ନୂଆଦିଲ୍ଲୀ: କଂଗ୍ରେସ ଆଇଟି ସେଲ୍ ମହାସଚିବ ଜୟରାମ ରମେଶ ସୋମବାର ବିଜେପିକୁ ଟାର୍ଗେଟ କରିଛନ୍ତି। ସେ ଅଭିଯୋଗ କରିଛନ୍ତି ଜମ୍ମୁ-କଶ୍ମୀର ନିର୍ବାଚନରେ ପରାଜୟକୁ ଦେଖି ବିଜେପି ଭୟଙ୍କର ଷଡ଼ଯନ୍ତ୍ର ରଚିବାର ଆଶଙ୍କା ରହିଛି। ପରାଜୟକୁ ଦୃଷ୍ଟିରେ ରଖି ବିଜେପି ଏଭଳି କରିବାର ଯଥେଷ୍ଟ ଆଶଙ୍କା ରହିଛି। କଂଗ୍ରେସର ବରିଷ୍ଠ ନେତା କହିଛନ୍ତି ଯେ ତାଙ୍କ ପାଖରେ ସ୍ପଷ୍ଟ ସୂଚନା ଏବଂ ଆଧାର ଅଛି। ବିଜେପି ଜାଣେ ଯେ ଜମ୍ମୁ-କଶ୍ମୀରର ଲୋକମାନେ କଂଗ୍ରେସ-ନ୍ୟାସନାଲ କନଫରେନ୍ସ ମେଣ୍ଟକୁ ବାଛିଛନ୍ତି।
ଜମ୍ମୁ-କଶ୍ମୀରରେ ପରାଜୟର ବିପଦକୁ ଦୃଷ୍ଟିରେ ରଖି ସଂଖ୍ୟାଗରିଷ୍ଠତା ଅଦଳବଦଳ କରିବା ଲାଗି ବିଜେପି ବିପଜ୍ଜନକ ଖେଳ ଖେଳୁଛି। ଏକ ତ୍ରିଶଙ୍କୁ ବିଧାନସଭା ସହିତ ଭଙ୍ଗାଗଢ଼ା ରାଜନୀତି କରିବା ପାଇଁ ବିଜେପି ଆଶା ରଖିଛି। ଯାହାଦ୍ବାରା ବିଜେପିକୁ ସୁଯୋଗ ମିଳିପାରିବ ବୋଲି ଦଳ ଆଶା ରଖିଛି। ବିଜେପି ନିଜର 'ଚାଣକ୍ୟ-ନୀତି'ର ପୁରୁଣା ପଦ୍ଧତିକୁ ବ୍ୟବହାର କରୁଛି। ଏହାପୂର୍ବରୁ କଂଗ୍ରେସର ସହଯୋଗୀ ନ୍ୟାସନାଲ କନଫରେନ୍ସ ନେତା ଓମାର ଅବଦୁଲ୍ଲା ମଧ୍ୟ ଏକ ସମାନ ପ୍ରସଙ୍ଗ ଉଠାଇଥିଲେ, ଯାହା ଉପରେ ଗୃହମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ମଧ୍ୟ ତାଙ୍କୁ କଡ଼ା ଜବାବ ମିଳିଥିଲା।
ବିଜେପି କ୍ଷମତାର ଅପବ୍ୟବହାର କରୁଛି। ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଜୟରାମ ରମେଶ ସୋସିଆଲ ମିଡ଼ିଆ ଏକ୍ସରେ ଏକ ପୋଷ୍ଟରେ ବିଜେପିକୁ ବହୁମତକୁ ଅଦଳବଦଳ କରିବାର ଷଡ଼ଯନ୍ତ୍ର କରୁଥିବା ଅଭିଯୋଗ କରିଛନ୍ତି। ସେ ଲେଖିଛନ୍ତି, 'ସେମାନେ ଜାଣନ୍ତି ଯେ ଜମ୍ମୁ-କଶ୍ମୀରର ଲୋକମାନେ କଂଗ୍ରେସ-ନ୍ୟାସନାଲ କନଫରେନ୍ସ ମେଣ୍ଟକୁ ସ୍ପଷ୍ଟ ଜନାଦେଶ ଦେଇଛନ୍ତି।
