କରାଚି ପାଇଁ ହୋଇସାରିଲାଣି ସୀମାଙ୍କ ଟିକେଟ୍‌, ସ୍ବାମୀ ଗୁଲାମ ହାଇଦରଙ୍କୁ ଭାରତ ଆସିବାକୁ ନିମନ୍ତ୍ରଣ

ନୋଇଡା: ପ୍ରେମିକ ସଚିନଙ୍କ ସହ ଜୀବନ କାଟିବାକୁ ନିଜ ଦେଶ ଛାଡ଼ି ଭାରତ ପଳାଇ ଆସିଥିବା ସୀମାଙ୍କ ପାଇ ପାକିସ୍ତାନ ଟିକେଟ୍‌ କଟିସାରିଛି। ଏବେ ପ୍ରଶ୍ନ ହେଉଛି ବାସ୍ତବ‌ରେ ସୀମା ନିଜ ଦେଶ ପାକିସ୍ତାନକୁ ଫେରିଯିବେ କି? ଏହି ଟିକେଟ୍‌କୁ ସମାଜବାଦୀ ପାର୍ଟିର ଜଣେ ନେତା ସୋସିଆଲ୍‌ ମିଡିଆରେ ସେୟାର୍‌ କରିଛନ୍ତି। ସୋସିଆଲ୍‌ ମିଡିଆ ସାଇଟ୍‌ ଏକ୍ସରେ ସମାଜବାଦୀ ପାର୍ଟିର ନେତା ଅଭିଷେକ ସୋମ ଟିକେଟ୍‌ର ଏକ ସ୍କ୍ରିନ୍‌ସଟ୍‌ ସେୟାର୍‌ କରିଛନ୍ତି।

ଏହାସହିତ ସେ ସୀମା ଓ ସଚିନଙ୍କ ଉପରେ ତିଆରି ହେବାକୁ ଯାଉଥିବା ଫିଲ୍ମର ଫଟୋକୁ ବି ସେୟାର୍‌ କରିଛନ୍ତି। ସେ ହାସ୍‌ଟ୍ୟାଗ୍‌ ସୀମା ହାଇଦର୍‌ ଲେଖି ଦେଶଦ୍ରୋହୀମାନଙ୍କୁ ହିନ୍ଦୁସ୍ତାନରେ ରହିବା ପାଇଁ କୌଣସି ସ୍ଥାନ ମିଳିବନି ବୋଲି ଉଲ୍ଲେଖ କରିଛନ୍ତି। ଏହା ଛଡ଼ା ସପା ନେତା ସ‌ିନେ ନିର୍ଦ୍ଦେଶକ ତଥା ପ୍ରଯୋଜକ ଅମିତ ଜାନୀଙ୍କୁ ଟ୍ୟାଗ୍‌ କରି ଲେଖିଛନ୍ତି କି ଆପଣଙ୍କ ହିରୋଇନ୍‌ଙ୍କୁ ଧରି ପାକିସ୍ତାନ ଚାଲିଯାଆନ୍ତୁ। ସପା ନେତା ଅମିତ ଜାନୀଙ୍କ ଉପରେ ଭାରତରେ ହିନ୍ଦୁ , ମୁସ୍‌ଲମାନ ଦଙ୍ଗା ସୃଷ୍ଟି କରିବାକୁ ଚାହାନ୍ତି ବୋଲି ଅଭିଯୋଗ ଆଣିଛନ୍ତି।

ସୂଚନା ରହିଛି ଯେ ସ‌ିନେ ନିର୍ଦ୍ଦେଶକ ତଥା ପ୍ରଯୋଜକ ଅମିତ ଜାନୀ ସୀମା ଓ ସଚିନଙ୍କ ପ୍ରେମ କାହାଣୀ ଉପରେ ଆଧାରିତ ‘କରାଚି ଟୁ ନୋଇଡ଼ା’ ନାମରେ ଏକ ଫିଲ୍ମ ବନାଇବାର ଯୋଜନା କରିଛନ୍ତି। ସେ ସୀମାଙ୍କ ପାକିସ୍ତାନୀ ସ୍ବାମୀ ଗୁଲାମ ହାଇଦରଙ୍କୁ ବି ଭାରତ ଆସିବାକୁ ନିମନ୍ତ୍ରଣ ଦେଇଛନ୍ତି। ଏହି ଫିଲ୍ମ ପାଇଁ ଅଡିସନ୍‌ ଆରମ୍ଭ ହୋଇ ଯାଇଥିବା ବେଳେ ଗୁଲାମଙ୍କୁ ମୁମ୍ବାଇ କିମ୍ବା ଦିଲ୍ଲୀ ଆସି ତାଙ୍କୁ ଦେଖା କରିବାକୁ ଅମିତ ଜାନୀ କହିଛନ୍ତି।

ସମ୍ବନ୍ଧିତ ଖବର