କରାଚୀ: ସୀମା ହାଇଦରଙ୍କୁ ନେଇ ଭାରତ ଓ ପାକିସ୍ତାନ ଦୁଇଦେଶର ଲୋକେ ଖୁବ ଚର୍ଚ୍ଚା କରୁଛନ୍ତି। ଏହି ମହିଳା ଜଣକ ନିଜର ଚାରିଜଣ ପିଲାଙ୍କ ସହିତ ନେପାଳ ବାଟ ଦେଇ ବେଆଇନ ଭାବେ ଭାରତରେ ପ୍ରବେଶ କରିଥିଲେ। ବେଆଇନ ଭାବେ ଭାରତରେ ପ୍ରବେଶ କରିଥିବା ହେତୁ ସୀମାଙ୍କୁ ଗିରଫ କରାଯାଇଥିଲା। ଗିରଫ ପରେ ତାଙ୍କୁ ତିନିଟି ସର୍ତ୍ତରେ ଜାମିନ ବି ମିଳିଯାଇଥିଲା। ଏହି ତିନିଟି ସର୍ତ୍ତ ହେଉଛି, ସେ ବିନା ଅନୁମତିରେ ଭାରତ ଛାଡ଼ି ପାରିବେ ନାହିଁ। ତାଙ୍କୁ ଯେଉଁ ଠିକଣାରେ ରହିବାକୁ କୁହାଯାଇଛି ତାହାକୁ ସେ ଏବେ ବଦଳାଇ ପାରିବେ ନାହିଁ। ଯଦି କେବେ ବଦଳାଉଛନ୍ତି କୋର୍ଟଙ୍କ ଅନୁମତି ନେବେ।
ଜାମିନ ମିଳିବା ପରେ ସୀମା ତାଙ୍କ ପ୍ରେମିକ ସଚିନଙ୍କ ସହିତ ଗ୍ରେଟର ନୋଏଡାସ୍ଥିତ ଘରେ ରହୁଛନ୍ତି। ଏଥିସହିତ ସଚିନ ଓ ସୀମା ନେପାଳର ପଶୁପତିନାଥ ମନ୍ଦିରରେ ବିବାହ କରିଥିବା ଦାବି ବି କରୁଛନ୍ତି।
ପାକିସ୍ତାନୀ ମହିଳା ସୀମା ହାଇଦର ଅନଲାଇନ ଗେମ୍ ପବ୍ଜି ଖେଳୁଖେଳୁ ୮ ବର୍ଷ ସାନ ଭାରତୀୟ ଯୁବକ ସଚିନଙ୍କ ପ୍ରେମରେ ପଡ଼ିଯାଇଥିଲେ। ସୀମା କହିଛନ୍ତି, ‘ସଚିନ ହିଁ ମୋର ସ୍ବାମୀ। ମୁଁ ଏବେ ହିନ୍ଦୁ ଧର୍ମର ପାଳନ କରିବି। ମୁଁ ଏବେ ତାଙ୍କ ସହିତ ବଞ୍ଚିବାକୁ ଚାହେଁ। ମରିଗଲେ ବି ଆଉ ପାକିସ୍ତାନକୁ ଫେରିବି ନାହିଁ।’
ଏହି ଖବର ସୀମାଙ୍କ ସ୍ବାମୀ ଗୁଲାମ ହାଇଦର ପାଖରେ ପହଞ୍ଚିବା ପରେ ସେ ସାଉଦି ଆରବରୁ ଭିଡିଓ ପଠାଇଛନ୍ତି। ଆଉ କହିଛନ୍ତି, ‘ମୁଁ ମୋର ସ୍ତ୍ରୀ ଓ ଚାରି ପିଲାଙ୍କୁ ଦ୍ବିତୀୟଥର ପାକିସ୍ତାନରେ ଦେଖିବାକୁ ଚାହେଁ। ବିଶେଷ ଭାବେ ମୋର ପିଲାଙ୍କୁ।ସେମାନେ ସୀମାଙ୍କ ପାଇଁ ବାପାର ସ୍ନେହରୁ ବଞ୍ଚିତ ହୋଇଛନ୍ତି। ଏଥିପାଇଁ ମୋର ଦୁଇଦେଶର ସରକାରଙ୍କୁ ନିବେଦନ। ମୋର କଷ୍ଟ ବୁଝନ୍ତୁ। ମୋ ସଂସାର ଭାଙ୍ଗିବାକୁ ଦିଅନ୍ତୁ ନାହିଁ।
ଆପଣମାନେ ସୀମାକୁ ସାଧାରଣ ମହିଳା ଭାବନ୍ତୁ ନାହିଁ। ସେ ଯେତିକି ନୀରିହ ଦେଖା ଯାଉଛନ୍ତି ସେତିକି ନୁହନ୍ତି। ସୀମା ଏମିତି ସମସ୍ତଙ୍କୁ ମିଛ କହି ନିଜର ମିଠାମିଠା କଥାରେ ଫସାଇ ଦେଇ ଥାଆନ୍ତି। ମୋର ଓ ସୀମାଙ୍କ ମଧ୍ୟରେ କୌଣସି ଛାଡ଼ପତ୍ର ହୋଇନାହିଁ। ସେ ମିଛ କହୁଛନ୍ତି। ମୁଁ ୨୦୧୯ରୁ ହିଁ ସାଉଦି ଆରବରେ ଅଛି। ଏଠାରେ ଖୁବ ପରିଶ୍ରମ କରିଥାଏ। କଷ୍ଟ କରି ସୀମାଙ୍କୁ ୮୦ହଜାର ଟଙ୍କା ପ୍ରତିମାସରେ ପଠାଇଥାଏ।’
ସଚିନ ଜଣେ ୟୁଟ୍ୟୁବରଙ୍କୁ ପ୍ରମାଣ ସ୍ବରୂପ ସୀମାଙ୍କ କିଛି ଭଏସ ରେକର୍ଡିଂ ଓ ଭିଡିଓ ସେୟାର କରିଛନ୍ତି। ଯେଉଁଥିରେ ଗୁଲମ ଭୋଭୋ ହୋଇ କାନ୍ଦୁଥିବା ଦେଖିବାକୁ ମିଳୁଛି।