ନୂଆଦିଲ୍ଲୀ : ଗତମାସ ୧୯ ତାରିଖରେ ଉତ୍କଳ ଏକ୍ସପ୍ରେସରେ ଦିଲ୍ଲୀରୁ ରାଉରକେଲା ଯାଉଥିବା ଦୁଇଜଣ ନନ୍ଙ୍କୁ ନିର୍ଯାତନା ଦିଆଯାଇଥିବା ଅଭିଯୋଗ ହୋଇଥିଲା।ଏ ସଂପର୍କିତ ମାମଲାରେ ଜାତୀୟ ମାନବ ଅଧିକାର ଆୟୋଗ (ଏନ୍ଏଚ୍ଆରସି) ଉତ୍ତରପ୍ରଦେଶ ସରକାର, ଉତ୍ତରପ୍ରଦେଶ ମାନବ ଅଧିକାର କମିସନ, ଭାରତୀୟ ରେଲୱେକୁ ନୋଟିସ୍ ଜାରି କରି କାର୍ଯ୍ୟାନୁଷ୍ଠାନ ରିପୋର୍ଟ ତଲବ କରିଛନ୍ତି। ଚାରି ସପ୍ତାହ ଭିତରେ କାର୍ଯ୍ୟାନୁଷ୍ଠାନ ରିପୋର୍ଟ ଦାଖଲ କରିବା ପାଇଁ ଏନ୍ଏଚ୍ଆରସି ନିର୍ଦ୍ଦେଶ ଦେଇଛନ୍ତି।
ରାଉରକେଲାକୁ ଯାଉଥିବା ଦୁଇ ଜଣ ନନ୍ ଏବଂ ସେମାନଙ୍କ ସହ ଯାତ୍ରା କରୁଥିବା ଦୁଇ ଜଣ ଟ୍ରେନି ନନ୍ଙ୍କୁ ଗତ ମାସ ୧୯ ତାରିଖରେ ଝାନ୍ସୀ ରେଳ ଷ୍ଟେସନଠାରେ ପୋଲିସ ଓ କିଛି ସ୍ଥାନୀୟ ଲୋକ ରେଳ କୋଚରୁ ଓହ୍ଲାଇ ଦେଇଥିଲେ। ଦୁଇଜଣ ନନ୍ ଦୁଇ ମହିଳାଙ୍କୁ ଧର୍ମାନ୍ତୀକରଣ କରିବା ପାଇଁ ଓଡ଼ିଶା ନେଇ ଯାଉଥିବା ଅଭିଯୋଗରେ ଓହ୍ଲାଇଦେଇ ଥାନାକୁ ନେଇ ପଚରାଉଚୁରା କରିଥିଲେ। ପରେ ସେମାନଙ୍କୁ ରାତି ୧୦ଟାରେ ଛାଡ଼ି ଦେଇଥିଲେ । ଦୁଇ ଜଣ ନନ୍ଙ୍କ ପକ୍ଷରୁ ସୁପ୍ରିମ କୋର୍ଟ ଆଇନଜୀବୀ ଜେସି କୁରିଆନ ପୋଲିସ୍ ତଥା ଏହି ଘଟଣାରେ ସଂପୃକ୍ତ ବ୍ୟକ୍ତିମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରି ଜାତୀୟ ମାନବ ଅଧିକାର ଆୟୋଗରେ ପିଟିସନ ଦାଖଲ କରିଥିଲେ। ପିଟିସନ୍ରେ ପୀଡ଼ିତାଙ୍କୁ କ୍ଷତିପୂରଣ ପ୍ରଦାନ ସହ ଟ୍ରେନ୍ରେ ମହିଳା ଯାତ୍ରୀଙ୍କ ସୁରକ୍ଷାକୁ ସୁନିଶ୍ଚିତ କରିବା ପାଇଁ ପ୍ରାର୍ଥନା କରାଯାଇଥିଲା। ଅଭିଯୋଗକାରୀଙ୍କୁ ପିଟିସନ୍ର ଶୁଣାଣି କରି ଏନ୍ଏଚ୍ଆରସି ଚାରି ସପ୍ତାହ ଭିତରେ କାର୍ଯାନୁଷ୍ଠାନ ରିପୋର୍ଟ ଦାଖଲ ପାଇଁ ୟୁପି ସରକାରଙ୍କୁ ନୋଟିସ୍ ଜାରି କରିଛନ୍ତି।