ଦରଭଙ୍ଗା: ପ୍ରେମ ପାଇଁ ଘର ପରିବାର ସହିତ ଦେଶ ଛାଡ଼ି ବି ପ୍ରେମିକାମାନେ ଚାଲିଆସୁଥିବାର ଘଟଣା ଏଇକିଛିଦିନ ହେବ କ୍ରମାଗତ ଭାବେ ସାମ୍ନାକୁ ଆସିଛି। ପ୍ରଥମେ ସୀମା ହାଇଦର, ତା’ପରେ ଅଞ୍ଜୁ ଓ ଦୀପିକାଙ୍କ ଘଟଣା ଚର୍ଚ୍ଚାରେ ରହିଛି। ଏହି କ୍ରମରେ ବିହାରରୁ ବି ଏମିତି ଏକ ଘଟଣା ସାମ୍ନାକୁ ଆସିଛି।

Advertisment

ନେପାଳରେ ରହୁଥିବା ଦୁଇଶିଶୁଙ୍କ ମା’ ସଙ୍ଗୀତା ପ୍ରେମିକଙ୍କ ପାଇଁ ଦରଭଙ୍ଗାରେ ପହଞ୍ଚିଥିଲେ। କିନ୍ତୁ ସଙ୍ଗୀତା ଘରୁ ଫେରାର ହୋଇଥିବା କଥା ଜାଣିବା ପରେ ପ୍ରେମିକ ଗୋବିନ୍ଦା ଘରୁ ଚମ୍ପଟ ମାରିଥିଲେ।

ଘଟଣାଟି ହେଉଛି ଏପରି, ଗୋବିନ୍ଦ କୁମାର ସମସ୍ତିପୁର ଜିଲ୍ଲାର ବାସିନ୍ଦା, କିନ୍ତୁ ସେ ପିଲାଟି ଦିନରୁ ବାକରଗଞ୍ଜରେ ରହି ଆସୁଛନ୍ତି। ସଙ୍ଗୀତା ଗଣମାଧ୍ୟମକୁ କହିଛନ୍ତି କି, ‘ମୁଁ ନେପାଳରୁ ଆସିଛି। ମୋର ପ୍ରେମିକ ଗୋବିନ୍ଦ ବନ୍ଧନ ବ୍ୟାଙ୍କରେ କାମ କରନ୍ତି। ଆମ ଦୁହିଁଙ୍କ ମଧ୍ୟରେ ଫୋନରେ କଥାବାର୍ତ୍ତା ହୋଇଥିଲା। ସେ ସମୟରେ ମୋତେ ଗୋବିନ୍ଦା ବିବାହିତ ବୋଲି ଆଦୌ କହି ନଥିଲେ। ଗୋବିନ୍ଦ ନେପାଳ ଯାଇ ଏକ ମନ୍ଦିରରେ ମୋତେ ବିବାହ କରିଥିଲେ। ଏମିତି କି ମୁଁ ଗୋବିନ୍ଦଙ୍କ ପାଖରେ ଏକବର୍ଷ ବି ରହିଛି। ଏହାପରେ ସେ ମୋତେ ଛାଡ଼ି କେଉଁଆଡେ ଚାଲିଗଲେ ଓ ଯୋଗାଯୋଗ ବି ରଖିଲେ ନାହିଁ।

ମୁଁ ବନ୍ଧନ ବ୍ୟାଙ୍କରୁ ତାଙ୍କ ଫୋନ ନମ୍ବର ପାଇ ଯୋଗାଯୋଗ କରିଥିଲି। ଫୋନ କରିବାରୁ ତାଙ୍କ ସ୍ତ୍ରୀ ଫୋନ ଉଠାଇଥିଲେ। ଆଉ ଗୋବିନ୍ଦ କଲିକତା ଯାଇଛନ୍ତି ବୋଲି କହିଥିଲେ। ମୁଁ ଫୋନ କାଟି ଦେଇଥିଲି। ମୁଁ ବି ବିବାହିତ, କିନ୍ତୁ ମୋ ସ୍ବାମୀ କ୍ରମାଗତ ଭାବେ ନିଶା ସେବନ କରିବାରୁ ମୁଁ ତାଙ୍କୁ ଛାଡ଼ି ଏକା ରହୁଥିଲି। ଏହାର ଭିତରେ ମୋର ଗୋବିନ୍ଦଙ୍କ ସହିତ ସମ୍ପର୍କ ହୋଇଥିଲା।

ଏହି ଘଟଣାକୁ କେନ୍ଦ୍ରକରି ସଙ୍ଗୀତା ପୁଲିସରେ ଅଭିଯୋଗ କରିଛନ୍ତି। ପୁଲିସ ଗୋବିନ୍ଦକୁ ଡକାଇ ପଚରାଉଚରା ଜାରି ରଖିଛି। ସଙ୍ଗୀତା କିନ୍ତୁ ଗୋବିନ୍ଦଙ୍କୁ ଛାଡ଼ି ରହି ପାରିବେ ନାହିଁ ବୋଲି କହିଛନ୍ତି। ଏପଟେ ଗୋବିନ୍ଦଙ୍କ ସ୍ତ୍ରୀ ପ୍ରେରଣା ଏସବୁ ଘଟଣା ଜାଣିବା ପରେ ସ୍ତବ୍ଧ ହୋଇଯାଇଛନ୍ତି। ତାଙ୍କର ବି ଦୁଇଟି ପିଲା ଅଛନ୍ତି।