ଗଣତାନ୍ତ୍ରିକ ପ୍ରକ୍ରିୟାକୁ ଶେଷ କରିବା ପାଇଁ ବିଜେପି ନିଜର ଆତ୍ମଘୋଷିତ ଚାଣକ୍ୟ ନୀତିର ପୁରୁଣା ପଦ୍ଧତିକୁ ବ୍ୟବହାର କରିବାକୁ ଷଡ଼ଯନ୍ତ୍ର ରଚିଛି। ଏନେଇ ଆମ ପାଖରେ ସ୍ପଷ୍ଟ ସୂଚନା ଏବଂ ଆଧାର ଅଛି।
ସେ ଅଭିଯୋଗ କରିଛନ୍ତି ଯେ ଲୋକଙ୍କ ନିଷ୍ପତ୍ତିକୁ ଅସ୍ୱୀକାର କରିବା ପାଇଁ ବିଜେପି କ୍ଷମତାର ଅପବ୍ୟବହାର କରୁଛି। ସେ ଲେଖିଛନ୍ତି, ଜମ୍ମୁ-କଶ୍ମୀରରେ କଂଗ୍ରେସ-ନ୍ୟାନାଲ କନଫରେନ୍ସ ମେଣ୍ଟ ସପକ୍ଷରେ ଲୋକଙ୍କ ନିଷ୍ପତ୍ତିକୁ ଅଗ୍ରାହ୍ୟ କରିବା ପାଇଁ ବିଜେପି ନିଜର କ୍ଷମତା ବଳର ଅପ ବ୍ୟବହାର କରୁଛି। ଏହିପରି ଘୃଣ୍ୟ ପ୍ରୟାସକୁ ପଣ୍ଡ କରିବା ପାଇଁ ଆମେ ସମସ୍ତ ସମ୍ଭାବ୍ୟ ପ୍ରୟାସ କରିବୁ। ତେବେ ତାଙ୍କର ଗୁପ୍ତ ସୂଚନା ଏବଂ ଆଧାର କ’ଣ ତାହା ସେ ପ୍ରକାଶ କରି ନାହାନ୍ତି।
ଏହାପୂର୍ବରୁ ନ୍ୟାସନାଲ କନଫରେନ୍ସ ଉପାଧ୍ୟକ୍ଷ ଓମାର ଅବଦୁଲ୍ଲା ବିଜେପିକୁ ମୁଖ୍ୟମନ୍ତ୍ରୀଙ୍କ କ୍ଷମତା ହ୍ରାସ କରିବା ସହ ସରକାରଙ୍କ କାର୍ଯ୍ୟକଳାପକୁ କମ୍ କରିବା ଯୋଜନା କରୁଥିବା ଅଭିଯୋଗ କରିଛନ୍ତି। ସେ ଦାବି କରିଛନ୍ତି କେନ୍ଦ୍ର ସରକାରଙ୍କ ମୁଖ୍ୟ ଶାସନ ସଚିବଙ୍କୁ ଏହି କାର୍ଯ୍ୟରେ ରଖାଯାଇଛି ଯାହାଦ୍ୱାରା ଗଠନ ହେବାକୁଥିବା ସରକାରଙ୍କ କ୍ଷମତା ହ୍ରାସ ପାଇବ। ତେବେ ଗୃହମନ୍ତ୍ରୀ ଅମିତ ଶାହଙ୍କ କାର୍ଯ୍ୟାଳୟ ପକ୍ଷରୁ ଏହାକୁ ବିଭ୍ରାନ୍ତିକର ଏବଂ କଳ୍ପନାଜଳ୍ପନା ବୋଲି କୁହାଯାଇଛି।