ଙ୍ଗରେ ଦେଶରେ ବିଦ୍ରୋହ ସୃଷ୍ଟିକାରୀ ଆଚରଣ ପ୍ରଦର୍ଶନ କଲେ ତାହା ଏବେ ତାଙ୍କ ପାଇଁ ବେଶ୍‌ ମହଙ୍ଗା ସାବ୍ୟସ୍ତ ହେବାକୁ ଯାଉଛି। କାରଣ, ସିଦ୍ଧୁ ଏବେ ପଞ୍ଜାବର କ୍ୟାବିନେଟ୍‌ ପାହ୍ୟା ମନ୍ତ୍ରୀ ଥିବା ପରିପ୍ରେକ୍ଷୀରେ ତାଙ୍କର ପାକିସ୍ତାନରେ ଏ ପ୍ରକାରର ଆଚରଣ ପ୍ରଦର୍ଶନ ହେଉଛି ଦେଶଦ୍ରୋହ ଏବଂ ରାଜଦ୍ରୋହ। ତେଣୁ, ପାକିସ୍ତାନରେ ସିଦ୍ଧୁ ରାଜଦ୍ରୋହ କରିଥିବା ଅଭିଯୋଗ କରି ବିହାରର ଜନୈକ ଆଇନ୍‌ଜୀବୀ ଆଜି ମୁଜାଫରପୁର ଅଦାଲତରେ ସିଦ୍ଧୁଙ୍କ ବିରୋଧରେ ଏକ ରାଜଦ୍ରୋହ ମାମଲା ଆଗତ କରିଛନ୍ତି।

ଉଲ୍ଲେଖଯୋଗ୍ୟ, ପାକିସ୍ତାନରେ ସିଦ୍ଧୁ ଇମ୍ରାନ୍‌ଙ୍କ ଶପଥ ଗ୍ରହଣ ସ୍ଥଳରେ ପାକିସ୍ତାନର ସେନାମୁଖ୍ୟ ଜେନେରାଲ କମ୍‌ର ଜାଭେଦ୍‌ ବାଜ୍‌ଓ୍ଵାଙ୍କୁ କୁଣ୍ଢାଇବା ସହ ପାକିସ୍ତାନ ଅଧିକୃତ କଶ୍ମୀର (ପିଓକେ)ର ରାଷ୍ଟ୍ରପତି ମାସୁଦ୍‌ ଖାନ୍‌ଙ୍କ ପଛରେ ବସିଥିଲେ। ସିଦ୍ଧୁଙ୍କ ଏପ୍ରକାର ଆଚରଣକୁ ନେଇ ଦେଶବ୍ୟାପି ପ୍ରତିକ୍ରିୟା ସୃଷ୍ଟି ହୋଇଥିଲା।

ଖୋଦ୍‌ ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପଟେନ୍‌ ଅମରିନ୍ଦର ସିଂହ ମଧ୍ୟ ଏଥିପାଇଁ ସିଦ୍ଧୁଙ୍କ ତୀବ୍ର ସମାଲୋଚନା କରିଥିଲେ। ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହ କହିଥିଲେ ଯେ ପାକିସ୍ତାନୀ ସେନା ସୀମାନ୍ତରେ ପ୍ରତିଦିନ ଭାରତୀୟ ସୈନ୍ୟମାନଙ୍କୁ ହତ୍ୟା କରୁଥିବା ବେଳେ ସିଦ୍ଧୁ ପାକିସ୍ତାନ ଯାଇ ସେଠାରେ ପାକିସ୍ତାନର ସେନାମୁଖ୍ୟ ଜେନେରାଲ କମ୍‌ର ଜାଭେଦ୍‌ ବାଜ୍‌ଓ୍ଵାଙ୍କୁ କୁଣ୍ଢାଇବା ଆଦୌ ଗ୍ରହଣଯୋଗ୍ୟ ନୁହେଁ। ଅନ୍ୟପକ୍ଷରେ ଇମ୍ରାନ୍‌ଙ୍କ ଶପଥ ଗ୍ରହଣ ଉତ୍ସବରେ ଯୋଗ ଦେଇସାରି ସିଦ୍ଧୁ ଓ୍ଵାଘା ବର୍ଡର ଦେଇ ଭାରତ ପ୍ରତ୍ୟାବର୍ତ୍ତନ କରୁଥିବା ବେଳେ ସେଠାରେ ଉପସ୍ଥିତ ଥିବା ଭାରତୀୟମାନେ ସିଦ୍ଧୁଙ୍କୁ ବିରୋଧ ପ୍ରଦର୍ଶନ କରିଥିଲେ।

ସମ୍ବନ୍ଧିତ ଖବର