ଲକ୍ଷ୍ନୌ: ପାକିସ୍ତାନୀ ମହିଳା ସୀମା ହାଇଦର ଓ ତାଙ୍କ ହିନ୍ଦୁସ୍ତାନୀ ପ୍ରେମୀ ସଚିନଙ୍କ ପ୍ରେମ କାହାଣୀ ଏବେ ଦୁଇ ଦେଶର ପ୍ରମୁଖ ଖବର ପାଲଟିଛି। ପ୍ରଥମେ ପବ୍ଜି ଖେଳରୁ ପରିଚୟ ହୋଇ ତାପରେ ମେସେଜ୍ ଓ ଭିଡିଓ କଲ୍ ଜରିଆରେ ପ୍ରେମରେ ପଡ଼ିଥିଲେ ଏହି ପ୍ରେମପକ୍ଷୀ। ଜାଣିବାକୁ ମିଳିଛି ଯେ ସୀମା ପାକିସ୍ତାନରେ ତାଙ୍କ ନାମରେ ଥିବା ୧୨ ଲକ୍ଷ ଟଙ୍କାର ଏକ ଘର ବିକ୍ରି କରି ନିଜର ୪ ଜଣ ପିଲାଙ୍କୁ ଧରି ସଚିନଙ୍କ ପାଖକୁ ଭାରତ ପଳାଇ ଆସିଛନ୍ତି।
ସେ ଭାରତରେ ବେଆଇନ୍ ଭାବେ ପ୍ରବେଶ କରିଥିବାରୁ ସୀମା ଓ ତାଙ୍କ ପ୍ରେମିକ ସଚିନଙ୍କୁ ଗିରଫ ବି କରାଯାଇଥିଲା। ତାପରେ ତାଙ୍କ ନିକଟରୁ ୩ଟି ଆଧାର କାର୍ଡ ଓ ୫ଟି ମୋବାଇଲ୍ ଫୋନ୍ ଜବତ କରାଯାଇଛି। ତେବେ ସୀମାଙ୍କର ଏକ ଭିଡିଓ ଏବେ ଭାଇରାଲ୍ ହୋଇଛି। ଭିଡିଓରେ ସେ ସଚିନଙ୍କ ସହ ବସି ନିଜ ପ୍ରଥମ ସ୍ବାମୀଙ୍କ ଭିଡିଓ ଦେଖୁଛନ୍ତି।
ଭିଡିଓକୁ ଦେଖି ସୀମା ମୁରୁକେଇ ମୁରୁକେଇ ହସୁଛନ୍ତି ମଧ୍ୟ। ତାଙ୍କ ସ୍ବାମୀ ଗୁଲାମ ହାଇଦର୍ ଭିଡିଓରେ ନିଜ ପିଲାମାନଙ୍କୁ ଫେରାଇ ନେବାକୁ ଚାହାନ୍ତି ବୋଲି କହୁଛନ୍ତି। ଏ ନେଇ ସେ ସରକାରଙ୍କ ନିକଟରେ ନିବେଦନ ବି କରିଛନ୍ତି। ସେହି ଭିଡିଓକୁ ସଚିନଙ୍କ ସହ ବସି ସୀମା ଦେଖିବା ସହ ମୁରୁକା ହସ ମାରି ତାଙ୍କ ସ୍ବାମୀ ଷଡ଼ଯନ୍ତ୍ର ରଚୁଛନ୍ତି ବୋଲି କହୁଛନ୍ତି। ସୀମା ଆହୁରି ବି କହୁଛନ୍ତି ଯେ ଯଦି ସେ ପାକିସ୍ତାନ ଯାଉଛନ୍ତି ତ ବଞ୍ଚିବେ ନାହିଁ। ଯଦି ବି ସେ ଯାଉଛନ୍ତି ତ ସ୍ବାମୀ ହାଇଦରଙ୍କ ପାଖକୁ କେବେ ବି ଫେରିବେ ନାହିଁ।