ମୁମ୍ବାଇ : ଜୁଲାଇ ୩୧ରେ ମହାରାଷ୍ଟ୍ରର ପାଲଘର ରେଳ ଷ୍ଟେସନ ନିକଟରେ ଜୟପୁର-ମୁମ୍ବାଇ ସେଣ୍ଟ୍ରାଲ ସୁପରଫାଷ୍ଟ ଏକ୍ସପ୍ରେସ୍‌ (୧୨୯୫୬)ରେ ଆରପିଏଫ କନଷ୍ଟେବଳ ଚେତନ କୁମାର ସିଂ ଗୁଳି କରିଥିଲେ। ଏହି ଗୁଳିମାଡ଼‌ରେ ଆରପିଏଫର ଏଏସଆଇ ଓ ତିନିଜଣ ଯାତ୍ରୀଙ୍କ ମୃତ୍ୟୁ ହୋଇଯାଇଥିଲା। ଏହି ଘଟଣାରେ ସମ୍ପୃକ୍ତ ଥିବା ଅଭିଯୁକ୍ତ କନଷ୍ଟେବଳଙ୍କୁ ଗିରଫ କରାଯାଇ ତାଙ୍କ ବିରୋଧରେ ଆଇପିସିର ଧାରା ୩୦୨ ଅଧୀନରେ ମାମଲା ରୁଜୁ କରାଯାଇଥିଲା।

Advertisment

ଏହି ଘଟଣାକୁ ନେଇ ଏବେ ବୋରିଭଲି ଜିଆରପି କୋର୍ଟରେ ଚାର୍ଜସିଟ୍ ଦାଖଲ କରିଛି। ଏହି ଚାର୍ଜସିଟରେ ଘଟଣା ଦିନ ଚେତନ ନିଜ ମାମୁଙ୍କୁ ଫୋନ କରିଥିବା ଲେଖାଯାଇଛି। ଚାର୍ଜସିଟ୍ ଅନୁଯାୟୀ, ଗୁଳି ଚଳାଇବା ପରେ ଚେତନ ନିଜ ମାମୁ ବାସୁଦେବ ସୋଲାଙ୍କିଙ୍କୁ ଫୋନ କରି କହିଥିଲେ ଯେ, ମୁଁ ୩ଜଣଙ୍କ ଉପରକୁ ଗୁଳି ଚଳାଇ ନିର୍ମମ ଭାବେ ହତ୍ୟା କରିଛି। ବିଶ୍ବାସ ହେଉନି ଯଦି ଟିଭିରେ ବ୍ରେକିଂ ନିଉଜ୍ ଦେଖ।

ଚାର୍ଜସିଟରେ ଏହା ସ୍ପଷ୍ଟ ଭାବ‌େ ଲେଖାଯାଇଛି ଯେ, ଚେତନ ଘଟଣା ଦିନ ଭୋର ୪.୩୦ରେ ନିଜ ମାମୁଙ୍କୁ ଫୋନ କରିଥିଲେ। ହେଲେ ତାଙ୍କ ମାଇଁ ଫୋନ ଉଠାଇବାରୁ ମୋତେ ଭଲ ଲାଗୁନି ବୋଲି କହିଥିଲେ ଚେତନ। ଏହା ଶୁଣି ତାଙ୍କ ମାଇଁ କହିଥିଲେ, ବ୍ୟସ୍ତ ହୁଅନି। ଆଉ କିଛି ସମୟ ପରେ ଡିୟୁଟି ସରିଯିବ। ଏହା ଶୁଣି ଚେତନ ଫୋନ ରଖି ଦେଇଥିଲେ। କିଛି ଘଣ୍ଟା ପରେ ସକାଳ ୬.୧୦ରେ ଚେତନ ପୁଣି ଥରେ ନିଜ ମାମୁଙ୍କୁ ଫୋନ କରି ୪ଜଣଙ୍କୁ ହତ୍ୟା କରିଥିବା କହିଥିଲେ। ତୁମେ ଏଭଳି କରିପାରିବ ନାହିଁ ବୋଲି ବାସୁଦେବ କହିବାରୁ ଚେତନ ତାଙ୍କୁ ଟିଭି ଲଗାଇ ବ୍ରେକିଂ ନିଉଜ୍ ଦେଖିବାକୁ କହିଥିଲେ।