ନୂଆଦିଲ୍ଳୀ: ପବ୍ଜୀ ଖେଳରୁ ହିନ୍ଦୁସ୍ତାନୀ ଯୁବକ ସଚିନଙ୍କୁ ପ୍ରେମ କରି ପାକିସ୍ତାନରୁ ଭାରତ ଆସିଥିବା ସୀମା ହାଇଦର ଏବେ ଚର୍ଚ୍ଚାରେ ରହିଛନ୍ତି। ସେ ଯେଉଁଭଳି ଭାବେ ବେନିୟମ ତରିକାରେ ପାକିସ୍ତାନରୁ ଭାରତ ସୀମା ଭିତରକୁ ପଶିଛନ୍ତି ତାହାକୁ ନେଇ ଏବେ ଭିନ୍ନ ଭିନ୍ନ ଚର୍ଚ୍ଚା ହେଉଛି। କେହି କେହି ସୀମାଙ୍କୁ ଭାରତରେ ରହିବାକୁ ଦିଆଯାଉ ବୋଲି ମତ ରଖୁଥିବା ବେଳେ କେହି କେହି ପାକିସ୍ତାନକୁ ପଠାଇ ଦେବା ଉଚିତ ବୋଲି କହୁଛନ୍ତି। ତେବେ ସୀମାଙ୍କ ସହ କ’ଣ ହେବ ତାହା ଆଗାମୀ ଦିନରେ ଜଣାପଡ଼ିବ। ତେବେ ପାକିସ୍ତାନୀ ମହିଳା ଭାରତକୁ ବେନିୟମ ଭାବେ ପ୍ରବେଶ କରିବା ଘଟଣା ଏଥର ପ୍ରଥମ କରି ଘଟିନାହିଁ। ପୂର୍ବରୁ ବି ସମାନ ଘଟଣାର ଉଦାହରଣ ରହିିଛି।
ଏହା ପୂର୍ବରୁ ଇକାରା ଜୀବାନୀ ନାମକ ଜଣେ ଯୁବତୀ ମଧ୍ୟ ଏହି ଭଳି ଭାବେ ପାକିସ୍ତାନରୁ ଭାରତ ଆସିଥିଲେ। ନିଜର ଭାରତୀୟ ପ୍ରେମିକ ମୁଲାୟମ୍ ସିଂହ ଯାଦବଙ୍କ ପାଇଁ ଦେଶ ଛାଡ଼ି ଭାରତ ପଳାଇ ଆସିଥିଲେ ପାକ୍ ଯୁବତୀ ଜଣକ।
ମୁଲାୟମ ଓ ଇକାରାଙ୍କ ପ୍ରେମ କାହାଣୀର ସୀମା ଓ ସଚିନଙ୍କ ପ୍ରେମ କାହାଣୀ ସହ ଅନେକ ସମାନତା ରହିଛି। ଯେଉଁଭଳି ଭାବେ ସୀମା ଓ ସଚିନଙ୍କ ପରିଚୟ ଅନ୍ଲାଇନ୍ ପବ୍ଜୀ ଖେଳରୁ ହୋଇଥିଲା। ସେହିପରି ମୁଲାୟମ ଓ ଇକାରାଙ୍କ ପରିଚୟ ଲୁଡୁ ଖେଳରୁ ହୋଇଥିଲା। ଯେପରି ସୀମା ଓ ସଚିନ ନେପାଳରେ ପରସ୍ପରଙ୍କୁ ଭେଟି ବିବାହ କରିଛନ୍ତି, ସେହିପରି ଇକାରା ଓ ମୁଲାୟମ୍ ମଧ୍ୟ ନେପାଳର ଏକ ମନ୍ଦିରରେ ହିଁ ବିବାହ କରିଥିଲେ।
ତେବେ ଇକାରା କିଛି ଦିନ ରହିବା ପରେ ଜଣାପଡ଼ିଲା ଯେ ସେ ତାଙ୍କ ବାପାମାଆଙ୍କ ସହ ଯୋଗାଯୋଗରେ ରହୁଛନ୍ତି। ସେ ପାକିସ୍ତାନୀ ଗୁଇନ୍ଦା ସଂସ୍ଥାର ପୁପ୍ତଚର ବୋଲି ସନ୍ଦେହ ହେବା ପରେ ତାଙ୍କୁ ଗିରଫ କରାଯାଇଥିଲା। ସେହିପରି ଜଣେ ପାକିସ୍ତାନୀ ନାଗରିକଙ୍କୁ ବେନିୟମ୍ ଭାବେ ଆଶ୍ରୟ ଦେଇଥିବାରୁ ଇକାରାଙ୍କ ହିନ୍ଦୁସ୍ତାନୀ ପ୍ରେମିକ ମୁଲାୟମ୍ଙ୍କୁ ବି ଗିରଫ କରାଯାଇଥିଲା। ପରବର୍ତ୍ତୀ ମୁହୂର୍ତ୍ତରେ ଇକାରାଙ୍କୁ ପାକିସ୍ତାନ ପଠାଇ ଦିଆଯାଇଥିଲା। ଏବେ ଦେଖିବାକୁ ବାକି ରହିଲା ଯେ ଇକାରା ଓ ମୁଲାୟମଙ୍କ ପ୍ରେମ କାହାଣୀ ପରି ସୀମା ଓ ସଚିନଙ୍କ ପ୍ରେମ କାହାଣୀ ବି ଅଧାରେ ରହୁଛି ନା ସଫଳ ହେଉଛି।